oom

ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌ ପରିଦର୍ଶନ କଲେ ନରସିଂହ : ଡାଏଲିସିସ୍‌ ବିଭାଗ ଭିତରେ ବିକ୍ରି ହେଉଛି ଔଷଧ ଓ ଉପକରଣ, ବିନା ସୂଚନାରେ ଅନୁପସ୍ଥିତ ରହୁଛନ୍ତି ଡାକ୍ତର ଓ ବିଭାଗୀୟ ମୁଖ୍ୟ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ଡାଏଏଲିସିସ୍‌ ବିଭାଗର କିଛି କିଛି ନୂତନ ସାଂଘାତିକ ତଥ୍ୟ ପ୍ରତ୍ୟହ ଗଣମାଧ୍ୟମର ସାମନାକୁ ଆସୁଛି । ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ଡାଏଲିସିସ୍‌ ବିଭାଗ ପରିଦର୍ଶନ ସମୟରେ ଡାଏଲିସିସ୍‌ ବିଭାଗ ଦାୟିତ୍ୱ ପାଇଥିବା ରାହି କେଆରର କର୍ମଚାରୀମାନେ ବିଭାଗ ଭିତରେ ରୋଗୀଙ୍କୁ ଆଲ୍‌ବୁମିନ୍‌ ଭଳି ଜୀବନ ରକ୍ଷାକାରୀ ଔଷଧ ଓ ଡାଏଲିସିସ୍‌ ପାଇଁ ଅତି ଜରୁରୀ ଉପକରଣ ଡାଏଲାଇଜର୍‌ ଚଂଚକତା କରି ବିକ୍ରୟ କରିବା ସହିତ କୌଣସି ପ୍ରକାର ଅଭିଯୋଗ କଲେ ରୋଗୀଙ୍କ ଫିସ୍ତୁଲା ଅକାମୀ କରିଦେବା ନେଇ ଧମକ ଦିଆଯାଉଥିବା ଭଳି ସାଂଘାତିକ ତଥ୍ୟ ସାମନାକୁ ଆସିଥିଲା । ଆଶ୍ଚର୍ଯ୍ୟର ବିଷୟ ଯେ, ବିଧାୟକଙ୍କ ସହ ଆଲୋଚନା ସମୟରେ ଉକ୍ତ କର୍ମଚାରୀମାନେ ଉପରୋକ୍ତ ବିଷୟକୁ ପରୋକ୍ଷ ଭାବେ ସ୍ୱୀକାର ମଧ୍ୟ କରିଥିଲେ ।

ଗଣମାଧ୍ୟମରୁ ମିଳିଥିବା ଖବର ତଥା ରୋଗୀମାନଙ୍କ ବାରମ୍ବାର ଅଭିଯୋଗ କ୍ରମେ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମେଡିକାଲ କଲେଜ ଅଧିକ୍ଷକ ଏବଂ ଡିନ୍‌ଙ୍କୁ ପୁର୍ବରୁ ସୂଚନା ଦେଇ ଭୀମଭୋଇ ମେଡିକାଲ ପରିଦର୍ଶନରେ ପହଞ୍ଚି ଥିଲେ । ବିଧାୟକଙ୍କ ପରିଦର୍ଶନ ସୂଚନା ଥିବା ସତ୍ୱେ ମେଡିକାଲ କଲେଜର ଡିନ୍‌, ହସପିଟାଲ ସୁପରିଷ୍ଟେଣ୍ଡେଣ୍ଟ ଅନୁପସ୍ଥିତ ଥିବା ବେଳେ ତିନୋଟି ଅତି ଗୁରୁତ୍ୱପୁର୍ଣ୍ଣ ବିଭାଗର ବିଭାଗୀୟ ମୁଖ୍ୟ ବିନା ସୂଚନାରେ ଅନୁପସ୍ଥିତ ଥିଲେ । ତେବେ ବିଧାୟକ ପିପିପି ମୋଡରେ ଚାଲିଥିବା ଡାଏଲିସିସ୍‌ ସେଣ୍ଟରର ସ୍ଥିତି ପରଖିବା ବେଳେ ଜଣାପଡିଥିଲା ଯେ, ରାଜ୍ୟର ପ୍ରମୁଖ ମେଡିକାଲ କଲେଜ ଯଥା କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜରେ ଡାଏଲିସିସ୍‌ ବିଭାଗକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିଜେ ପରିଚାଳନା କରୁଥିବାବେଳେ ବଲାଙ୍ଗିର ଜିଲ୍ଲା ଭଳି ଏକ ଆର୍ଥିକ ଅନଗ୍ରସର ଜିଲ୍ଲାରେ ଥିବା ଏହି ମେଡିକାଲ କଲେଜ ହସ୍‌ପିଟାଲ୍‌ର ଡାଏଲେସିସ୍‌ ବିଭାଗକୁ ସରକାର ପିପିପି ମୋଡରେ ଏକ ଘରୋଇ କଂପାନୀ ହାତରେ ଟେକି ଦେଇଛନ୍ତି । ଉପରୋକ୍ତ ତିନି ପ୍ରମୁଖ କଲେଜରେ ଡାଏଲେସିସ୍‌ କରୁଥିବା ପ୍ରତ୍ୟେକ କିଡିନି ରୋଗୀ ସମସ୍ତ ପ୍ରକାର ସାହାଯ୍ୟ ସୁବିଧା ପାଉଥିବା ବେଳେ ଭୀମ ଭୋଇ ମେଡିକାଲ କଲେଜରେ କିଡିନି ରୋଗୀମାନେ ରାହି କେୟାର ନାମକ ଘରୋଇ ସଂସ୍ଥା ଦ୍ୱାରା ଆର୍ଥିକ ଏବଂ ମାନସିକ ସ୍ତରରେ ଶୋଷିତ ହେଉଛନ୍ତି । ଏପରିକି ରୋଗୀମାନଙ୍କୁ ଡାଏଲେସିସ୍‌ ଟେକନିସଏନ୍‌ ମାନେ ଦୁର୍ବ୍ୟବହାର କରୁଥିବା ମଧ୍ୟ ଆଲୋଚନା ସମୟରେ ଜଣାପଡିଥିଲା । ପରେ ରେଡିଓଲୋଜି ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ସହ ଶ୍ରୀ ମିଶ୍ର ଆଲୋଚନା କରିଥିଲେ । ଦୀର୍ଘ ଦିନରୁ ବିଭାଗରେ ଡାକ୍ତର ପଦର ଖାଲି ଥିବାରୁ ଘରୋଇ ଡାକ୍ତର ଆସି ଅଲଟ୍ରାସାଉଣ୍ଡ କରୁଥିବା ଜଣାପଡିଥିଲା । ଆଲୋଚନା ବେଳେ ପ୍ରାୟତଃ ବିଭାଗର ମୁଖ୍ୟ ଏବଂ ଏସୋସିଏଟ ପ୍ରଫେସର ବିନା ସୂଚନାରେ ଅନୁପସ୍ଥିତ ରହୁଥିବା ସେମାନଙ୍କର ଉପସ୍ଥାନ ଖାତାରୁ ଜଣାପଡିଥିଲା । ଯଦି ଏପରି ସମସ୍ୟା ଜାରି ରହେ, ତେବେ ଆମ ଅଂଚଳର ଲୋକେ କିପରି ଉନ୍ନତ ସ୍ୱାସ୍ଥ୍ୟସେବା ପାଇବେ ବୋଲି ବିଧାୟକ ଶ୍ରୀ ମିଶ୍ର ଆଲୋଚନା ବେଳେ ଡିନ୍‌ଙ୍କ ଅନୁଉପସ୍ଥିତିରେ ଦାୟିତ୍ୱରେ ଥିବା ଡାକ୍ତର ମାନସୀ ପଣ୍ଡାଙ୍କୁ ପ୍ରଶ୍ନ କରିଥିଲେ । ତେବେ ମେଡିକାଲର ଏ ସବୁ ସମସ୍ୟା ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଅଲୋଚନା କରି ତାର ସମାଧାନର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ଆଲୋଚନା ସମୟରେ ଅନ୍ୟମାନଙ୍କ ମଧ୍ୟରେ ଷ୍ଟୋର ସୁପରିଟେଣ୍ଡେଣ୍ଟ ଡା. ମୁରଲିଧର ପାଣିଗ୍ରାହୀ, ଡାଏଲେସିସ୍‌ ବିଭାଗ ଦାୟିତ୍ୱରେ ଥିବା ଡା. ବିପିନ ବାରା, ହସପିଟାଲ ମ୍ୟାନେଜର ପ୍ରତ୍ୟୁଷ ପଟ୍ଟନାୟକ, ବିଧାୟକଙ୍କ ପ୍ରତିନିଧି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, କୈଳାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.