jayashree

ଆଜିଠାରୁ ପିଜି ପାଠପଢ଼ା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୦୨୨-୨୩ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ସ୍ନାତକୋତ୍ତର(ପିଜି) ଛାତ୍ରଛାତ୍ରୀଙ୍କ ପାଠପଢ଼ା ସୋମବାରରୁ ଆରମ୍ଭ ହେବ । ଯେଉଁ ଛାତ୍ରଛାତ୍ରୀ ହଷ୍ଟେଲରେ ରହିବା ପାଇଁ ନାମ ଲେଖାଇଛନ୍ତି, ସେମାନଙ୍କ ପାଇଁ ହଷ୍ଟେଲରେ ସବୁ ପ୍ରକାର ସୁବିଧା ରଖିବା ପାଇଁ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଚେୟାରମ୍ୟାନ ଏବଂ ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି । ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହି ନିର୍ଦ୍ଦେଶକୁ ପାଳନ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଥିଲା । ସେପଟେ ପିଜି ନାମଲେଖା ପ୍ରକ୍ରିୟା ଏଯାଏଁ ଶେଷ ହୋଇନାହିଁ । ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୬ ଓ ୧୭ରେ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୨୪ ଓ ୨୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ସ୍ପଟ୍‌ ନାମଲେଖା ପାଇଁ ଗତ ୧୦ ତାରିଖରେ ମେଧା ତାଲିକା ପ୍ରକାଶ ପାଇଥିବା ବେଳେ ୧୮ ତାରିଖରେ ସିଟ୍‌ ଆବଣ୍ଟନ ତାଲିକା ପ୍ରକାଶ ପାଇବ । ତେବେ ନାମଲେଖା ଶେଷ ହୋଇ ନ ଥିଲେ ସୁଦ୍ଧା ପାଠପଢ଼ା ବହୁ ବିଳମ୍ବ ହୋଇଯାଇଥିବାରୁ ରାଜ୍ୟ ସରକାର କ୍ଲାସ୍‌ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.