
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ବୃହତ୍ତମ ଜିଲ୍ଲା ହେଡ କ୍ୱାର୍ଟର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସଦର ଦପ୍ତରାଞ୍ଚଳକୁ ଅଧିକ ସୌନ୍ଦର୍ଯ୍ୟକରଣରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଭାବେ ଅଶୋକସ୍ତମ୍ଭ ସ୍ଥାନ ପାଇଛି । ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖସ୍ଥ ଛକରେ ନୂତନ ଭାବେ ନିର୍ମିତ ଅଶୋକସ୍ତମ୍ଭ ଲୋକାର୍ପିତ ହୋଇଛି । ଅଶୋକସ୍ତମ୍ଭ ହେଉଛି ଭାରତର ଏକ ପ୍ରସିଦ୍ଧ ଏବଂ ଗୌରବମୟ ଐତିହାସିକ ପ୍ରତୀକ, ଯାହାକୁ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଏହାକୁ ନିର୍ମାଣ କରିଥିଲେ । ସାରନାଥଠାରେ ଥିବା ଅଶୋକସ୍ତମ୍ଭଟି ସବୁଠାରୁ ଆଦ୍ୟ ପ୍ରତିଷ୍ଠିତ ଓ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଯାହାର ଶୀର୍ଷ ଭାଗକୁ ଭାରତର ଜାତୀୟ ପ୍ରତୀକ ଭାବେ ଏହାକୁ ସରକାରୀ ସ୍ତରରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯାଇଛି । ତେବେ ଛତ୍ରପୁର ମ୍ୟୁନିସପାଲିଟି ସୌଜନ୍ୟରେ ପ୍ରତିଷ୍ଠିତ ହୋଇଥିବା ଅଶୋକସ୍ତମ୍ଭଟିକୁ ମଙ୍ଗଳବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ମ୍ୟୁନିସପାଲିଟିର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ସିଇଓ ଶ୍ରୀମତୀ ଗାୟତ୍ରୀ ସାମଲ୍ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦାନ କରିଥିଲେ । ଛତ୍ରପୁର ମ୍ୟୁନିସପାଲିଟି ସେବାରେ ନିୟୋଜିତ ମହିଳା ଗୋଷ୍ଠୀ, ସମସ୍ତ ବର୍ଗର କର୍ମଚାରୀ ଓ ଅଧିକାରୀ, ଯନ୍ତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ଛତ୍ରପୁର ଡିଆର୍ଡିଏ କାର୍ଯ୍ୟାଳୟ ପରିସରରେ ଥିବା କାଫେ କେନଟିନ ହଲ୍ର କଳେବର ବୃଦ୍ଧି ପାଇଛି, ଏହାର ମଧ୍ୟ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି ।