
ରାଉରକେଲା, (ସସ୍ମିତା ପ୍ରଧାନ) ରାଉରକେଲା ଦିଲ୍ଲୀଠାରେ ଆୟୋଜିତ ନ୍ୟାସନାଲ ପାୱାର ଲିଫ୍ଟିଂ ଡେଡଲିଫ୍ଟ ଚ୍ୟାମ୍ପିୟନସିପ – ୨୦୨୫ ପ୍ରତିଯୋଗୀତାରେ ରାଉରକେଲା ସହରର ରୋହିତ ରାଜ ଭଟ୍ଟ ସ୍ୱର୍ଣ୍ଣ ପଦକ ଲାଭ କରି ଓଡିଶାର ଗୌରବ ଆଣିବା ସହିତ ରାଉରକେଲାର ଗୌରବ ଆଣିଛନ୍ତି । ଏହି ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ଆଜି ବାସନ୍ତୀ କଲୋନୀର ବାସନ୍ତୀ ପାଠାଗାର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ମଇ ୩୦ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ରୋହିଣୀ ୧୯ଠାରେ ଆୟୋଜିତ ଏହି ନ୍ୟାସନାଲ ପାୱାର ଲିଫ୍ଟିଂ ଡେଡଲିଫ୍ଟ ଚାମ୍ପିୟନସିପ୍ – ୨୦୨୫ ଜୁନିୟର ୮୩କେଜି କ୍ୟାଟିଗୋରିରେ ରେକର୍ଡ ସ୍କ୍ବାଡ୍ ସହିତ ୨୧୨.୫କେଜି, ବେଞ୍ଚ ପ୍ରେସ୍ ୧୦୭.୫କେଜି, ଡେଡଲିଫ୍ଟ ୨୫୦କେଜି, ଓଭରାଲ୍ ୫୭୦କେଜି କରି ରୋହିତ ରାଜ ଭଟ୍ଟ (୧୮ ବର୍ଷ) ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ସମ୍ମିଳନୀର ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଏ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱର୍ଣ୍ଣ ପଦକ ବିଜେତା ବାସନ୍ତୀ କଲୋନୀ ଏଏଲ୍-୨୯ରେ ରହୁଥିବା ରୋହିତ୍ ରାଜ ଭଟ୍ଟ, ପିତା ନିରଞ୍ଜନ ଭଟ୍ଟ, ମାତା ରଶ୍ମିତା ଭଟ୍ଟ, ବାସନ୍ତୀ ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲା ବେଳେ କୁଞ୍ଜବିହାରୀ ରାଉତ ମଂଚ ପରିଚାଳନା କରିଥିଲେ ।