jayashree

ସୁବର୍ଣ୍ଣପୁରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଜ ମହୋତ୍ସବ ପାଳିତ

  • ଯେ କୌଣସି ପର୍ବ ପର୍ବାଣୀ ଜନ ଜୀବନକୁ ଉତ୍‌ଫୁଲ୍ଲିତ କରିବା ସହ ସାମାଜିକ, ଆଧ୍ୟାତ୍ମିକ, ବୌଦ୍ଧିକ ଓ ଅର୍ଥନୈତିକ ବିକାଶ କରିଥାଏ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ କହିଲେ ଯେ, କୌଣସି ବି ପର୍ବପର୍ବାଣୀ ଜନ ଜୀବନକୁ ଉତ୍‌ଫୁଲ୍ଲିତ କରିବା ସହ ସାମାଜିକ, ଆଧ୍ୟାତ୍ମିକ, ବୌଦ୍ଧିକ ଓ ଅର୍ଥନୈତିକ ବିକାଶ କରିଥାଏ, ରଜପର୍ବ କେବଳ ଝିଅ ବୋହୂଙ୍କ ଏକ ପର୍ବ ନୁହଁ, ଏଥିରେ ରାଜ୍ୟର ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଅର୍ଥନୈତିକ ମହତ୍ତ୍ୱ ମଧ୍ୟ ନିହିତ ଅଛି । ସାରା ରାଜ୍ୟରେ ରଜ ମହୋତ୍ସବ ପାଳନ ହେଉଥିବାରୁ ଏହା ନିଶ୍ଚିତ ଭାବରେ ପୂର୍ବ ଓ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ସମ୍ପର୍କରେ ଏକ ନୂତନ ସୂତ୍ର ଯୋଡି ଦେବ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୌରମଣି ହାଁସଦା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ପାଲକା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଡ଼େପୁଟି କଲେକ୍ଟର ପ୍ରୟାସି ପଧାନ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମା’ ସନ୍ତୋଷୀ, ସୁବର୍ଣ୍ଣା, ତାରିଣୀ ଓ ସାରଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ମାନେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ପିଠାପଣା ଓ ରଜ ପାନ ତିଆରି କରିଥିଲେ । ଯୁବ ନୃତ୍ୟଶିଳ୍ପୀ ଅଙ୍କିତା ରାୟଗୁରୁ ଏବଂ ସ୍ଵର୍ଣ୍ଣ ଶିଖାର କଳାକାରମାନେ ସସ୍ମିତା ପରମଗୁରୁ ଓ ବେଦବର ପାତ୍ରଙ୍କ ନିର୍ଦ୍ଦେଶନାରେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ବିଦ୍ୟାପତି ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । କଳାକାର ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ମାନପତ୍ର ଓ ଟେରାକୋଟା ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀର ସଦସ୍ୟ ସାଶ୍ୱତ ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ, କର୍ମଚାରୀ, ମହିଳା ସ୍ଵୟଂ ସହାୟକ ଦଳର ସଦସ୍ୟା, ଛାତ୍ର ଛାତ୍ରୀ, ଜିଲ୍ଲା ଗ୍ରନ୍ଥାଳୟର ପାଠକ ପାଠିକା ଏବଂ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପଭୋଗ କରିଥିଲେ ।

Leave A Reply

Your email address will not be published.