pakka

ଚିନ୍ତାରେ ଇମରାନ

bbehera
  • ସୌମେନ୍ଦ୍ର ଜେନା

ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମରାନ ଖାଁ କ୍ରିକେଟରେ ଯେତେସବୁ ସମ୍ମାନ ଅର୍ଜନ କରିଥିଲେ ରାଜନୀତିକୁ ଆସି ତା’ଠାରୁ ଅଧିକ ଅସମ୍ମାନିତ ହେବାରେ ଲାଗିଛନ୍ତି । ଦେଶ ଭିତରେ ସାଧାରଣ ଜନତା ଓ ଗଣମାଧ୍ୟମ ଗୁଡିକରେ ଇମରାନଙ୍କ ଅପାରଗତାକୁ କେନ୍ଦ୍ରକରି ଚର୍ଚ୍ଚା ଜାରିଥିଲା ବେଳେ ଦେଶ ବାହାରେ ତାଙ୍କ ନୀତିକୁ ସମାଲୋଚନା କରାଯାଉଛି । ନିକଟରେ ସେ ଆମେରିକା ପାଇଁ ପାକ୍‌ର ନୂତନ ରାଷ୍ଟ୍ରଦୂତଙ୍କ ଯେଉଁ ନାମ ପଠାଇଥିଲେ ତାଙ୍କୁ ଆମେରିକାରେ ନିନ୍ଦା କରାଯାଇଛି । ଆମେରିକାର ସାଂସଦ ସ୍କଟବେରୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୌଣସି ପ୍ରକାର ପାକ୍‌ ସନ୍ତ୍ରାସବାଦୀଙ୍କ କଠୋର ସମର୍ଥକ ମସୁଦ ଖାଁକୁ ରାଷ୍ଟ୍ରଦୂତ ମାନ୍ୟତା ନଦେବା ଲାଗି କହିଛନ୍ତି । ମସୁଦ କିପରି କାଶ୍ମୀର ଆତଙ୍କବାଦୀଙ୍କ ବଡ ପ୍ରଶଂସକ ଓ ସହଯୋଗୀ ରହିଆସିଛନ୍ତି ସେ ନେଇ ଦଲିଲ ପ୍ରସ୍ତୁତ କରିଛନ୍ତି । ପୂର୍ବରୁ ମସୁଦ ଆମେରିକାର ଜେଲରେ ରହିଥିବା ମହିଳା ସନ୍ତ୍ରାସବାଦୀ ଆଫିଆ ସିଦ୍ଦିକୀର ସପକ୍ଷରେ ମଧ୍ୟ ଯୁକ୍ତି କରିଛନ୍ତି । ବାଇଡେନ ଯେ ମସୁଦଙ୍କୁ ଗ୍ରହଣ କରିବେ ନାହିଁ ସେମିିତି କିଛି ନାହିଁ । କାରଣ ବାଇଡେନଙ୍କ ଅସ୍ପଷ୍ଟ ନୀତି ହିଁ ସବୁଠୁ ବଡ ଆଶ୍ଚର୍ଯ୍ୟ । ଆଫିଆ ଆମେରିକାର ଟେକ୍‌ସା ସ୍ଥିତ ଫୋର୍ଟ ୱର୍ଥ ଦୁର୍ଗରେ ଥିବା ଜେଲରେ ୮୬ବର୍ଷ ପାଇଁ ଜେଲ ଜୀବନ କାଟୁଛି । ୩ ଫେବୃଆରୀ ୨୦୧୦ରୁ ଜେଲରେ ଥିବା ଆଫିଆ ପାଇଁ ଆଇଏସ୍‌ ଏବଂ ମୁଜାହିଦ୍ଦୀନ ଗୋଷ୍ଠୀ ପୃଥିବୀର ଭିନ୍ନ ଭିନ୍ନ ସ୍ଥାନରେ ଅନେକ ଲୋକଙ୍କୁ ହତ୍ୟା କରି ସାରିଲେଣି । ଅଥଚ ଅତୀତରେ ପାକିସ୍ଥାନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ୟୁସୁଫ ରଜା ଜିଲାନୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆଫିଆର ମୁକ୍ତି ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ସେ ପାକ୍‌ର ଝିଅ ବୋଲି ସମ୍ମାନର ସହ ଗର୍ବ ଅନୁଭବ କରିଥିଲେ । ଲେଡି ଅଲ୍‌ କାୟଦା ଭାବେ ପରିଚିତ ଆଫିଆର ମୁକ୍ତି ପାଇଁ ଇମରାନ ମଧ୍ୟ ନିଜ ଦେଶରେ ଯୁକ୍ତି ବାଢିଥିଲା ବେଳେ ନିକଟରେ ଆଫିଆର ମୁକ୍ତି ଦାବୀରେ ଲଣ୍ଡନ ବାସିନ୍ଦା ତଥା ପାକ୍‌ ମୂଳର ଜଣେ ସନ୍ତ୍ରାସବାଦୀ ୪୪ବର୍ଷୀୟ ମାଲିକ ଫୈସଲ ଆକ୍ରାମ ଟେକ୍‌ସାସ୍‌ର କୋଲ୍ଲେ ଭିଲ୍ଲେସ୍ଥିତ ଇହୁଦୀଙ୍କ ପ୍ରାର୍ଥନା ଗୃହରେ ପ୍ରବେଶ କରି ଲୋକମାନଙ୍କୁ ବନ୍ଧୁକ ମୁନରେ ଅଟକ ରଖିଥିଲା । ପରେ ପୋଲିସ ଚଢାଉରେ ତାର ମୃତ୍ୟୁ ଘଟିଥିଲା । ଓସାମା ବିନ୍‌ ଲାଡେନ ଠାରୁ ଆଫିଆ ପର୍ଯ୍ୟନ୍ତ ଅନେକ ସନ୍ତ୍ରାସବାଦୀଙ୍କ ସୂତ୍ର ପାକ୍‌ ପର୍ଯ୍ୟନ୍ତ ଲମ୍ବିଥିବା ହେତୁ କୌଣସି ରାଷ୍ଟ୍ର ଇମରାନ ସରକାରଙ୍କୁ ଗୁରୁତ୍ୱ ଦେବାକୁ ଆଗ୍ରହୀ ନାହାନ୍ତି ।
ପାକ୍‌ରୁ ଦୁର୍ନୀତି, ଦାରିଦ୍ର୍ୟ, ଅନାହାର ଆଦି ସମସ୍ୟାର ସମାଧାନ କରି ନୂଆ ପାକିସ୍ଥାନ ଗଢିବା ପାଇଁ ସ୍ୱପ୍ନ ଦେଖାଇ କ୍ଷମତାସୀନ ହୋଇଥିବା ଇମରାନ ଏବେ ନିଜେ ସନ୍ଦେହ ଘେରରେ ପଡିଛନ୍ତି । ଦେଶ ଭିତରେ ଦାରିଦ୍ର୍ୟ, ଦୁର୍ନୀତି, ଦରବୃଦ୍ଧି ଆଦି ବଢିବାରେ ଲାଗିଛି । ଏଫ୍‌ଏଟିଏଫ୍‌ର ଗ୍ରେ ଲିଷ୍ଟରୁ ପାକିସ୍ଥାନ ବାହାରି ପାରୁନାହିଁ । ଫ୍ରାନ୍ସର ସନ୍ତ୍ରାସ ବିରୋଧୀ ଆଭିମୁଖ୍ୟକୁ ପାକ୍‌ ସରକାରଙ୍କ ସମାଲୋଚନା କରିବା ଏବେ ଅଧିକ ସଙ୍କଟକୁ ଡାକିଆଣିଛି । ଇଉରୋପୀୟ ୟୁନିଅନର ନେତୃତ୍ୱରୁ ମର୍କେଲ ବିଦା ହେବା ପରେ ଏବେ ଫ୍ରାନ୍ସର ଆଧିପତ୍ୟ ବୃଦ୍ଧିପାଇଛି । କିନ୍ତୁ ପାକିସ୍ଥାନରେ ଫ୍ରାନ୍ସ କୂଟନୀତିଜ୍ଞ ମାନଙ୍କୁ ଦେଶରୁ ତଡିଦେବାକୁ ତେଣୁ କେନ୍ଦ୍ରକରି ଅତୀତରେ ହୋଇଥିବା ଆନ୍ଦୋଳନକୁ ଫ୍ରାନ୍ସ ସରକାର ଭୁଲି ନାହାନ୍ତି । ତେଣୁ କୌଣସି ପ୍ରକାରେ ଇମରାନ ଖାଁଙ୍କୁ ସାହାର୍ଯ୍ୟ କରିବା ମନୋବୃତ୍ତିରେ ନାହାନ୍ତି । ଇସଲାମିକ ସନ୍ତ୍ରାସବାଦ ପ୍ରତି ପାକ୍‌ ସରକାରଙ୍କ ଆଭିମୁଖ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସେମାନେ ଇମରାନଙ୍କୁ ସାହାର୍ଯ୍ୟ କରୁନଥିବାରୁ ସେ ନିକଟରେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ଦୋମୁହାଁ କହିି ସମାଲୋଚନା କରିଛନ୍ତି । ଚୀନ ସରକାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଇମରାନ ଆମେରିକା ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି ।
ଆଫଗାନିସ୍ଥାନ ମାମଲାରେ ତାଲିବାନକୁ ନିଜ ସପକ୍ଷରେ ରଖିବା ପାଇଁ ଉଦ୍ୟମ କରୁଥିବା ଇମରାନଙ୍କୁ ଏପର୍ଯ୍ୟନ୍ତ ସଫଳତା ମିଳି ପାରିନାହିଁ । ଡୁରାଣ୍ଡ ଲାଇନକୁ ସୀମା ଭାବେ ଗ୍ରହଣ କରିବାକୁ ତାଲିବାନ ବିରୋଧ କରି ପାକ୍‌ ଦ୍ୱାରା ଲଗା ଯାଉଥିବା ତାରବାଡକୁ ଭାଙ୍ଗିଦେବା, ସୀମାରେ ଥିବା ନିରୀକ୍ଷଣ ଘାଟି ଉପରେ ଆକ୍ରମଣ କରିବା ଘଟଣା ଇମରାନଙ୍କ ଚିନ୍ତାକୁ ବଢାଇ ଦେଇଛି । ତେହେରିକେ ତାଲିବାନ ପାକିସ୍ଥାନ ଏବଂ ବଲୁଚ ଗୋଷ୍ଠୀଙ୍କ ଆକ୍ରମଣ ଆଭ୍ୟନ୍ତରୀଣ ସୁରକ୍ଷାକୁ ଦୋହଲାଇ ଦେଇଛି । ୨୦ ଜାନୁଆରୀ ୨୦୨୨ରେ ଲାହୋର ସହରର ଲାହୋରୀ ଗେଟ ନିକଟରେ ହୋଇଥିବା ବିସ୍ଫୋରଣରେ ୨ଜଣଙ୍କ ମୃୃତ୍ୟୁ ହେବା ସହ ୨୦ଜଣ ଆହତ ହୋଇଥିଲେ, ଗତବର୍ଷ ୨୩ଜୁନ୍‌ ୨୦୨୧ରେ ଲାହୋରର ଜୋହରଠାରେ ସକାଳ ୧୧ଟାରେ ହୋଇଥିବା ବିସ୍ପୋରଣରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ୨୪ ଜଣ ଆହତ ହୋଇଥିଲେ । ଲସ୍କର-ଇ-ତୈବା ଏବଂ ଜମାତ-ଉଦ୍‌ ଦାୱାର ମୁଖ୍ୟ ହାଫିଜ ସୟିଦର ଘରକୁ ଟାର୍ଗେଟ କରି ହୋଇଥିବା ସେହି ବିସ୍ଫୋରଣ ଘଟଣାରେ ୪ଜଣ ଫାଶୀ ପାଇବେ ବୋଲି ଜଣାପଡିଛି । ସେହି ଘଟଣାରେ ୩୦କିଗ୍ରା ବିସ୍ଫୋରକ ଭର୍ତ୍ତି ଏକ କାରକୁ ବ୍ୟବହାର କରାଯାଇଥିଲା । ସେହିପରି ୨୬ ଜାନୁଆରୀ ୨୦୨୨ଦିନ ବଲୁଚିସ୍ଥାନ ପ୍ରଦେଶର କେଚ୍‌ ଜିଲ୍ଲାରେ ଥିବା ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ କରି ବଲୁଚ ଲିବରେସନ ଆର୍ମି ଗୋଷ୍ଠୀ ୧୦ ପାକ୍‌ ସେନାଙ୍କୁ ହତ୍ୟା କରିଥିଲେ । ୨୦ଜାନୁଆରୀ ଦିନ ଲାହୋର ଆକ୍ରମଣ ପଛରେ ବଲୁଚ ମୁକ୍ତି ବାହିନୀର ହାତଥିବା ସ୍ପଷ୍ଟ ହୋଇଛି । ଗତ ଡିସେମ୍ବର ମାସ ୩୦ ତାରିଖ ଦିନ ପାକିସ୍ଥାନର ଉତ୍ତର ୱାଜିରିସ୍ଥାନର ମିର ଅଲି ଅଞ୍ଚଳରେ ପାକ୍‌ ସେନାଙ୍କ ଚଢାଉ ପ୍ରତିବାଦରେ ବଲୁଚ ଲଢୁଆ ବାହିନୀର ଆକ୍ରମଣ ଆରମ୍ଭ ହୋଇଥିଲା । ସେଥିରେ ହାବିଲଦାର ମୁନାୱର, ସିପାହୀ ଜାକା ଉଲ୍ଲା, ଫରହାନ ଏବଂ ସେରାଜର ମୃତ୍ୟୁ ହୋଇଥିଲା । ଡିସେମ୍ବର ୨୪ତାରିଖ ଦିନ କେଚ୍‌ ଜିଲ୍ଲାର ଏକ ସେନା ଚେକ୍‌ ପୋଷ୍ଟର ଦୁଇଜଣ ଯବାନ ଏବଂ ୧୪ ଡିସେମ୍ବର ଦିନ ବଲୁଚିସ୍ଥାନର ପାକ୍‌ ଇରାନ ସୀମାରେ ୨ଜଣ ଯବାନ ବଲୁଚ ମୁକ୍ତିବାହିନୀ ଗରିଲା ଆକ୍ରମଣରେ ପ୍ରାଣ ହରାଇଥିଲେ । ଗତ ୧ ଅକ୍ଟୋବରରେ ଉତ୍ତର ୱାଜିରସ୍ଥାନର ସ୍ପିନୱାର୍ମ ଅଞ୍ଚଳରେ ସେନାଗାଡି ଉପରେ ବଲୁଚ ବାହିନୀର ଆକ୍ରମଣରେ ଚରସଦ୍ଧାର ହାବିଲଦାର ଜାହିଦ (୩୫), କୁରାମର ହାବିଲଦାର ଇସାକ(୩୭), ଖାଇବରର ଲାନ୍ସନାୟକ ୱାଲି(୨୮), କୁରାମର ଲାନ୍ସନାୟକ ଅବଦୁଲ ମଜିଦ(୨୮), ସ୍ପିନୱାର୍ମର ସବ୍‌ଇନ୍ସପେକ୍ଟର ଜାଭେଦ (୩୮)ର ମୃତ୍ୟ ହୋଇଥିଲା । ସେମିତି ଖାଇବର ପାଖତୁନଖ୍ୱା ଠାରେ ତେହରିକ-ଇ-ତାଲିବାନ ଗୋଷ୍ଠୀର ଆକ୍ରମଣରେ ପାକ୍‌ପଟନର ଜଣେ ସେନା କ୍ୟାପଟେନ୍‌ ସିକନ୍ଦର (୨୭)ଙ୍କ ମୃତ୍ୟୁ ହୋଇଥିଲା । ଗତ ସେପ୍ଟେମ୍ବର ମାସରେ ଦକ୍ଷିଣ ୱାଜିରସ୍ଥାନର ଆସମାନ ମାଞ୍ଜା ଅଞ୍ଚଳରେ ୭ଜଣ ସେନା ଯବାନଙ୍କୁ ଆଇଇଡି ବିସ୍ଫୋରଣରେ ଉଡାଇ ଦିଆଯାଇଥିଲା । ଗତ ଅଗଷ୍ଟ ମାସରେ ମଧ୍ୟ ବଲୁଚିସ୍ଥାନର ଜିଆରତ ଜିଲ୍ଲାରେ ଲାଣ୍ଡମାଇନ୍‌ ବିସ୍ଫୋରଣରେ ୩ ପାକ୍‌ ଯବାନ ପ୍ରାଣ ହରାଇଥିଲେ ।
ଇମରାନଙ୍କ ଦଳ ପାକିସ୍ଥାନ ତେହରିକ-ଇ-ଇନସାଫ୍‌ର ସଂପର୍କ ସହଯୋଗୀ ଦଳ ମୁତାହିଦା କ୍ୱାମୀ ମୁଭମେଣ୍ଟ (ଏମ୍‌କ୍ୟୁଏମ୍‌) ଏବଂ ପାକିସ୍ଥାନ ମୁସଲିମ ଲିଗ୍‌ (ପିଏମ୍‌ଏଲ୍‌-କ୍ୟୁ) ଦଳ ସହ ଆଗାମୀ ଦିନରେ ଖରାପ ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଲାଣି । ନିକଟରେ ଜଣେ ଶ୍ରୀଲଙ୍କାର କର୍ମଚାରୀଙ୍କୁ ଜିଅନ୍ତା ପୋଡି ମାରିଦେବା ଘଟଣାରେ ଦୁଇଦେଶ ମଧ୍ୟରେ ସଂପର୍କ ଖରାପ ହୋଇଛି । ଇମରାନଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଛି । ଶ୍ରୀଲଙ୍କାର ଗଣମାଧ୍ୟମରେ ଇମରାନଙ୍କ ଅପାରଗତାକୁ ନେଇ ସମାଲୋଚନା କରାଯାଇଛି । ଶ୍ରୀଲଙ୍କା କ୍ରିକେଟର ମାନଙ୍କ ବସ୍‌ ଉପରେ ଗୁଳିମାଡ ପରି ଏହି ଘଟଣା ଶ୍ରୀଲଙ୍କାବାସୀଙ୍କ ମନରେ ପ୍ରଚଣ୍ଡ ଘୃଣାଭାବ ସୃଷ୍ଟି କରିଛି । ବାଧ୍ୟ ହୋଇ ପାକ୍‌ ସରକାର ଶ୍ରୀଲଙ୍କା କର୍ମଚାରୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବାଧ୍ୟ ହୋଇଛନ୍ତି । ନିଜ ଭାବମୂର୍ତ୍ତି ବଢାଇବା ଲାଗି ଇମରାନ ଋଣଗ୍ରସ୍ତ ଥାଇ ମଧ୍ୟ ଶ୍ରୀଲଙ୍କାକୁ ଅର୍ଥ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହି ସବୁ ସମସ୍ୟା ଭିତରେ ୩ ଫେବୃଆରୀ ଦିନ ସାଢେ ଏଗାରଟା ବେଳେ ଆଫଗାନିସ୍ଥାନର ସୀମାନ୍ତରେ ଥିବା ବଲୁଚି ସ୍ଥାନ ପ୍ରଦେଶ ଅନ୍ତର୍ଗତ ପଞ୍ଚଗୁରୁ ଏବଂ ନୁସ୍‌କୀସ୍ଥିତ ପାକ୍‌ ସେନା ଶିବିର ଉପରେ ବଲୋଚ ଲିବରେସନ୍‌ ଆର୍ମିର ଲୋକେ ଆକ୍ରମଣ କରି ପ୍ରାୟ ୧୭୬ ଯବାନଙ୍କୁ ହତ୍ୟା କରିବା କଥା ଘୋଷଣା କରିଛନ୍ତି । ପାକ୍‌ ସରକାର ନିଜ ଦେଶର ଗଣମାଧ୍ୟମରେ ଏହି ଖବର ପ୍ରସାରିତ ନକରିବାକୁ କଟକଣା ଜାରି କରିଛନ୍ତି । ଏହି ଘଟଣା କାଳରେ ପାକ୍‌ ସେନାର ଗୋଟିଏ ହେଲିକପ୍‌ଟର ଧ୍ୱଂସ ପାଇଥିବା କଥା ବଲୋଚ ଲିବରେସନ୍‌ ଆର୍ମି ପକ୍ଷରୁ ଘୋଷଣା କରାଯାଇଛି ।
ପାକିସ୍ଥାନ ସରକାର ଅତୀତରେ ବଙ୍ଗଳା ଦେଶୀମାନଙ୍କ ପ୍ରତି ଯେପରି ବର୍ବରତା ପ୍ରଦର୍ଶନ କରିଥିଲେ ଏବେ ବଲୋଚମାନଙ୍କ ପ୍ରତି ଠିକ୍‌ ସେମିତି ବ୍ୟବହାର କରୁଛନ୍ତି । ଆଗାମୀ ଦିନରେ ଏହି ଅଞ୍ଚଳ ବଙ୍ଗଳାଦେଶ ପରି ପାକିସ୍ଥାନରୁ ସ୍ୱତନ୍ତ୍ର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦେଶରେ ହିନ୍ଦୁ, ଶିଖ୍‌ ଓ ଖ୍ରୀଷ୍ଟିଆନଙ୍କ ପରିସଂଖ୍ୟା ଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ବଢି ବଢି ଚାଲିଛି । ହିନ୍ଦୁଙ୍କ ମନ୍ଦିର ଭଙ୍ଗାହେବା ପରେ ସରକାର ପୁଣି ହିନ୍ଦୁଙ୍କଠାରୁ ଅର୍ଥ ସଂଗ୍ରହ କରି ମନ୍ଦିର ନିର୍ମାଣ କରାଉଛନ୍ତି । ସେମିତି ଜଣେ ଖ୍ରୀଷ୍ଟିଆନ୍‌ ପାଦ୍ରୀଙ୍କୁ ହତ୍ୟା କରାଯିବା ପରେ ସ୍ଥାନୀୟ ମୌଲବୀ ଗୀର୍ଜାକୁ ଯାଇ ନମାଜ ପଢିବାର ନାଟକ କରୁଛନ୍ତି । ଲାହୋର ଅଦାଲତ ଜିହାଦ ନାମରେ ଅର୍ଥ ସଂଗ୍ରହକୁ ବେଆଇନ ଘୋଷଣା କରିବା ସତ୍ୱେ ସନ୍ତ୍ରାସବାଦୀ ମାନେ ଖୋଲାରେ ସବୁଠି ଚାନ୍ଦା ଆଦାୟ କରୁଛନ୍ତି । ଏପରିକି ଜଣେ ମୌଲାନାଙ୍କ ମୃତ୍ୟୁପରେ ତାଙ୍କ ଆକାଉଣ୍ଟରୁ ୫ ବିଲିଅନ ଡଲାର ଜମା ହୋଇଥିବା ତଥ୍ୟ ଜଣାପଡିଲା । ଇମରାନଙ୍କ ବିରୋଧୀ ତଥା ଜମିଆତ ଉଲେମା- ଇ-ଇସଲାମ ପାର୍ଟିର ଅଧ୍ୟକ୍ଷ ମୌଲାନା ଫଜଲୁର ରହମାନ ନିକଟରେ ଖାଇବର ପାଖତୁନ୍‌ଖ୍ୱା ପ୍ରଦେଶର ସ୍ଥାନୀୟ ନିର୍ବାଚନରେ ନିଜ ଦଳକୁ ୩୯ଟି ତହସିଲରେ ମେୟର ଏବଂ ଚେୟାରମେନ୍‌ ଆସନରେ ବିଜୟୀ କରାଇଛନ୍ତି । ଏହି ସ୍ଥାନୀୟ ନିର୍ବାଚନରେ ବିପୁଳ ସଫଳତା ପରେ ସେ ୨୩ ମାର୍ଚ୍ଚରେ ଇମ୍‌ରାନ ସରକାର ବିରୋଧରେ ଇସଲାମାବାଦ ଚାଲ ଅଭିଯାନର ଘୋଷଣା କରିଛନ୍ତି । ଗତ ଅକ୍ଟୋବର-ନଭେମ୍ବର ୨୦୨୧ରେ ତେହରିକେ ଲାବାଇକ ପାକିସ୍ଥାନ ଦଳର ଲୋକେ ଇମ୍‌ରାନଙ୍କୁ ପାଣି ପିଆଇଥିଲେ । ପାକିସ୍ଥାନରୁ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ଅପସାରଣ, ଦଳ ଉପରୁ ନିଷେଧ୍ୟାଜ୍ଞା ହଟାଇବା ଏବଂ ଦଳର ମୁଖ୍ୟ ସାଦ୍‌ ହୁସେନ୍‌ ରିଜଭୀଙ୍କ ମୁକ୍ତି ଦାବିରେ ୨୨ ଅକ୍ଟୋବରରୁ ୧୮ ନଭେମ୍ବର ଯାଏଁ ପଞ୍ଜାବର ଲାହୋର, ମୁଲତାନ, ଗୁଜୁରାଟ ଏବଂ ଗୁଜରନୱାଲାରେ ଯେଉଁ ବ୍ୟାପକ ହିଂସାକାଣ୍ଡ, ଗୁଳିଗୋଳା ବର୍ଷଣ ହୋଇଥିଲା । ସେଥିରେ ଜଣେ ପୋଲିସ ସହ ୨୭ଜଣଙ୍କ ମୃତ୍ୟୁ, ୪୦ପୋଲିସଙ୍କ ସମେତ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଶେଷରେ ଇମରାନ ବାଧ୍ୟ ହୋଇ ଆନ୍ଦୋଳନକାରୀଙ୍କ ଦାବୀକୁ ଗ୍ରହଣ କରିଥିଲେ । ଗତ ନିର୍ବାଚନ ବେଳେ ନୂଆ ପାକିସ୍ଥାନ ଗଠନର ସ୍ଲୋଗାନ ଦେଇ ଇମରାନ ବିଜୟୀ ହୋଇଥିଲେ ହେଁ ଆଜି ଚିନି, ଔଷଧପତ୍ର, ଅଟା ଆଦି ସାଧାରଣ ଲୋକେ କିଣିବା କଷ୍ଟକର ହେଲାଣି । ଇମରାନଙ୍କ ପରାମର୍ଶଦାତା ଶାହଜାଦ ଆକବରଙ୍କୁ ଗତ ଜାନୁଆରୀ ମାସ ଶେଷ ସପ୍ତାହରେ ଅନେକ ସମାଲୋଚନା ଯୋଗୁ ଇସ୍ତଫା ଦେବାକୁ ହୋଇଛି । ପାକ୍‌ ସରକାର ପୂର୍ବରୁ କହୁଥିଲେ ଯେ ତାଲିବାନ ଆଫଗାନିସ୍ଥାନରେ କ୍ଷମତାକୁ ଆସିଲେ ପାକିସ୍ଥାନ ସହ ସଂପର୍କ ସୁଧୁରିଯିବ । ତାଲିବାନ କ୍ଷମତାକୁ ଆସିବାପରେ ପାକ୍‌ ସଂପର୍କ ବହୁତ ଭଲ ହୋଇଛି ବୋଲି କହି ହେବନାହିଁ । ଖୁରମ୍‌ ଜିଲ୍ଲାରେ ଥିବା ସେନା ପୋଷ୍ଟ ଉପରେ ଆଫଗାନପଟୁ ହୋଇଥିବା ଗୁଳିମାଡରେ ୫ଜଣ ପାକ୍‌ ଯବାନଙ୍କ ନିକଟରେ ମୃତ୍ୟୁ ହୋଇଛି । ଆକ୍ରମଣକାରୀ ମାନେ ତେହରିକେ ତାଲିବାନ ପାକିସ୍ଥାନର ସମର୍ଥକ ବୋଲି କୁହାଯାଉଛି, ଯେଉଁମାନେ ପାକ୍‌ ଆଫଗାନ ସୀମାରେ ତାଲିବାନ ଲଢୁଆଙ୍କୁ ନେଇ ପାକ୍‌ ପୋଷ୍ଟ ଉପରେ ମିଳିତ ଚଢାଉ କରିଥିଲେ । ସଣ୍ଡୁଆସୀ ଆକ୍ରମଣ ଯୋଗୁଁ ଯବାନମାନେ ଖସିଯିବାକୁ ସମୟ ଓ ସୁବିଧା ପାଇନଥିଲେ । ଦେଶର ଖରାପ ଆର୍ଥିକ ପରିସ୍ଥିତି, ରାଜନୈତିକ ସନ୍ଦେହ, ଆନ୍ତର୍ଜାତିକ ସ୍ତରରେ ସନ୍ତ୍ରାସବାଦୀଙ୍କ ସମର୍ଥକ ରାଷ୍ଟ୍ର ଭାବେ ପରିଚୟ, ଭାରତ ସହ ସମକକ୍ଷ ହେବା ଦୌଡରେ ଅଯଥା ସାମରିକ ବ୍ୟୟ, ଆଧୁନିକ ଶିକ୍ଷା ପରିବର୍ତ୍ତେ ମୌଳବାଦୀ ମଦ୍ରାସା ଶିକ୍ଷାକୁ ପ୍ରାଧାନ୍ୟ ଦେବା, ଗବେଷଣା ଓ ଉତ୍ପାଦନ କ୍ଷେତ୍ରରେ ଢାଞ୍ଚାଗତ ଦୁର୍ବଳତା, ମୌଳବାଦୀ ଧର୍ମଗୁରୁ ମାନଙ୍କର ଦେଶର ବିଧି ଓ ବ୍ୟବସ୍ଥା ପ୍ରତି ଆହ୍ୱାନ ଆଦି ପାକିସ୍ଥାନରେ ଜଟିଳ ପରିସ୍ଥିତି ସୃଷ୍ଟି କଲାବେଳେ ଇମରାନ ଚିନ୍ତାରେ ପଡିଛନ୍ତି ।

ଭାରତୀୟ ସମ୍ବାଦ ସେବା (ଭାସ୍‌)
ଭୁବନେଶ୍ୱର-୭୫୧୦୦୩

jay balangir
Leave A Reply

Your email address will not be published.

13 − eight =