jsm

ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣାକୁ ତୀବ୍ର ନିନ୍ଦା : ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କଲା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲା ନୀଲଗିରିର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ସେଠିକାର ପୋଲିସ ମିଥ୍ୟା ମାମଲାରେ ଫସାଇ ନିର୍ଯ୍ୟାତନା ଦେବା ସହିତ ହସ୍‌ପିଟାଲରେ ତାଙ୍କ ଗୋଡରେ ବେଡ଼ି ପକାଇ ରଖାଯିବା ଘଟଣାକୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଆଜି ବଲାଙ୍ଗିର ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ସାମ୍ବାଦିକ ସଂଘ ତରଫରୁ ଏକ ଜରୁରୀ ବୈଠକ ଆୟୋଜିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱ ଓ ସଂପାଦକ ବଳରାମ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଦୀପକ ପୁରୋହିତ, ଗୋପବନ୍ଧୁ ଶତପଥି, ବିଶ୍ୱଜିତ ଦାସ, ବିଭୁକଲ୍ୟାଣ ଗଡତ୍ୟା, ଚିତ୍ତରଂଜନ ମିଶ୍ର, ଘଟେଶ୍ୱର ମିଶ୍ର, ଜ୍ୟୋତ୍ସ୍ନାରାଣୀ ଦାଶ ପ୍ରମୁଖ ପୋଲିସର ବର୍ବରୋଚିତ କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରିଥିଲେ । ପରେ କଳାବ୍ୟାଚ୍‌ ପିନ୍ଧି ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମ୍ମିଳିତ ହୋଇ ପୋଲିସର ଅମାନବୀୟ କାର୍ଯ୍ୟକଳାପ ବିରୁଦ୍ଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ୩ ଦଫ ଦାବୀ ସମ୍ବଳିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ସହାୟକ ଜିଲ୍ଲାପାଳ ଗୁରେଶ୍ୱର ଭୋଇ ପ୍ରଶାସନ ତରଫରୁ ଏହି ଦାବୀପତ୍ରକୁ ଗ୍ରହଣ କରିଥିଲେ । ଦାବୀଗୁଡିକରେ ସାମ୍ବାଦିକ ଲୋକନାଥ ଦଳେଇଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଓ ମାମଲାର ନିରପେକ୍ଷ ତଦନ୍ତ କରାଯିବା, ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନିର୍ଦ୍ଦେଶ କରିଥିବା ଆଇଆଇସିଙ୍କ ବିରୁଦ୍ଧରେ ମାମଲା ରୁଜୁ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଓ ବାଲେଶ୍ୱର ଜିଲ୍ଲାରେ ବ୍ରାଉନ୍‌ସୁଗାର୍‌ ନିଶା ବେପାରୀଙ୍କ ସହିତ ବାଲେଶ୍ୱର ଏସପି ଓ ନୀଳଗିରି ଆଇଆଇସିଙ୍କ ସଂପର୍କ ରହିଥିବା ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରାଯାଇଛି । ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ବଲାଙ୍ଗିର ସାମ୍ବାଦିକ ସଂଘ ତୀବ୍ର ନିନ୍ଦା କରିଛି । ଅନ୍ୟମାନଙ୍କ ମଧ୍ୟରେ ଶିଶିରକାନ୍ତ ଶତେପଥି, ସନ୍ଦୀପ କୁଅଁର, ଚନ୍ଦ୍ରଭାନୁ ମୋଲାନା, ପ୍ରଦୀପ୍ତ ମିଶ୍ର, ନବୀନ ପଶାୟତ, ଦେବାଶିଷ ମିଶ୍ର, ବୀରେନ୍ଦ୍ର ଝାଙ୍କର, ଶରତ ମିଶ୍ର, ସଚିଦାନନ୍ଦ ବଗର୍ତ୍ତି, ସୁବ୍ରତ ନାଏକ, ଟୁକୁ ପଧାନ ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ସାମ୍ବାଦିକମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଠିକ୍‌ ସେହିପରି ଟିଟିଲାଗଡ, କଣ୍ଟାବାଞ୍ଜି, ପାଟଣାଗଡରେ ମଧ୍ୟ ଏହି ଘଟଣାକୁ ନିନ୍ଦା କରାଯାଇ ସାମ୍ବାଦିକମାନେ କଳା ବ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

yuvodaya
Leave A Reply

Your email address will not be published.