csstore

ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରର ମରାମତି କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର : ଜିଲ୍ଲାର ୭୬୮ଟି ଓ ୧୬ଟି ମଠ ପାଇଁ ସୁପାରିଶ ହୋଇନାହିଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ପ୍ରସିଦ୍ଧ ମା’ ସମଲେଶ୍ୱରୀ ମନ୍ଦିରର ମରାମତି କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କା ଦେବୋତ୍ତର ଆୟୁକ୍ତ ମଞ୍ଜୁର କରିଥିବା ତଥା ବିଧାନସଭାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଲିଖିତ ଉତ୍ତରରୁ ଜଣାପଡିଛି । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କର ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ବଲାଙ୍ଗିର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ୱାରା ମନ୍ଦିର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପାଇଁ କରାଯାଇଥିବା ୧୦ଲକ୍ଷ ଟଙ୍କାର ସୁପାରିଶକୁ ଦେବୋତ୍ତର ଆୟୁକ୍ତ ମଞ୍ଜୁର କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଅଦ୍ୟାବଧି ୭୬୮ଟି ମନ୍ଦିର ଓ ୧୬ ଗୋଟି ମଠ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳନା ହେଉଛି । ଏହି ମନ୍ଦିର ଓ ମଠ ଗୁଡିକର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର କରିବା ପାଇଁ ବଲାଙ୍ଗିର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନଥିବା କଥା ମଧ୍ୟ ମନ୍ତ୍ରୀ ଜେନାଙ୍କ ଉତ୍ତରରେ ରହିଛି । ଏହି ତଥ୍ୟ ଜଣାପଡିବା ପରେ ବଲାଙ୍ଗିର ଦେବାଳୟ ଓ ପବିତ୍ର ପୀଠ ସୁରକ୍ଷା କମିଟି ପ୍ରତିକ୍ରିୟା ପ୍ରକାଶ କରିଛି । ଭବ୍ୟ ସମଲେଶ୍ୱରୀ ମନ୍ଦିରର ପୁନରୁଦ୍ଧାର ଓ ନବ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ସମୁଦ୍ରକୁ ଶଙ୍ଖେ ବୋଲି କମିଟି ପ୍ରକାଶ କରିବା ସଙ୍ଗେ ଜିଲ୍ଲାର ଅନ୍ୟ ସମସ୍ତ ଦେବାଳୟ ଓ ପୁରାତନ ମଠ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ପ୍ରଶାସନ ଏସବୁର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସୁପାରିଶ ପତ୍ର ପଠାଇ ନ ଥିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କୁହାଯାଇଛି । ମନ୍ଦିରଗୁଡିକ ଭୂଷୁଡି ପଡିବା ପରେ ମରାମତି ପାଇଁ ସୁପାରିଶ କରିବା ଜିଲ୍ଲାବାସୀଙ୍କ ଧାର୍ମିକ ଓ ସାଂସ୍କୃତିକ ଭାବନା ପ୍ରତି ଶକ୍ତ ଆଘାତ ବୋଲି କମିଟି କହିଛି । କମିଟିର ଶୁଭମ ଅଗ୍ରୱାଲ, ଅଙ୍କୁଶ ପାଣ୍ଡିଆ, କାହ୍ନା ଶତପଥୀ, ପ୍ରଶାନ୍ତ ମହାକୁର, ବିନୋଦ କାଲସାଏ, ବିକାଶ ସା, ଅଭିଷେକ ଦାଶ, ସଂଜୟ ସାହୁ କମିଟି ନିଷ୍ପତ୍ତି କ୍ରମେ ଏହି ସପ୍ତାହ ମଧ୍ୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଏହି ବିବୃତ୍ତି ରେ କହିଛନ୍ତି ।

jayashree
Leave A Reply

Your email address will not be published.