
- ଜାତୀୟ ଓ ରାଜ୍ୟ ରାଜନୀତିକୁ ନେଇ ହେଲା ଆଲୋଚନା
- ଆଗାମୀ ଦିନରେ ସଂଗଠନ ସୁଦୃଢ କରିବା ଉପରେ ଗୁରୁତ୍ୱ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପୂର୍ବାହ୍ନ ଘ.୧୦.୩୦ ମି.ସମୟରେ କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ସହ ମାନ୍ୟବର ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସାକ୍ଷାତ କରିଛନ୍ତି । ୧୦ ଜନପଥ ସ୍ଥିତ ଶ୍ରୀମତୀ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ଏହି ସାକ୍ଷାତ ଆଲୋଚନା ଦୀର୍ଘ ଏକ ଘଣ୍ଟା ଧରି ଚାଲିଥିଲା । ବର୍ତ୍ତମାନ ଦେଶର ରାଜନୈତିକ ପରିସ୍ଥିତିରେ ଜନସାଧାରଣ କିପରି ହଇରାଣ ହେଉଛନ୍ତି, କେନ୍ଦ୍ର ସରକାର ରାଜନୈତିକ ଆକ୍ରୋଶ ରଖି କେନ୍ଦ୍ରୀୟ ସଂସ୍ଥା ସିବିଆଇ, ଇଡିକୁ ବ୍ୟବହାର କରି ନିଜର ହୀନ ରାଜନୈତିକ ଉଦ୍ଦେଶ ଚରିତାର୍ଥ କରିବା ଭଳି ସମସ୍ୟା ବିରୁଦ୍ଧରେ କିପରି ଆଗାମୀ ଦିନରେ କଂଗ୍ରେସ ଲଢେଇ କରିବ, ସେ ଉପରେ ଉଭୟରେ ଆଲୋଚନା କରିଥିଲେ । ରାଜ୍ୟ ରାଜନୀତିରେ କିଭଳି ବିଜେପି ବିଜେଡି ଅଘୋଷିତ ମେଣ୍ଟ କରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି, ରାଜ୍ୟର ମୁଲ୍ୟବାନ ଖଣିଜ ସମ୍ପଦକୁ ଲୁଟି ନିଜ ଦଳୀୟ ପାଣ୍ଠି ସଂଗ୍ରହ କରୁଛନ୍ତି, ସେ ସବୁକୁ କିପରି ମୁକାବିଲା କରାଯିବ ତାହାକୁ ନେଇ ଆଲୋଚନା ହୋଇଥିଲା । ତା ସହ ରାଜ୍ୟରେ ଦଳୀୟ ପ୍ରାର୍ଥୀ ଚୟନ ଓ ଆଗାମୀ ଦିନରେ ଦଳ ସାଂଗଠନିକ ସ୍ତରରେ କିପରି ମଜଭୁତ୍ ହୋଇ ଲୋକଙ୍କ ବିଶ୍ୱାସ ଭାଜନ ସହ ଲୋକଙ୍କ ସେବାରେ ନିଜକୁ ଠିକ୍ ଭାବେ ନିୟୋଜିତ କରିପାରିବ ତାହାର ବିସୃତ ଆଲୋଚନା ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଶ୍ରୀମତୀ ଗାନ୍ଧୀଙ୍କ ମଧ୍ୟରେ ହୋଇଥିଲା ।