pakka

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

  • ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା

କଳାହାଣ୍ଡି, (ପି.କେ. ସାହୁ) : ଆଜି ଭବାନୀପାଟଣା ଟାଉନ୍ ହଲଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ କୋଭିଡ ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିଷ୍ଠାର ସହ କାର୍ଯ୍ୟ, ଟୀକାକରଣ, ଶିଶୁ ମୃତ୍ୟୁହାରକୁ ରୋକିବା, ଗର୍ଭବତୀ ମା’ମାନଙ୍କୁ ସମୟ ଅନୁସାରେ ଟୀକା ଓ ଔଷଧ ଦେବା, ମ୍ୟାଲେରିଆ ଓ ଫାଇଲେରିଆର ଔଷଧ ବଣ୍ଟନ ସହ ଅନିମିଆ ମୁକ୍ତ କଳାହାଣ୍ଡିରେ ଏକ ବିଶେଷ ଦାୟିତ୍ଵ ନେଇଛନ୍ତି ବୋଲି କହିଥିଲେ । ଗର୍ଭବତୀ ମା’ମାନେ ଯେଭଳି ସ୍ୱାସ୍ଥ୍ୟକେନ୍ଦ୍ରରେ ହିଁ ପ୍ରସବ କରନ୍ତୁ ଏବଂ ଏହା ଶତ ପ୍ରତିଶତ ହାସଲ ହେଉ ବୋଲି ଏହା ସେ ଆଶା କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ମଞ୍ଚାସିନ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସି.ଡ଼ି.ଏମ୍.ଓ ଡ଼ଃ ରଞ୍ଜନ ମିତ୍ର, ଡି.ପି.ଏଚ.ଓ ଡ଼ଃ ରାକେଶ ସାହୁ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ଏଡିପିଏଚ୍‌ଓ ଡ. ନିହାରେନ୍ଦ୍ର ପଣ୍ଡା ଏବଂ ଡି.ଆଇ.ପି.ଆର୍.ଓ ମନୋଜ କୁମାର ବେହେରା ତଥା ଡି ପି ଏମ୍.ଏନ୍.ଏଚ.ଏମ୍ ଅବନୀ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଡିପିଏମ୍‌ଏନ୍‌ଏଚ୍‌ଏମ୍ ପ୍ରଥମେ ଏହି ସମ୍ମିଳନୀର ଉଦ୍ଦେଶ୍ୟ ଓ ଆଶା, ଗାଆଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତାଙ୍କୁ ପ୍ରୋତ୍ସାହନ ଉପରେ ସମ୍ୟକ ସୂଚନା ଦେଇଥିଲେ । ମୁଖ୍ୟବକ୍ତା ଉମାଶଙ୍କର କର ନିଜ ବକ୍ତବ୍ୟରେ ଆଶା ମା’, ଅଙ୍ଗନୱାଡ଼ି ଦିଦି ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରି ସେମାନଙ୍କ ପାଇଁ ବହୁ ଜୀବନ ରକ୍ଷା ପାଇଛନ୍ତି ଏବଂ ନିଷ୍ଠାର ସହ ସେବା କରିବାକୁ ମତ ରଖିଥିଲେ । ସଭାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏମ୍.ଆଇ.ଏସ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କଲମପୁର ବ୍ଲକର ମିନିଗୁର୍, କେସିଙ୍ଗା ବ୍ଲକ୍‌ର ଲଇତରା ଏବଂ କଲମପୁର ବଡ଼କୁଟୃ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଯଥା କ୍ରମେ ୪୦ ହଜାର ଟଙ୍କା, ୨୦ ହଜାର ଟଙ୍କା ଓ ୧୦ ହଜାର ଟଙ୍କା ରାଶି ପୁରସ୍କାର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସାର୍ଟିଫିକେଟ୍ ଓ ଟ୍ରଫି ପ୍ରଦାନ କରିଥିଲେ । ସେଭଳି ଏମ୍.ଆଇ.ଏସ କ୍ୟାମ୍ପେନରେ କେସିଙ୍ଗା, ମ.ରାମପୁର, ଭବାନୀପାଟଣା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଗ୍ରହଣ କରିଥିଲେ । ପରିବାର ନିୟନ୍ତ୍ରଣରେ ଉଲ୍ଲେଖନୀୟ କାର୍ଯ୍ୟ ହେତୁ ଡ଼ଃ ସଦାନନ୍ଦ ପାଣିଗ୍ରାହୀ, ସର୍ଜରୀ କ୍ଷେତ୍ରରେ ଡ଼ଃ ଭଗବାନ୍ ପଣ୍ଡା, ଉତ୍ତମ ସ୍ୱାସ୍ଥ୍ୟ କର୍ମୀ ଭାବେ ମାଲିଗୁଡା ସ୍ବାସ୍ଥ୍ୟକେନ୍ଦ୍ରର ଡ଼ଃ ଅଜିତ୍ ରାଉତ, ମନିକେରା ସ୍ବାସ୍ଥ୍ୟ କେନ୍ଦ୍ରର ରବିଚନ୍ଦ୍ର ଧରୁଆ, ବର୍ଚି ଗ୍ରାମ, କଲମପୁର ସି.ଏଚ.ସି କସ୍ତୁରୀ ଛତ୍ରିଆ, ଉଳିକୁପାର ବାଲମତି ଶବର, ଘୋଡାବନ୍ଧର ଲାଲ୍ ଦେଈ ଦାସ ପ୍ରମୁଖ ପୁରସ୍କାର ଓ ସାର୍ଟିଫିକେଟ ଗ୍ରହଣ କରିଥିଲେ । ମହିଳା ଆରୋଗ୍ୟ ସମିତି (ସହରାଞ୍ଚଳ ବସ୍ତି)ରେ ଭବାନୀପାଟଣା ମ୍ୟୁନିସିପାଲଟି ଅନ୍ତର୍ଗତ ୧୯ଟି ୱାର୍ଡ ଦାୟିତ୍ଵରେ ଥିବା ଏନ୍.ଏ.ଏମ୍‌ଙ୍କୁ ୩୦୦୦ ଟଙ୍କା ରାଶି ପୁରସ୍କାର ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଗାଁ କଲ୍ୟାଣ ସମିତି ଅନ୍ତର୍ଗତ ସୁସ୍ଥ ଗାଁ ପୁରସ୍କାର ଭାବେ କେସିଙ୍ଗାର ବେଲାମାଲ୍, ଲାଞ୍ଜିଗଡ଼ର ମହେଶ୍ୱରପୁର, ଏମ୍. ରାମପୁରର ଦେଉଳିଶୁଲିଆ, ଭବାନୀପାଟଣାର କରା ଟିକିଲି, ଜୁନାଗଡ଼ର ବନିମୋରା, ଥୁଆମୂଲ ରାମପୁରର ଶ୍ରିମସ୍କା, ପରର୍ଲାର ବୋକ୍ରାକୋଟା, କଲମପୁରର ଟେମରା, ଗୋଲାମୁଣ୍ଡାର ଲକୁର୍ ଭଟା, ନର୍ଲାର ଶ୍ରୀପୁର, ଜୟପାଟଣାର ଗୁନଗୁନିଆ, କର୍ଲାମୁଣ୍ଡାର ସିଲେଟପଡ଼ା ଗାଁ କଲ୍ୟାଣ ସମିତିର ପ୍ରତ୍ୟେକେ ୧୦ ହଜାର ଟଙ୍କା ସହ ସାର୍ଟିଫିକେଟ ଗ୍ରହଣ କରିଥିଲେ । ସେଭଳି ଜିଲ୍ଲାସ୍ତରୀୟ ଆଶା ପୁରସ୍କାର ରୂପେ ଏମ୍. ରାମପୁର ଓ କଲମପୁରର ଲବଣୀ ସାହୁ ଏବଂ କସ୍ତୁରୀ ଛତ୍ରିଆ ପ୍ରଥମ, କର୍ଲମୁଣ୍ଡାର ନମିତା ସାହୁ ଦ୍ଵିତୀୟ ଏବଂ ଲାଞ୍ଜିଗଡ଼ର ପଙ୍କଜିନି ବଣୁଆ ତୃତୀୟ ରୂପେ ପୁରସ୍କାର ଲାଭ କରିଥିଲେ । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସାଂସ୍କୃତିକ ଦଳ, ଦିଲେଶ୍ୱର୍ ରଣା ରଚିତ ‘ସେରରା’ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା । ସେଭଳି ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସଭାକୁ ଆସିଷ୍ଟାଣ୍ଟ. ମ୍ୟାନେଜର ଏନ୍ ସି ଡ଼ି ଶ୍ରୀମତୀ ମିନାକ୍ଷୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

17 − six =