
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗିର ବନଖଣ୍ଡ ସମ୍ମିଳନୀ କକ୍ଷରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା । ବଲାଙ୍ଗିର ବନଖଣ୍ଡ ଓ ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ବଲାଙ୍ଗିର ସୌଜନ୍ୟରେ ଆୟୋଜିତ ସଭାରେ ପ୍ରକୃତିରୁ ଅନୁପ୍ରାଣିତ ଜଳବାୟୁ ଆମ ଭବିଷ୍ୟତ ପାଇଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ସମଗ୍ର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଅନୁଷ୍ଠାନ ଓ ପ୍ରକୃତି ପ୍ରେମୀଙ୍କୁ ପ୍ରକୃତିମିତ୍ର ଓ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା ସଭାରେ ଡିଏଫଓ ଅଜିତ ବିଶିଙ୍କ ସଭାପତିତ୍ୱରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶାଲୱ।ର ମୁଖ୍ୟ ଅତିଥି, ରସରାଜ ଅଚ୍ୟୁତ ପୁରୋହିତ ମୁଖ୍ୟବକ୍ତା, ଅତିରିକ୍ତ ଆରକ୍ଷୀ ଅଧିକାରୀ ଜିଏନ ମଲ୍ଲିକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କବି ଅର୍ଜୁନ ସାହୁ ସଭା ପରିଚାଳନା କରିଥିଲେ । ଏହି ଅବସରରେ ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ତୁରେକେଲା ବ୍ଲକ ପାଇଁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ ପୂର୍ବକ ପ୍ରମାଣପତ୍ର ଓ ଦଶହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି ଶ୍ରୀ ଦାଶ ସଦାସର୍ବଦା ସମାଜରେ ସମାଜସେବା କରିବା ସହିତ ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ବନାଗ୍ନି ରୋକିବା, ପ୍ଳାଷ୍ଟିକ ବର୍ଜନ, ରକ୍ତ ଦାନ ଶିବିର ଆୟୋଜନ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ନିଶାନିବାରଣ, ବାଲ୍ୟବିବାହ ରୋକିବା ଦିଗରେ ଦୀର୍ଘ ଦଶନ୍ଧି ଧରି କାମ କରିଆସୁଛନ୍ତି । ଶ୍ରୀ ଦାଶ ବୃତ୍ତିରେ ଜଣେ ଶିକ୍ଷକ ତେଣୁ ବିଦ୍ୟାଳୟ ମାନଙ୍କରେ ଶିଶୁ ଟିଏ ଗଛଟିଏ ଉପରେ କାମ କରିବା ସହିତ ନିର୍ଝରିଣୀ ଅନୁଷ୍ଠାନ ପକ୍ଷରୁ ମମତାର ଡୋରି ଶିଶୁ ପତ୍ରିକା ପ୍ରକାଶିତ କରି ଲେଖନୀ ଚାଳନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରୁଛନ୍ତି । ପୂର୍ବରୁ ଶ୍ରୀ ଦାଶ ମାଝୀପଡା ପ୍ରାଥମିକ ବିଦ୍ୟାଳୟ, ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମୟରେ ପ୍ରକୃତିମିତ୍ର ଓ ପ୍ରକୃତିବନ୍ଧୁ ପାଇଛନ୍ତି । କରୋନା ସମୟରେ ତାଙ୍କର ସେବା ଅତୁଳନୀୟ ଥିଲା । ତାଙ୍କୁ ପୁନର୍ବାର ପ୍ରକୃତିବନ୍ଧୁ ପୁରସ୍କାର ମିଳିଥିବାରୁ ସମାଜସେବୀ, ବିଭିନ୍ନ ଅନୁଷ୍ଠାନ ସହିତ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।