
ବଲାଙ୍ଗିର, (କେପିଏନ୍ଏସ୍) : ଜନସେବା ଓ ସାମାଜିକ କଲ୍ୟାଣ ଉଦ୍ଦେଶ୍ୟରେ ସହଯୋଗ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗିର ଏସ୍ପି କାର୍ଯ୍ୟଳୟ ସମ୍ମୁଖରେ ଅବସ୍ଥିତ ‘ଶୀତଳ ଧାରା’ ଶୀତଳ ପାନୀୟ ଜଳ କେନ୍ଦ୍ରର ପୁନଃ ଶୁଭାରମ୍ଭ କରାଯାଇଛି । ଏହି ସେବା ମାଧ୍ୟମରେ ସ୍ଥାନୀୟ ବାସିନ୍ଦା, ଯାତ୍ରୀ ଓ ପଥଚାରୀମାନଙ୍କୁ ବର୍ଷସାରା ୨୪ ଘଣ୍ଟା ସୁରକ୍ଷିତ ଏବଂ ଶୀତଳ ପାନୀୟ ଜଳ ଯୋଗାଇ ଦିଆଯିବ । ଏହି ସେବାର ଉଦ୍ଘାଟନ ବଲାଙ୍ଗିରର ଅତିରିକ୍ତ ପୁଲିସ ଅଧୀକ୍ଷକ ଅମୃତ କୁମାର ପଣ୍ଡା କରିଥିଲେ । ଏହି ଅବସରରେ ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ, ଇନ୍ସପେକ୍ଟର ସୁଭାଷ ଚନ୍ଦ୍ର ରାୟଗୁରୁ, ସହଯୋଗ ଫାଉଣ୍ଡେସନର ସଦସ୍ୟବୃନ୍ଦ, ବିଶିଷ୍ଟ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଅବସରରେ ଫାଉଣ୍ଡେସନର ସଦସ୍ୟମାନେ ସମାଜସେବା ପ୍ରତି ନିଜମାନଙ୍କର ଅଙ୍ଗୀକାରକୁ ପୁନଃଉଚ୍ଚାରଣ କରିବା ସହିତ ଗ୍ରୀଷ୍ମ ପ୍ରବାହ ସମୟରେ ଏହି ସେବା ସାଧାରଣ ଲୋକଙ୍କ ପାଇଁ ବିଶେଷ ଉପକାରୀ ସାବ୍ୟସ୍ତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ମିଠା ଓ ଛାଛ ବଣ୍ଟନ କରାଯାଇଥିଲା । ଫାଉଣ୍ଡେସନ ପକ୍ଷରୁ ସମସ୍ତ ଅତିଥି ଓ ସହଯୋଗୀମାନଙ୍କୁ ସେମାନଙ୍କର ମୂଲ୍ୟବାନ ସମୟ ଏବଂ ସହଯୋଗ ପାଇଁ କୃତଜ୍ଞତା ଜଣାଯାଇଥିଲା । କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ଏବଂ କୋଶଳ ପ୍ରବାହର ସମ୍ପାଦକ ଆନନ୍ଦ ସାହୁ, କନକ ଟିଭିର ବଲାଙ୍ଗିର ବ୍ୟୁରୋ ପ୍ରମୁଖ ଚନ୍ଦ୍ରଭାନୁ ମୌଳା ଏବଂ ନନ୍ଦୀଘୋଷ ଟିଭିର ବ୍ୟୁରୋ ମୁଖ୍ୟ ଦୀପକ ପୁରୋହିତ ଉପସ୍ଥିତ ଥିଲେ । ଏହାଛଡ଼ା ଅନ୍ୟାନ୍ୟ ସାମ୍ବାଦିକମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଜନହିତକର ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଧରିତ୍ରୀ ପତ୍ରିକାର ବୀରେନ୍ଦ୍ର ଖାକର ଏବଂ ଉତ୍କଳ ମେଲ୍ ପବନ ବଂଶଲ ମଧ୍ୟ ଉପସ୍ଥିତ ଥିଲେ । ସ୍ୱର୍ଗତ ରାଧେଶ୍ୟାମ ଅଗ୍ରୱାଲ ଓ ସ୍ୱର୍ଗତା ଶ୍ରୀମତୀ ପାର୍ବତୀ ଦେବୀ ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପରିବାର ପକ୍ଷରୁ ଅଭିନାଶ ଅଗ୍ରୱାଲ ଓ ଅଙ୍କିତ ଅଗ୍ରୱାଲ ‘ଶୀତଳ ଧାରା’ର ସ୍ଥାପନା କରି ସମାଜସେବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୋପାଳ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ଅରୁଣ ଅଗ୍ରୱାଲ ଓ ଲୋକନାଥ ମିଶ୍ରଙ୍କ ସହିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବର୍ଗଙ୍କ ଉଲ୍ଲେଖନୀୟ ସହଯୋଗ ରହିଥିଲା । ସହଯୋଗ ଫାଉଣ୍ଡେସନର ଏହି ପଦକ୍ଷେପ କେବଳ ସାଧାରଣ ଲୋକଙ୍କୁ ଉପକୃତ କରିବ ନୁହେଁ ବରଂ ସାମାଜିକ ଦାୟିତ୍ୱବୋଧ ଓ ଜନସେବାର ଭାବନାକୁ ଆହୁରି ସୁଦୃଢ଼ କରିବ ।