jayashree

ଟିଟିଲାଗଡ ବ୍ଲକ୍ ଠାରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ଓ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ

  • ଅନଟାଏଡ ପାଣ୍ଠିର ୫ % ଆବଶ୍ୟକ ଯତ୍ନ ଓ ସୁରକ୍ଷା ଶିଶୁଙ୍କ ପାଇଁ ପଞ୍ଚାୟତ ଯୋଜନା ପ୍ରସ୍ତୁତି କରି ଖର୍ଚ୍ଚ କରନ୍ତୁ -ବି ଡି ଓ ।

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟଲାଗଡ ବ୍ଲକ୍‌ର ଆଇସିଡିଏସ୍‌ ସମ୍ମିଳନୀ କକ୍ଷଠାରେ ଅରୁଣା, ଆଇସିଡିଏସ୍‌ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ବଲାଙ୍ଗିରର ଆୟୋଜନ କ୍ରମେ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ କମିଟି, ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ, ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଟିଟିଲାଗଡ ବ୍ଲକ୍‌ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ କହିଲେ ଶିଶୁ ମାନଙ୍କ ଆବଶ୍ୟକ ଯତ୍ନ ଓ ସୁରକ୍ଷା ଜରୁରୀକାଳୀନ ଭିତ୍ତିରେ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିରୁ ଶତକଡା ୫ ପ୍ରତିଶତ ସହ ଅର୍ଥକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ଅବଗତ କରିଥିଲେ । ସିଡିପିଓ ସୁଷମା ପାଢ଼ୀ କହିଲେ ବାଲ୍ୟ ବିବାହ ବନ୍ଦ କରିବା, ବାଲ୍ୟ ବିବାହ ଅଧିକାରୀ ମାନେ ପଞ୍ଚାୟତ ସ୍ତରରେ ବୋର୍ଡ ଲଗାଇବା, ବେଟି ବଚାଓ ବେଟି ପଢ଼ାଓ ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ଵାଗତ ଜଣାଇ କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ଆଇନ୍ ତଥା ବାଲ୍ୟବିବାହ ନିରୋଧ ଆଇନ, ପୋକ୍ସୋ ଆଇନ୍, ଶିଶୁ ଶ୍ରମିକ ନିରୋଧ ଆଇନ, ପିସିପି ଏନ୍‌ଡିଟି ଆଇନ୍ ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ସରପଞ୍ଚ ଓ ଇଓ ମାନଙ୍କର ଭୂମିକା, ଦାୟିତ୍ଵ ଉପରେ ଜଣାଇଥିଲେ । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅନୁସାରେ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ୨୦୨୨ରେ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ଅନ୍‌ଟାଏଡ ପାଣ୍ଠିର ୫ % ଥିମ୍ ୩ରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ, ଅନାଥ ଶିଶୁ, ଏଚ୍‌ଆଇଭି ସଂକ୍ରମିତ ଶିଶୁ, ବାଲ୍ୟ ବିବାହ ଚିହ୍ନଟ, ଦାଦନ ଶ୍ରମିକ ଉଦ୍ଧାର ଶିଶୁ, ଶିଶୁ ଶ୍ରମିକ ପିତୃ ଓ ମାତୃ ହୀନ ଶିଶୁମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଠୀ ଭିତ୍ତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ପ୍ରସ୍ତୁତି କରିବା ପାଇଁ ଏକ ତାଲିମ ପ୍ରଦାନ କରିଥିଲେ । ଚାଇଲ୍ଡ ହେଲ୍ପ ଲାଇନ୍‌ର ସୁଦନ ଖମାରୀ, ଶୁଭମ୍ ଜେନା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁବୋଧ ପଧାନ ଉପସ୍ଥିତ ଥିଲେ । ପରିଶେଷରେ ସୁଷମା ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ତାଲିମକୁ ଶେଷ କରିଥିଲେ ।

Leave A Reply

Your email address will not be published.