ଗୁରୁଣ୍ଡା ଗାଁ ନିକଟରେ ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ସହ ଦାମୀ ମୋବାଇଲ ଲୁଟ, ପୁଲିସର ତନାଘନା ତଦନ୍ତ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାୟପୁର- ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁରୁଣ୍ଡା ଗ୍ରାମ ନିକଟରେ ୪ଜଣ ବାଇକ୍ ଆରୋହୀ ମୁଖାପିନ୍ଧା ଦୁର୍ବୃତ୍ତ ଆତଙ୍କରାଜ ଖେଳାଇ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ସହ ଏକ ଦାମୀ ମୋବାଇଲ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଆଗଲପୁର ଥାନା ରାଜଆଗଲପୁର ଗ୍ରାମର ଟ୍ରକ ଡ୍ରାଇଭର ତଥା ମାଲିକ ଭରତ ମେହେର(୩୦) କନ୍ଧମାଳ ଜିଲ୍ଲା ଗଣ୍ଡାପିପିଲିରୁ ନିଜର ଟ୍ରକ୍ ନଂ (ଓଡ଼ି ୧୫ ଡବ୍ଲ୍ୟୁ ୮୮୭୧)ରେ କପା ବୋଝେଇ କରି ଟିଟିଲାଗଡ଼ ରାସ୍ତାରେ ପାଟଣାଗଡ଼ ପର୍ଯ୍ୟନ୍ତ ଆସୁଥିଲେ । ବଡି ଭୋର ସାଢେ ଚାରିଟା ସମୟରେ ସେ ମୁରିବାହାଲ ଥାନା ଗୁରୁଣ୍ଡା ଗ୍ରାମ ରାସ୍ତା ପାର୍ଶ୍ଵରେ ନିଜ ଟ୍ରକ୍ ଭିତରେ ବିଶ୍ରାମ ନେଇଥିଲେ । ଏହି ସମୟରେ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ୨ଟି ବାଇକରେ ଟ୍ରକ୍ ନିକଟକୁ ଆସି ନିଜକୁ ପୁଲିସ ପରିଚୟ ଦେଇ ଭରତଙ୍କୁ ଡାକିଥିଲେ । ଭରତ ଟ୍ରକ୍ ଗେଟ ଖୋଲିବା ସଙ୍ଗେ ସଙ୍ଗେ ଦୁର୍ବୃତ୍ତମାନେ ତାଙ୍କ ମୁହଁରେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲେ । ଭରତ ଟ୍ରକର ଆରପଟକୁ ଚାଲିଯିବାକୁ ବସିଥିବା ବେଳେ ସେମାନେ ଧରିଥିବା ଭୁଜାଲି ଓ ଅନ୍ୟ ଧାରୁଆ ଅସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ଆକ୍ରମଣ କରି ଭରତ ଧରିଥିବା ନଗଦ ଦେଢ଼ ଲକ୍ଷ ଟଙ୍କା ଓ ଏକ ଦାମୀ ୫ଜି ମୋବାଇଲ ଲୁଟି ନେଇ ଦୃତ ଗତିରେ ବାଇକରେ ବଙ୍ଗୋମୁଣ୍ଡା ପଟକୁ ଫେରାର ହୋଇଯାଇଥିଲେ । ଗୁରୁତର ଭରତ ଏହା ପରେ ସେମାନଙ୍କ ପିଛା କରି ନିକଟସ୍ଥ ବଙ୍ଗୋମୁଣ୍ଡା ଥାନାକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ ଘଟଣାସ୍ଥଳଟି ମୁରିବାହାଲ ଥାନା ଅନ୍ତର୍ଗତ ହୋଇଥିବାରୁ ତାଙ୍କୁ ମୁରିବାହାଲ ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଭରତ ସେଠାରେ ଏକ ଘରୋଇ କ୍ଲିନିକକୁ ଯାଇ ଚିକିତ୍ସିତ ମଧ୍ୟ ହୋଇଥିଲେ । ସକାଳୁ ସେ ମୁରିବାହାଲ ଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଏତଲା ଦେଇଥିଲେ । ଭରତଙ୍କ ଏତଲା ଆଧାରରେ ପୁଲିସ ଥାନା କେସ୍‌ ନଂ ୫୫/୨୦୨୪ରେ ଡକାୟତି ମାମଲା ରୁଜ୍ଜୁ କରି ବିଭିନ୍ନ ଦିଗକୁ ନେଇ ତନାଘନା ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

two + 12 =