jsm

ନକଲି ସାର୍ଟିଫିକେଟ୍‌ ଘଟଣା : ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବହୁ ଚର୍ଚ୍ଚିତ ନକଲି ସାର୍ଟିଫିକେଟ ଘଟଣା ତଦନ୍ତ ଭାର ନେଇଛି କ୍ରାଇମ୍‌ବ୍ରାଞ୍ଚ । ଶନିବାର ଦିନ ବଲାଙ୍ଗିର ପହଞ୍ଚି ଘଟଣାର ସମସ୍ତ ଦିଗ ଉପରେ ସ୍ଥାନୀୟ ପୋଲିସ ସହ ଚର୍ଚ୍ଚା କରିବା ପରେ ଆଜି ସକାଳୁ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ଦଳ ଟାଉନ ଥାନାକୁ ଆସି ଜବତ ସାମଗ୍ରୀକୁ ଯାଞ୍ଚ କରିବା ପରେ ଘଟଣାସ୍ଥଳ କଲେଜଛକ ସ୍ଥିତ ରିଲାଏନ୍ସ କୋଚିଂ ସେଣ୍ଟରକୁ ପହଞ୍ଚି ସର୍‌ଜମିନ୍‌ ତଦନ୍ତ ଆରମ୍ଭ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଡି.ଏସ୍‌. ଚକ୍ରଙ୍କ ନେତୃତ୍ୱରେ ଗତକାଲି ଏକ ପାଞ୍ଚ ଜଣିଆ ଟିମ୍‌ ବଲାଙ୍ଗିର ପହଞ୍ଚିଥିଲା । ପୂର୍ତ୍ତ ବିଭାଗ ଆଇବିରେ ବଲାଙ୍ଗିର ଏସ୍‌ଡିପିଓ, ଟାଉନ୍‌ ଥାନା ଆଇଆଇସି ଓ ଘଟଣାର ଯାଞ୍ଚ କରୁଥିବା ଅନ୍ୟାନ୍ୟ ପୋଲିସ ଅଫିସରମାନଙ୍କ ସହ ପ୍ରାୟ ୧ ଘଣ୍ଟା କାଳ ଘଟଣା ଉପରେ ଚର୍ଚ୍ଚା କରିଥିଲେ । ଘଟଣାର ବିଭିନ୍ନ ଦିଗକୁ ଦୃଷ୍ଟି ଦେବା ସଂଗେ ସଂଗେ ବଲାଙ୍ଗିର ଏସ୍‌ପି ନିତିନ କୁଶଲକରଙ୍କ ମତାମତ ଗ୍ରହଣ କରିଥିଲେ । ଉକ୍ତ ଟିମ୍‌ ଆଜି ସକାଳୁ ଟାଉନ ଥାନା ପହଞ୍ଚିଥିଲେ । ବିଧିବଦ୍ଧ ଭାବେ ଘଟଣାର ତଦନ୍ତ ଭାର ନେବା ପରେ ଜାଲ ସାର୍ଟିଫିକେଟ କେଳେଙ୍କାରୀରେ ଜବତ ହୋଇଥିବା ପ୍ରାୟ ୪୧ଟି ୟୁନିଭର୍‌ସିଟିର ନକଲି ସାର୍ଟିଫିକେଟ, ୩୦ରୁ ଅଧିକ ରବର ଷ୍ଟାମ୍ପ, ଅଭିଯୁକ୍ତଙ୍କ ଦ୍ୱାରା ବ୍ୟବହୃତ ଡାଏରୀ, କମ୍ପ୍ୟୁଟର, ଲାପ୍‌ଟପ୍‌ ଆଦିର ପ୍ରାରମ୍ଭିକ ଯାଞ୍ଚ କରିଥିଲେ । ପରେ ପରେ କ୍ରାଇମ୍‌ବ୍ରାଞ୍ଚ ଦଳ ଜାଲ ସାର୍ଟିଫିକେଟ୍‌ର କାର୍ଯ୍ୟାଳୟ ରିଲାଏନ୍ସ ଏଜୁକେସନ୍‌ କମ୍ପେ୍ଲକ୍ସକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ଡିଏସ୍‌ପି ଶ୍ରୀ ଚକ୍ର ଘଟଣାର ସମସ୍ତ ଦିଗ ଉପରେ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହ ବିଭିନ୍ନ ଟିମ୍‌ ରାଜ୍ୟ ବାହାରକୁ ଯାଇ ଘଟଣାର ଚେର ଖୋଜି ବାହାର କରିିବ ବୋଲି ସାମ୍ବାଦିକମାନଙ୍କୁ କହିଥିଲେ । ତେବେ ତଦନ୍ତର ଦିନ ତମାମ୍‌ ପ୍ରଗତିର ରିପୋର୍ଟ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରଦାନ କରାଯିବା ନେଇ ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.