ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ବରଗଡ ସହର ନିକଟସ୍ଥ ମୁଣ୍ଡାପଡାଠାରେ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜର ଗରିବ, ଦରିଦ୍ର, ଅବହେଳିତ ଏପରିକି କୁଷ୍ଠ ରୋଗୀମାନଙ୍କ ସହିତ ଦୀର୍ଘ ୧୫ ବର୍ଷରୁ ବରଗଡ ଜିଲ୍ଲା ସାମ୍ବାଦିକ ସଂଘ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ କରିଆସୁଛି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ନାସିର ଖାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଂଘର ସମ୍ପାଦକ ବିପିନ ବିହାରୀ ଦାଶ ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ସାମ୍ବାଦିକ ସଂଘର ଏଭଳି ମହାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବରେ ସର୍ଦ୍ଦାର ପ୍ରିତମ ସିଂ ଯୋଗଦେଇ ଗରିବ, ଦରିଦ୍ର ଲୋକମାନଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମ କରି ଅସହାୟ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ସାମାଜିକ କର୍ମୀ ଜଗଦୀଶ ଲୁହା ଯୋଗଦେଇ ବରଗଡ ଜିଲ୍ଲା ସାମ୍ବାଦିକ ସଂଘ ଦ୍ଵାରା କରାଯାଇଥିବା ଏଭଳି ମହାନ କାମକୁ ବେଶ ପ୍ରଶଂସା କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ଶିକ୍ଷକ ବୀରେନ୍ଦ୍ର କୁମାର ବେହେରା ଏଭଳି କାର୍ଯ୍ୟକ୍ରମ ଅନନ୍ୟ ଓ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେଡି ନଗର ସଭାପତି କିଶୋର ମିଶ୍ର, ଦିଲ୍ଲୀପ ସାୱଡିଆ, ସମାଜସେବୀ ରିଙ୍କେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସାହିତ୍ୟିକ ଅଶୋକ କୁମାର ପୁଝାରୀ, ସାମାଜିକ କର୍ମୀ ବାବୁଲୁ ରାଓ, କାଉନ ସିଲର ରୀନା ମହାପାତ୍ର, ସରପଞ୍ଚ ପୁଷ୍ପାଞ୍ଜଳି କଳତା, ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡାଙ୍କୁ ବିଭିନ୍ନ କ୍ଷେତ୍ରରେ ଉକୃଷ୍ଟ ସେବା କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା । ପରେ ମୁଣ୍ଡାପଡାଠାରେ ଗରିବ, ଅସହାୟ, ଏପରିକି କୁଷ୍ଠ ରୋଗୀମାନଙ୍କୁ କମ୍ବଳ, ଶାଢ଼ୀ, ଲୁଙ୍ଗି, ଗେଞ୍ଜି, ସାର୍ଟ, ପେଣ୍ଟ, ଗାମୁଛା ଇତ୍ୟାଦି ନୂତନ ବସ୍ତ୍ର ବଣ୍ଟନ କରିବା ସହିତ ସମସ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ଶେଷରେ ସଂଘର ସହସମ୍ପାଦକ ମହମ୍ମଦ ଅସଲମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।