ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୋଶଳ ସାହିତ୍ୟ ଏକାଡ଼େମୀର ସଭାପତି ଦେବେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶିକ୍ଷାବିତ୍ ପ୍ରଦୀପ କୁମାର ମାହାଣା ମୁଖ୍ୟ ଅତିଥି, କୋଶଳ ସାହିତ୍ୟ ଏକାଡ଼େମୀର ସମ୍ପାଦକ ରାଜେନ୍ଦ୍ର ଝାଙ୍କର ମୁଖ୍ୟ ବକ୍ତା ଓ ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅମୃତ ମହୋତ୍ସବ ପାଳନର ତାତ୍ପର୍ଯ୍ୟପୂର୍ଣ୍ଣ ଓ ମହତ୍ତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଶୈକ୍ଷିକ, ସାମାଜିକ, ଆଧ୍ୟାତ୍ମିକ, ଅର୍ଥନୈତିକ ଓ ସାଂସ୍କୃତିକ ଦିଗରେ ସାରା ବିଶ୍ୱରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବିଷୟରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ମାହାଣା ଶ୍ରୀଫଳ ଭାଙ୍ଗି ଉତ୍ସବର ଉଦ୍‌ଘାଟନ କରିଥିବା ବେଳେ ଆୟୋଜକ ଲୋକନାଥ ଦଳବେହେରା ଅତିଥି ପରିଚୟ ପ୍ରଦାନ ସଙ୍ଗେ ସଙ୍ଗେ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରେ କୋଶଳ ସାହିତ୍ୟ ଏକାଡ଼େମୀର ସହଯୋଗିତାରେ ଓ କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେଙ୍କର ସଂଯୋଜନାରେ ଅନୁଷ୍ଠିତ କବିତା ପାଠରେ କୋଡ଼ିଏ ଜଣ କବି/କବୟିତ୍ରୀ ସ୍ୱରଚିତ ଦେଶାତ୍ମବୋଧକ କବିତା ଆବୃତ୍ତି କରିଥିଲେ । ସଂଯୋଜକ ଦେବେନ୍ଦ୍ର କୁମାର ନାଏକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବକବି ହିରଣ୍ମୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.