
- ବି.କେ. କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସରେ ଅଧ୍ୟୟନ କରି ମୟୂରଭଞ୍ଜ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ
ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ଯୁବ ଚିତ୍ରଶିଳ୍ପୀ ତଥା ବାଲୁକା ଶିଳ୍ପୀ ଜାଗୃତି ପାଟବନ୍ଧାଙ୍କୁ ଆଜି ବାରିପଦାସ୍ଥିତ ସୃଷ୍ଟି କଳା କେନ୍ଦ୍ର ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ମୟୂରଭଞ୍ଜ ଆର୍ଟିଷ୍ଟ ଆସୋସିଏସନ ଦି ଆର୍ଟ ୱେଭ ଏବଂ ସୃଷ୍ଟି କଳା କେନ୍ଦ୍ର, ବାରିପଦାର ମିଳିତ ଆନୁକୂଲ୍ୟରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଶିର୍ଷା ଗ୍ରାମର ଜାଗୃତି ପାଟବନ୍ଧା ରବୀନ୍ଦ୍ର ନାଥ ପାଟବନ୍ଧା ଓ ଅହଲ୍ୟା ପାଟବନ୍ଧାଙ୍କ କନ୍ୟା । କଳା ପ୍ରତି ତାଙ୍କର ଆଗ୍ରହ, ନିଷ୍ଠା ଓ ସୃଜନଶୀଳତା ତାଙ୍କୁ ଏକ ନୂତନ ଦିଗ ଦେଇଛି । ନିଜର କଳାତ୍ମକ ପ୍ରତିଭାକୁ ଆହୁରି ବିକଶିତ କରିବା ସହ ଭବିଷ୍ୟତରେ ମୟୂରଭଞ୍ଜ ଜିଲ୍ଲାର ଗୌରବ ବୃଦ୍ଧି କରିବା ଲକ୍ଷ୍ୟରେ ସେ ଭୁବନେଶ୍ୱରସ୍ଥିତ ବି. କେ. କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସରେ ଅଧ୍ୟୟନ କରିବାର ସୁଯୋଗ ପାଇଛନ୍ତି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ ଏବଂ ଚିତ୍ରଶିଳ୍ପୀ ତଥା ବାରିପଦାସ୍ଥିତ ସୃଷ୍ଟି କଳା କେନ୍ଦ୍ରର ପ୍ରତିଷ୍ଠାତା ନିବେଦିତା ମହାନ୍ତଙ୍କ ମାର୍ଗଦର୍ଶନରେ ଜାଗୃତି ନିଜର କଳାତ୍ମକ ଯାତ୍ରାକୁ ଆଗକୁ ବଢ଼ାଉଛନ୍ତି । ସମ୍ବର୍ଦ୍ଧନା ଅବସରରେ ମୟୂରଭଞ୍ଜ ଆର୍ଟିଷ୍ଟ ଆସୋସିଏସନ ଦି ଆର୍ଟ ୱେବର ସମ୍ପାଦକ ଶିଳ୍ପୀ ଜିତେନ୍ଦ୍ର ହେମ୍ବ୍ରମ ତାଙ୍କୁ ଜୀବନରେ ଉଚ୍ଚ ସଫଳତା ହାସଲ କରିବାକୁ ଉତ୍ସାହିତ କରିଥିଲେ । ଜାଗୃତିଙ୍କ ଏହି ସଫଳତା ଜିଲ୍ଲାର ଅନ୍ୟ ଯୁବ କଳାକାର ମାନଙ୍କୁ ମଧ୍ୟ ନିଜ ପ୍ରତିଭାର ବିକାଶ ପାଇଁ ପ୍ରେରଣା ଯୋଗାଇବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।