ବଲାଙ୍ଗିର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ଆରମ୍ଭ : ଟୀକା ନେଲେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ୍‌ ବରିଷ୍ଠ ଅଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଫ୍ରଣ୍ଟ ଲାଇନ୍‌ ୱାର୍କରମାନଙ୍କ ପଞ୍ଜିକରଣ କରାଯାଇ ଟୀକାକରଣ ପ୍ରକ୍ରିୟାରେ ସାମିଲ୍‌ କରାଯାଇଛି । ଆଜି ବଲାଙ୍ଗିର ସ୍ଥିତ କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ସମେତ ଫ୍ରଣ୍ଟ ଲାଇନ୍‌ ୱାର୍କର ମାନେ ଟୀକା ନେଇଛନ୍ତି । ସେହିପରି ବଲାଙ୍ଗିର ସହର ସ୍ଥିତ ସୁଦପଡ଼ା କଲ୍ୟାଣ ମଣ୍ଡପ ଠାରେ ପିଡ଼ି ଡିଆର୍‌ଡ଼ିଏ ଡ. ମହେଶ୍ୱର ସ୍ୱାଇଁ, ବଲାଙ୍ଗିର ଉପ-ଜିଲ୍ଲାପାଳ ସୁଧାକର ନାୟକଙ୍କ ସମେତ ଫ୍ରଣ୍ଟ ଲାଇନ୍‌ ୱାର୍କରମାନେ ଟୀକା ନେଇଥିଲେ । ବଲାଙ୍ଗିର ଜିଲ୍ଲାରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଟୀକାକରଣ କେନ୍ଦ୍ର କରାଯାଇଛି ଏବଂ ବଲାଙ୍ଗିର ସହରରେ ୪ ଗୋଟି ଟୀକାକରଣ କେନ୍ଦ୍ର ଖୋଲାଯାଇଥିବା ସୂଚନା ରହିଛି । ଏଥିମଧ୍ୟରୁ ଆଜି ୨ ଗୋଟି ଟୀକାକରଣ କେନ୍ଦ୍ରରେ ଟୀକା ପ୍ରଦାନ କରାଯାଇଛି । ଆଜି ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ଟୀକା ନେବା ପାଇଁ ପ୍ରାୟ ୧୭୦୦ ଫ୍ରଣ୍ଟ ଲାଇନ୍‌ ୱାର୍କର ପଂଜିକୃତ ହୋଇଛନ୍ତି । ତନ୍‌ମଧ୍ୟରୁ ପ୍ରାୟ ୩୦୦ ପୋଲିସ କର୍ମଚାରୀ ଅଟନ୍ତି । ଟୀକା ସଂପୂର୍ଣ୍ଣ ନିରାପଦ ତଥା ସୁରକ୍ଷିତ, ତେଣୁ ଯେତେଜଣ ପଂଜିକୃତ ହୋଇଛନ୍ତି କିମ୍ବା ଆଗକୁ ବିଭିନ୍ନ ପର୍ଯ୍ୟାୟରେ ଯାହାଙ୍କୁ ଟୀକା ଦିଆଯିବ, ସେମାନେ ନିର୍ଭୟରେ ଏହି ଟୀକା ନେବା ପାଇଁ ଜିଲ୍ଲାପାଳ ଶ୍ରୀ ରାଣା ଓ ଏସ୍‌ପି ଶ୍ରୀ କୁଶଲକର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.