jayashree

କବିତା : ରାତି

  • ପ୍ରଦୀପ କୁମାର ପଣ୍ଡା

ଯେତେ ବିତେଇଲେ ବି
ସରେ ନାହିଁ ଗୋଟେ ଗୋଟେ ରାତି,
କେବେ କେମିତି ।
ରାତିସାରା ନଈବଢ଼ି ହୁଏ ଓ ମୁଁ ଭାସି ଯାଉଥାଏ,
ଯିଏ ଉଦ୍ଧାର କରନ୍ତି ମତେ
ମୁଁ ତାଙ୍କୁ ଚିହ୍ନି ନଥାଏ
କେବେ କେମିତି ।

ରାତିରେ ପୃଥିବୀର କେନ୍ଦ୍ରବିନ୍ଦୁକୁ ଇଚ୍ଛା ହୁଏ
ବୁଲି ଆସିବାକୁ ଆପଣାର ପରିଧିରେ,
ମୁଁ ତାର ଆଙ୍ଗୁଠି ଧରି କଢ଼େଇ ନିଏ
ବ୍ରହ୍ମାଣ୍ଡର ଧାରେ ଧାରେ,
କେବେ କେମିତି ।

ଜଣେ କବି ସାଦା ଖାତାରେ ତା’ର ଚିତ୍ର ଆଙ୍କେ
ଗଛର ଚୁଲିର କାଠର ଓ ଆଲୁଅର,
ମତେ ଦିଶେ, ମୁଣ୍ଡ ପିଟି ପିଟି
ଅସମ୍ଭାଳ କାନ୍ଦୁଥିବା ଏକ ତାରା ତା’ର କବିତାରେ
କେବେ କେମିତି, ସାରା ରାତି ।

ରାତି ଜଣେ ମଲା ଲୋକ ଓ ନିରୀହ,
ଶିଆଳ, ଗଧିଆ, ଓ ଲେଞ୍ଜାମାନେ ବି
ନିରୀହ, ସର ସର ତାଙ୍କର ଜିଭ
ସେମାନଙ୍କର ସତ୍କାର କରିବାର ଥାଏ ମୋର
ସାରା ରାତି, କେବେ କେମିତି ।

ପୃଥିବୀର କୌଣସି କୋଣରେ
ଗୋଟିଏ ବି ହତ୍ୟାକାଣ୍ଡ ହୁଏ ନାହିଁ
କେବେ କେମିତି,
ଝୁରମୁରେଇ ମରେ ରାତି ଇର୍ଷାରେ
ଧଳା ଫୁଲ ଓ ତାରାଙ୍କର କେଳି କୋଳାକୋଳିରେ
ଆଜି ରାତି ।

ମୁଁ ଯେମିତି ଏକ ଭୂତ
ଓ ରାତି ଏକ ଜୀବନ୍ତ ଭବିଷ୍ୟ,
ଯାହା ସହ ନିରବରେ କଥା ହେଲା ବେଳେ
ସେ ଭାବୁଥାଏ ଆମେ ଦିହେଁ ପରିଚିତ, ଏକାନ୍ତ ଘନିଷ୍ଠ
ଓ ବର୍ତ୍ତମାନ ନାହୁଁ ଏଇ ପୃଥିବୀରେ
ଆଜି ରାତି ।

ଯେଉଁମାନେ କଥାବାର୍ତ୍ତା ହୁଅନ୍ତି ସାରା ରାତି
କେବେ କେମିତି,
ସେମାନଙ୍କ ଭିତରୁ ମୁଁ ଜଣେ ବା ଏକଲା ଜଣେ,
ଅଥବା ଯେଉଁ ଅନେକ ଲୋକମାନେ
ବର୍ତମାନ ନାହାନ୍ତି,
ସେମାନଙ୍କ ଭିତରୁ ମୁଁ ଜଣେ ବା ଏକଲା ଜଣେ
ଆଜି ରାତି।

ରାତି ଶୋଇ ପଡ଼ିଛି ନିଘୋଡ଼
ଓ ମୁଁ କ’ଣ କରୁଛି ଏଠି !

Leave A Reply

Your email address will not be published.