ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ : ବିଭିନ୍ନ ବିଭାଗୀୟ କାର୍ଯ୍ୟନ୍ୱୟନର ସମୀକ୍ଷା

  • ବିଭାଗ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ଼ଃ ସୁରେଶ ଚନ୍ଦ୍ର ଦଳେଇ, ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ୱୟନର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ରାଜସ୍ୱ ଆୟୁକ୍ତ ଡ଼ଃ ଦଳେଇ ଅନୁଦାନ ଅର୍ଥର ସୁବିନିଯୋଗ ତଥା କାର୍ଯ୍ୟପ୍ରକଳ୍ପ ଗୁଡ଼ିକର ସ୍ଥିତି ଓ ଅଗ୍ରଗତିର ସମୀକ୍ଷା କରିଛନ୍ତି । କାର୍ଯ୍ୟକାରୀ ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀ ପାଇପାରିବେ ସେଥିପ୍ରତି ବିଶେଷ ଯତ୍ନବାନ ହୋଇ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ସମସ୍ତ ପ୍ରକଳ୍ପଗୁଡିକୁ ଧାର୍ଯ୍ୟ ଅବଧି ମଧ୍ୟରେ ପୂରଣ କରିବା ସହ ଅର୍ଥ ବିନିଯୋଗ ପ୍ରମାଣ ପତ୍ରକୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ସେ ଏହି ଅବସରରେ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ, ପିଏଚ୍‌ଡି, ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ମତ୍ସ୍ୟ ବିଭାଗ, ଜାତୀୟ ରାଜପଥ କର୍ତୃପକ୍ଷ, ଉଦ୍ୟାନ ବିଭାଗ, ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ, ଜିଲ୍ଲା କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଳ ବିଭାଗ, ଜଳସେଚନ, ଶିକ୍ଷା ବିଭାଗ ତଥା ସୋନପୁର ମ୍ୟୁନିସିପାଲିଟି, ବିନିକା ଓ ତରଭା ଏନ୍‌ଏସି ସହରାଞ୍ଚଳ ପ୍ରଭୁତିଙ୍କ ଦ୍ୱାରା କାର୍ଯ୍ୟକାରୀ ପ୍ରକଳ୍ପ ତଥା ହେବାକୁ ଥିବା ଯୋଜନା ଗୁଡ଼ିକର ସ୍ଥିତି ଓ କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ । ସେ ବୈଠକରେ ବିଭଗୀୟ ଅଧିକାରୀଙ୍କୁ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆନ୍ତରିକତାର ସହ ଦୃଢ ନିଶ୍ଚିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାର ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ବୃନ୍ଦ, ସମସ୍ତ ବିଡ଼ିଓ, ସମସ୍ତ ତହସିଲଦାର ପ୍ରମୁଖ ସମୀକ୍ଷା ବୈଠକରେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ରାଜସ୍ୱ ଆୟୁକ୍ତ ଡ଼ଃ ଦଳେଇ ଅଦ୍ୟ ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ବିଭିନ୍ନ ଶାଖା ତଥା ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟର ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.