ଭଣ୍ଡାରିପୋଖରୀ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଞ୍ଚର ସମ୍ପାଦକ ଅକ୍ଷୟ କୁମାର ସାହୁ ଯୋଗଦେଇ ଦିବ୍ୟାଙ୍ଗ ଭଉଣୀ ଭାଇମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ଦୃଢ଼ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ । ସାମାଜିକ କର୍ମୀ ରାଜେଶ ବାରିକ ସରକାରଙ୍କ ଯୋଜନାକୁ ଦିବ୍ୟାଙ୍ଗମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ସଦା ତତ୍ପର ରହିବା ଉଚିତ ବୋଲି ମତ ରଖିଥିଲେ । ବୈଠକ ଶେଷରେ ୨୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ୟ୍ୟାଳୟ ନିକଟରେ ପହଞ୍ଚିଥିଲେ । ବିଡିଓଙ୍କୁ ଭେଟି ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ବିଶେଷକରି ଜଣେ ଦିବ୍ୟାଙ୍ଗ ପରିବାରକୁ ଆବାସ ଯୋଜନାରେ ଗୃହ ଯୋଗାଇବା, ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା, ବସୁନ୍ଧରା ଯୋଜନାରେ ଜାଗା ଓ ପ୍ରତ୍ୟେକ ମାସ ୧୫ ତାରିଖ ସୁଦ୍ଧା ଭତ୍ତା ଯୋଗାଇଦେବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଅନୁରୂପ ଭାବେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବ୍ଲକ ସଭାପତି ଭାସ୍କର ଜେନା, କେଶବ ସାହୁ, ଯଦୁମଣି ଦାସ, ଉମାକାନ୍ତ ସେଠୀ, ଗଙ୍ଗାଧର ସେଠୀ, ସଞ୍ଜୁଲତା ସାହୁ, ବଂକୁଲି ସେଠୀ, ରାଜଶ୍ରୀ ନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।
Next Post