jayashree

କୁମ୍ଭାର ଯୁବା ମଞ୍ଚ ଓଡିଶା ତରଫରୁ ଅସହାୟ ଝିଅକୁ ଟେଲର ମେସିନ ପ୍ରଦାନ

ଗୋଲାମୁଣ୍ଡା, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଳଦୀ ପଞ୍ଚାୟତ ଘୁଟିଆ ଗାଁର କାଞ୍ଚନ ରଣାଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବହୁତ ସମସ୍ୟା ଦେଇ ଅତିବାହିତ କରୁଥିଲେ । ତାଙ୍କର ସ୍ତ୍ରୀ ଓ ୩ ଛୁଆ ଅନେକ ସମସ୍ୟା ଦେଇ ଜୀବନ ଯାପନ କରୁଥିଲେ । ତାଙ୍କର ବଡ ଝିଅ ଲବଣୀ ରଣା ଏହି ବର୍ଷ ମାଟ୍ରିକରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ହେଲେ ଆର୍ଥିକ ଅସୁବିଧା ହେତୁ ଆଗକୁ ଆଉ ପଢିଲେ ନାହିଁ । ତାଙ୍କୁ ଗୋଟିଏ ଟେଲର ମେସିନ ଦେଲେ ସେ ନିଜେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସ୍ୱେଚ୍ଛାସେବୀ ଯଶୋବନ୍ତ ରଣାଙ୍କୁ ଲବଣୀ ଜଣାଇଥିଲେ । ଏହା ଜାଣିବା ପରେ ଯଶୋବନ୍ତ ରଣା କୁମ୍ଭାର ଯୁବା ମଞ୍ଚ ଓଡିଶାର ସଭାପତି ସୁବୋଧ ରଣା, ସମ୍ପାଦକ ପ୍ରଶାନ୍ତ ରଣାଙ୍କୁ ଜଣାଇଥିଲେ । ସମସ୍ତଙ୍କ ନିଷ୍ପତ୍ତି କ୍ରମେ ଲବଣୀଙ୍କୁ ଏକ ଟେଲର ମେସିନ ଦେବାକୁ ସ୍ଥିର ହେଲା । ଆଜି ଯଶୋବନ୍ତ ରଣାଙ୍କ ନେତୃତ୍ୱରେ ମୃତୁଞ୍ଜୟ ରଣା, ଖମାରହଳଦୀ ସରପଞ୍ଚ ଦିନେଶ ରାଉତ ପହଂଚି ତାଙ୍କୁ ଏକ ଟେଲର ମେସିନ ପ୍ରଦାନ କରିଛନ୍ତି । ସରପଞ୍ଚ ମଧ୍ୟ ସେମାନଙ୍କ ଅସୁବିଧା ଦେଖି କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଯୁବା ମଞ୍ଚର ଏହିପରି କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.