ସ୍ୱରାଗିଣୀ ଅନୁଷ୍ଠାନର ମା’ ଖୁଦୁରୁକୁଣୀ ମେଲଣ ୨୦୨୨ ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ କରି ଗଠନ ହୋଇଥିବା ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀ ତରଫରୁ ମା’ ଖୁଦୁରୁକୁଣୀ ମେଲଣ ୨୦୨୨ ଆସନ୍ତା ୧୨ ତାରିଖ ଦିନ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ପାଳନ କରାଯିବ । ଏନେଇ ରାଉରକେଲା କ୍ଲବଠାରେ ଅନୁଷ୍ଠାନ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ସ୍ୱର୍ଣ୍ଣପ୍ରଭା ପଲେଇ ଓ ସାଧାରଣ ସଂପାଦିକା ପୁଷ୍ପଲତା ବିଶ୍ୱାଳ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ମା’ ଖୁଦୁରୁକୁଣୀ ଓଷା ଓଡିଶାରେ କୁଆଁରୀ ଝିଅମାନେ ପାଳନ କରିଥାନ୍ତି । ଏହି ପରମ୍ପରାକୁ ପ୍ରଚାର ଓ ପ୍ରସାର କରିବା ପାଇଁ ସ୍ୱରାଗିଣୀ ପ୍ରୟାସ ଆରମ୍ଭ କରିଛି । ଆସନ୍ତା ୧୨ ତାରିଖ ଦିନ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ଦିବା ୧୦ଘଟିକା ସମୟରେ ଝୋଟି ପ୍ରତିଯୋଗିତା କରାଯିବ । ସେହିଦିନ ଅପରାହ୍ନ ୩ଟା ସମୟରେ ପାଖାପାଖି ୩୦ରୁ ଅଧିକ ଖୁଦୁରୁକୁଣୀ ମେଢ ପହଞ୍ଚିବ । ଏହି ଅବସରରେ ସୁନ୍ଦର ମୂର୍ତ୍ତି ଆଣିଥିବା ଦଳ ଓ ପୂର୍ବରୁ ଆୟୋଜିତ ହୋଇଥିବା ଝୋଟି ପ୍ରତିଯୋଗିତାରେ ବିଜେତାଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ । ସେହିପରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କିଛି ନାରୀ ପ୍ରତିଭାଙ୍କୁ ସମ୍ମାନିତ କରାଯିବା ସହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଲୋଡି ପରିବେଷଣ କରାଯିବ ବୋଲି ସଭାପତି ଶ୍ରୀମତୀ ପଲେଇ ଓ ସଂପାଦକ ଶ୍ରୀମତୀ ବିଶ୍ୱାଳ ସୂଚନା ଦେଇଥିଲେ । ପ୍ରାରମ୍ଭରେ ସଦସ୍ୟା ମମତାଞ୍ଜଳି ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏହି ସାମ୍ବାଦିକ ସମ୍ମିଳନୀରେ ରୂପା ଜ୍ୟୋତି, ପଦ୍ମାରାଣୀ ବେହେରା, ଅନିତା ପଣ୍ଡା, ଦୀପ୍ତି ନାୟକ, ବିଷ୍ଣୁପ୍ରିୟା ସାହୁ, ରଶ୍ମିରାଣୀ ନାୟକ, ଅନୁମତି ଗିରି, ଲିଲୀରାଣୀ ପଣ୍ଡା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଭାବ ସାମଲ, ବିନୋଦ କୁମାର ରାୟ, ଯଶୋବନ୍ତ ମହାନ୍ତି, କମଳାକାନ୍ତ ନାୟକ ଓ ଅବିନାଶ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.