ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟି- ଡିର ବୈଠକ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୁଷ୍ପା ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟି- ଡି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ଉପାଧ୍ୟକ୍ଷ ମୋହନ ଲୁହା, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ, ଜିଲ୍ଲା ପରିଷଦ ସଭ୍ୟା ସରସ୍ଵତୀ ସାହୁ, ପୂର୍ଣ୍ଣିମା ରଣା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧୁଚରଣ ଦାଶ, ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏ ଅବସରରେ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ଭୋଇ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସାଧୁ ଚରଣ ଦାଶ ବରଗଡ ଜିଲ୍ଲାରେ ଡାକ୍ତର ଓ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବ ଓ ଖେଦାପାଲି ଚିକିତ୍ସାଳୟକୁ ଯିବା ରାସ୍ତାରେ ଆଲୋକର ବ୍ୟବସ୍ଥା ନଥିବାରୁ ରୋଗୀମାନେ ତଥା ଚିକିତ୍ସାଳୟର କର୍ମଚାରୀମାନଙ୍କ ଯାତାୟାତରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି ଏ ନେଇ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାରେ ଡାକ୍ତର ଓ ଆବଶ୍ୟକ କର୍ମଚାରୀଙ୍କର ପଦବୀ ପୂରଣ ଓ ପ୍ରତ୍ୟେକ ବର୍ଷ କେତେ ଜଣ ଡାକ୍ତର ନିଯୁକ୍ତି ପାଉଛନ୍ତି ଏ ନେଇ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ପଚାରିଥିଲେ । ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀ କେତେକ ରୋଗୀ ତଥା ରୋଗୀଙ୍କ ସମ୍ପର୍କିୟମାନେ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ସମ୍ପର୍କରେ ସଭ୍ୟ ସଭ୍ୟାମାନେ ଘୋର ଉଦ୍‌ବେଗ ପ୍ରକାଶ କରିବା ସାଙ୍ଗକୁ ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଙ୍ଗନୱାଡ଼ି ସେଣ୍ଟରକୁ ଯୋଗାଇ ଦିଆଯାଉଥିବା ଆକ୍ୱାଗାର୍ଡ, ସେଣ୍ଟରମାନଙ୍କରେ ବ୍ୟବହାର ନ କରି କେତେକ ଅଙ୍ଗନୱାଡ଼ି ଶିକ୍ଷୟିତ୍ରୀ ନିଜ ନିଜ ବାସଗୃହରେ ବ୍ୟବହାର କରାଯାଉଥିବା ଏବଂ ଜିଲ୍ଲାରେ କେତେ ଗୋଟି ଅଙ୍ଗନୱାଡ଼ି ସେଣ୍ଟରରେ ଆକ୍ୱାଗାର୍ଡ ବ୍ୟବହୃତ ହେଉଛି ଏ ସମ୍ପର୍କରେ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ଭୋଇ ଏବଂ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ ଉପସ୍ଥିତ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଙ୍ଗନୱାଡ଼ି ସେଣ୍ଟରକୁ ଯୋଗାଇ ଦିଆଯାଉଥିବା ଛତୁଆ ନିମ୍ନମାନର ହୋଇଥିବାରୁ ଏଥିରେ ସଭ୍ୟ ସଭ୍ୟାମାନେ ଘୋର ଉଦ୍‌ବେଗ ପ୍ରକାଶ କରିଥିଲେ । ଅଙ୍ଗନୱାଡ଼ି ସେଣ୍ଟରକୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜରିଆରେ ଗାଁ କଲ୍ୟାଣ ସମିତିକୁ ପ୍ରତିବର୍ଷ ଯୋଗାଇ ଦିଆଯାଉଥିବା ୧୦ ହଜାର ଟଙ୍କା ଅପବ୍ୟବହାର କରାଯାଉଥିବା ସମ୍ପର୍କରେ ଗୃହରେ ଆଲୋଚନା ହୋଇଥିଲା । ଏହାର ବିହିତ ତଦନ୍ତ ନିମନ୍ତେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗଡତିଆ ଅଧିକାରୀଙ୍କ ନିକଟରେ ଦୃଢ ଦାବୀ କରିଥିଲେ । ବରଗଡ ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣାଧୀନରେ ରହିଛି ବୋଲି ସିଡିଏମଓ କହିଥିଲେ । ଶେଷରେ ଡାକ୍ତର ସାଧୁ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.