ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟ ମହ୍ଲାର, ରାଉରକେଲା ଆୟୋଜନରେ ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ସୁଶ୍ରୀ ବର୍ଷାରାଣୀ ପଣ୍ଡାଙ୍କ ଆବାହକତ୍ଵରେ ଗବେଷକ ତଥା ସ୍ୱର୍ଣ୍ଣପଦକ ପ୍ରାପ୍ତ ଉସ୍ତାଦ ବିସ୍ମିଲ୍ଲା ଖାଁ ପୁରସ୍କାରରେ ସମ୍ମାନିତ କଳାକାର ସର୍ବେଶ୍ୱର ଭୋଇ ବିଶେଷ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ସନ୍ଧ୍ୟା ଅଧିବେଶନରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଖ୍ୟାତନାମା ନୃତ୍ୟ ସଂସ୍ଥା ଓ କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ପ୍ରଦର୍ଶନ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ଅନିଲ କୁମାର ମଲ୍ଲିକ ଓ ସୁଶ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ସଂଯୋଜନାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ନନ୍ଦିନୀ ମୁଣ୍ଡାରି ଓ ଖ୍ୟାତନାମା ନାଟ୍ୟ ଅଭିନେତା ନିର୍ଦ୍ଦେଶକ ଡ. ସମର ମୁଦାଲି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ଗୁରୁ ଡ. ମନୋରଞ୍ଜନ ପ୍ରଧାନଙ୍କୁ ଶାସ୍ତ୍ରୀୟ କୀର୍ତ୍ତି ସମ୍ମାନ, ସର୍ବେଶ୍ଵର ଭୋଇଙ୍କୁ ଲୋକକଳା ସମ୍ମାନ ଓ ଶୁଭଶ୍ରୀ ଦାସଙ୍କୁ ଯୁବ କୀର୍ତ୍ତି ସମ୍ମାନ ପ୍ରଦାନ କରାଯାଇଥିଲା । ଅତିଥି ମାନଙ୍କ ଦ୍ଵାରା ସ୍ମାରକ ପତ୍ରିକା ‘ଶିଖର’ ଉନ୍ମୋଚନ କରାଯାଇଥିଲା । ସମାପନୀ ଅଭିଭାଷଣରେ ସୁଶ୍ରୀ ବର୍ଷାରାଣୀ ପଣ୍ଡା, ନୃତ୍ୟ ମହ୍ଲାରର ଅଧ୍ୟକ୍ଷା, ସମସ୍ତ ଅତିଥି, କଳାକାର, ଅଂଶଗ୍ରହଣକାରୀ, ଅଭିଭାବକ ଓ ଦର୍ଶକମାନଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ । ଏହି ମହୋତ୍ସବର ସଫଳ ଆୟୋଜନରେ ସଂସ୍ଥାର ସଚିବ ଅମନ ଶ୍ରୀବାସ୍ତବ ଭୁୟାଁଙ୍କ ସହ ଶିବାଶିଷ ପାତ୍ର, ଶୁଭା ପ୍ରିୟଦର୍ଶିନୀ ପୁରୀ, ସୁଭାଙ୍ଗୀ ପାତ୍ର, ରାଜଲକ୍ଷ୍ମୀ ଦାସ, ସ୍ନେହାଞ୍ଜଳି ପଣ୍ଡା ଓ ସଂସ୍ଥାର ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post