୨୧ରୁ ୨୫ ଜୁଲାଇ ଭୁବନେଶ୍ଵରରେ ଆୟୋଜିତ ହେବ ଭାରତ ରଙ୍ଗ ମହୋତ୍ସବ

  • ଜୁଲାଇ ୧୬ରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ “ଆଜାଦୀ କା ଅମୃତ ମହୋତ୍ସବ- ୨୨ତମ ଭାରତ ରଙ୍ଗ ମହୋତ୍ସବ ଆୟୋଜନ କରିବ ଏନଏସଡି
  • ଭାରତର ବିଭିନ୍ନ ସହରରେ ମଞ୍ଚସ୍ଥ ହେବ ୩୦ଟି ନାଟକ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସ୍ୱାଧୀନତାର ୭୫ ବର୍ଷକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି । ଏହି ଅବସରରେ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି), ନୂଆଦିଲ୍ଲୀଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ- ୨୦୨୨ ଅନ୍ତର୍ଗତ ଏକ ଉତ୍ସବ “ଆଜାଦୀ କା ଅମୃତ ମହୋତ୍ସବ- ୨୨ତମ ଭାରତ ରଙ୍ଗ ମହୋତ୍ସବ, ୨୦୨୨ (ସ୍ୱାଧୀନତା ଖଣ୍ଡ)” ଆୟୋଜନ କରୁଛନ୍ତି।
୨୧ ରୁ ୨୫ ଜୁଲାଇ ଭୁବନେଶ୍ଵରରେ ଆୟୋଜିତ ହେବ ଏହି ଭାରତ ରଙ୍ଗ ମହୋତ୍ସବ। କିଟ କ୍ୟାମ୍ପସ ୬ ଅଡିଟୋରିଅମରେ ପ୍ରତେକ ସନ୍ଧ୍ୟାରେ ନାଟକ ପରିବେଷିତ ହେବ । ଏଥିରେ ଦୁଇଟି ଓଡ଼ିଆ ନାଟକ ମଧ୍ୟ ସ୍ଥାନ ପାଇଛି । ଜୁଲାଇ ୨୧ ରେ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନଙ୍କ ଦ୍ଵାରା ରଚିତ ନାଟକ “ମହାସଂଗ୍ରାମର ମହାନାୟକ” ଏବଂ ୨୫ ଜୁଲାଇରେ ଶ୍ରୀ ଶଙ୍କର ତ୍ରିପାଠୀଙ୍କ ଦ୍ଵାରା ରଚିତ “ଗାନ୍ଧୀଙ୍କ ଓଡ଼ିଶା” ମଞ୍ଚସ୍ଥ ହେବ ।

ପ୍ରଫେସର ଡଃ ରମେଶ ଚନ୍ଦ୍ର ଗୌର, ନିର୍ଦ୍ଦେଶକ, ଏନଏସଡି ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଏହି ଶୃଙ୍ଖଳାରେ ଭାରତର ବିଭିନ୍ନ ସହରରେ ୩୦ଟି ନାଟକ ମଞ୍ଚସ୍ଥ ହେବ । ନୂଆଦିଲ୍ଲୀ ଠାରେ ଜୁଲାଇ ୧୬, ୨୦୨୨ରେ ଏହି ଉତ୍ସବର ଶୁଭାରମ୍ଭ ହେବ ଓ ପରେ ଅନ୍ୟ ୫ ସହର ଭୁବନେଶ୍ୱର, ବାରଣାସୀ, ଅମୃତସର, ବେଙ୍ଗାଲୁରୁ ଓ ମୁମ୍ବାଇ ଠାରେ ଆୟୋଜିତ ହେବ । ଅଗଷ୍ଟ ୧୪, ୨୦୨୨ରେ ଜୱାହରଲାଲ ନେହେରୁ ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ଉତ୍ସବ ସମାପନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ।

ପ୍ରଫେସର (ଡଃ) ଗୌର ସ୍ୱତନ୍ତ୍ର ଭାବେ ସୂଚିତ କରିଛନ୍ତି ଯେ, ଏନଏସଡି ଜୁଲାଇ ୨୫ରେ ଜାତୀୟ ଯୁଦ୍ଧ ସ୍ମାରକୀ ପରିସରରେ କାରଗିଲ ବିଜୟ ଦିବସର ପୂର୍ବ ସନ୍ଧ୍ୟାରେ ସ୍ୱତନ୍ତ୍ର ନାଟକ “କାରଗିଲ ଏକ ନାଟ୍ୟ କଥା” ପରିବେଷଣ କରିବ । ଏହି କାର୍ଯ୍ୟକ୍ରମକୁ ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ଥଳ ସେନା ମୁଖ୍ୟଙ୍କୁ ଆମନ୍ତ୍ରିତ କରାଯିବ । ଜୱାହରଲାଲ ଆଉଟଡୋର ଷ୍ଟାଡିୟମ ଠାରେ ଅଗଷ୍ଟ ୧୪ରେ ଏକ ସ୍ୱତନ୍ତ୍ର ନାଟକ ମଞ୍ଚସ୍ଥ ହେବ ।
ଶ୍ରୀ ଗୌର ସୂଚନା ଦେଇଛନ୍ତି ନାଟକ ଅନୁଷ୍ଠିତ ହେଉଥିବା ସମସ୍ତ ସ୍ଥାନରେ ଅନଲାଇନ ବୁକିଂ ମାଧ୍ୟମରେ ପ୍ରବେଶ କରାଯାଇପାରିବ । www.nsd.gov.in ୱେବସାଇଟ ମାଧ୍ୟମରେ ପଞ୍ଜିକରଣ ପରେ ପ୍ରବେଶ ନିଃଶୁଳ୍କ ରହିବ ।

Leave A Reply

Your email address will not be published.