csstore

ସମାଜସେବୀ ଲଳିତ ନାୟକଙ୍କ ଦ୍ୱାଦଶାହରେ ସର୍ବଧର୍ମ ପ୍ରାର୍ଥନା ଓ ଶ୍ରଦ୍ଧାଂଜଳି ସଭା : କୋଟିଏ ହୃଦୟର ଗୋଟିଏ ନାୟକ ଲଳିଦ ଦା’ ଅମର୍‌ ରହେ ଧ୍ୱନୀରେ ପ୍ରକଂପିତ ହେଲା କୋଶଳ କଳାମଣ୍ଡଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ତଥା ଗରିବ ଖଟିଖିଆଙ୍କ ଚିରସାଥୀ ଲଳିତ ନାୟକଙ୍କ ଦ୍ୱାଦଶାହ ଉପଲକ୍ଷେ ସର୍ବଧର୍ମ ପ୍ରାର୍ଥନା ଓ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଥିବା ବେଳେ କୋଟିଏ ହୃଦୟର ଗୋଟିଏ ନାୟକ ଲଳିଦ ଦା’ ଅମର୍‌ ରହେ ଧ୍ୱନୀରେ ପ୍ରକଂପିତ ହୋଇଛି କୋଶଳ କଳାମଣ୍ଡଳ । ବଲାଙ୍ଗିର ଜିଲ୍ଲା ତଥା ସାରା ଓଡ଼ିଶାର ଲଳିତ ପ୍ରେମୀମାନେ ହଜାର ହଜାର ସଂଖ୍ୟାରେ ଆସି ଆଜି ଯୋଗ ଦେଇଛନ୍ତି ଦ୍ୱାଦଶାହ କାର୍ଯ୍ୟକ୍ରମରେ । ସହରର ବିଭିନ୍ନ ସାଂସ୍କୃତିକ, ସାମାଜିକ ସଂଗଠନମାନେ ସାମୁହିକ ଭାବେ ପାଳନ କରିଥିବା ଦ୍ୱାଦଶାହ କାର୍ଯ୍ୟକ୍ରମରେ ବିଶିଷ୍ଟ କଂଠଶିଳ୍ପୀ ବୁବୁ ଉଦ୍‌ଗାତା ସ୍ୱର୍ଗତ ନାୟକଙ୍କ ସ୍ମୃତିରେ ‘ନା ଚିଠି ନା ସନ୍ଦେଶ….’ ଗୀତ ପରିବେଷଣ କରିଥିବା ବେଳେ ମନ୍ତ୍ରମୁଗ୍ଧ ହୋଇ ଉଠିଥିଲେ ଉପସ୍ଥିତ ସହସ୍ରାଧିକ ଲଳିତପ୍ରେମୀ । ସମ୍ବାଦର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଶ୍ରଦ୍ଧାଂଜଳି ସଭାରେ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, କଂଟାମାଳ ବିଧାୟକ ମହୀଧର ରଣା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଡ. ବେଣୁଧର ପାଣ୍ଡେ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରି ତାଙ୍କ ସ୍ମୃତିଚାରଣ କରିଥିବା ବେଳେ ତାଙ୍କର ଅପୂର୍ବ ସମାଜସେବା ଜନସମାଜରେ ଚିର ଦିନ ପାଇଁ ବଂଚି ରହିବ ବୋଲି ମତପ୍ରକାଶ କରିଥିଲେ । ସ୍ୱର୍ଗତ ଲଳିତ ନାୟକଙ୍କ ପ୍ରେରଣା ବଲାଙ୍ଗିର ମାଟିର ପ୍ରତ୍ୟେକ ଯୁବକଙ୍କ ମଧ୍ୟରେ ସମାଜସେବା ପ୍ରତି ସ୍ୱତଃ ଜାଗରଣ ସୃଷ୍ଟି କରୁବୋଲି ସମସ୍ତେ କାମନା କରିଥିଲେ । ତେବେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ମତପ୍ରକାଶ ପାଇଥିବା ବେଳେ ସମାଜସେବା ପାଇଁ ସମାଜସେବୀ ଲଳିତଙ୍କ ନାମରେ ଟ୍ରଷ୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ଉପସ୍ଥିତ ଲଳିତପ୍ରେମୀମାନେ ପ୍ରସ୍ତାବ ଦେଇଥିଲେ । ଶଶୀଭୂଷଣ ପୁରୋହିତ, ବିକ୍ରମାନନ୍ଦ ବହିଦାର, ବ୍ରହ୍ମାନନ୍ଦ ମେହେର, ସୋମନାଥ ଆଚାର୍ଯ୍ୟ, ସୁଧୀର ପଣ୍ଡା, ମନୋରଂଜନ ଯୋଶୀ, ହରିନାରାୟଣ ପୂଜାରୀ, ଶତୃଘ୍ନ ସିଂହ, ବିଧୁଭୂଷଣ ତ୍ରିପାଠୀ, ସରସ୍ୱତୀ ନନ୍ଦ ତଥା ଆହୁରି ଅନେକ ସ୍ୱର୍ଗତ ଲଳିତଙ୍କୁ ଭଲ ପାଉଥିବା ବ୍ୟକ୍ତିବିଶେଷ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପାଖାପାଖି ୫ ହଜାର ଲଳିତ ପ୍ରେମୀ ଏହି ଶ୍ରଦ୍ଧାଂଜଳି ସଭାରେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.