jayashree

ପ୍ରେସ ବିବୃତ୍ତିରେ ନରସିଂହ କହିଲେ, ଉଲ୍‌ଟା ଚୋର୍‌ କୋତ୍‌ୱାଲ୍‌ କୋ ଡାଁଟେ

  • ଲକ୍ଷ୍ମୀଯୋରକୁ ନେଇ ପୁଣି ତେଜିଲା ରାଜନୀତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲକ୍ଷ୍ମୀଯୋରକୁ ନେଇ ପୁଣି ରାଜନୀତି ଜୋର ଧରିଛି । ଏହି ଯୋର ତଥା ଅଂଚଳର ବିଭିନ୍ନ ପ୍ରକଳ୍ପରେ ଠିକାଦାର ପୋଷଣ ଓ ଦୁର୍ନୀତି ହୋଇଥିବା ନେଇ ବିଧାୟକ କଳିକେଶ ମନ୍ତବ୍ୟ ଦେବା ପରେ ପୂର୍ବତନ ବିଧାୟକ ନରସିଂହ ଏହି ବିଷୟରେ ପ୍ରତିକ୍ରିୟା ରଖି ଏହା ଉଲ୍‌ଟା ଚୋର୍‌ କୋତ୍‌ୱାଲ୍‌ କୋ ଡାଁଟେ ସଦୃଶ ବୋଲି ପ୍ରେସ ବିବୃତ୍ତି ମାଧ୍ୟମରେ କହିଛନ୍ତି । ସେ ତାଙ୍କର ବିବୃତ୍ତିରେ ଆହୁରି କହିଛନ୍ତି ଯେ, ୨୦୧୪ରୁ ୨୦୨୩ ଏହି ୧୦ ବର୍ଷ ବଲାଙ୍ଗିରର ବିକାଶ ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ । ଯଦି ଆମେ ଆଣିଥିବା ବିଭିନ୍ନ ପ୍ରକଳ୍ପ ଯଥା ମହାରାଣୀ ସାଗର ସୌନ୍ଦର୍ଯ୍ୟିକରଣ ପ୍ରକଳ୍ପ, ଲକ୍ଷ୍ମୀଯୋର ସୌନ୍ଦର୍ଯ୍ୟିକରଣ, ଅଡିଟରିୟମ ଏବଂ ୧୬ ବନ୍ଧର ସୌନ୍ଦର୍ଯ୍ୟିକରଣ ପ୍ରକଳ୍ପକୁ ବିଜେଡି ସ୍ଥାନୀୟ ନେତା ତଥା ବିଜେଡି ସରକାର ଷଡଯନ୍ତ୍ର କରି ବାଧା ଦେଇ ନ ଥାନ୍ତେ ତେବେ ବଲାଙ୍ଗିର ବର୍ତ୍ତମାନ ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇଥାନ୍ତା । ଲକ୍ଷ୍ମୀଯୋର ପ୍ରକଳ୍ପ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅନୁଦାନରୁ ଆରମ୍ଭ ହୋଇଥିଲା । ପ୍ରକଳ୍ପ ଆରମ୍ଭରୁ ସମସ୍ତ ଇଂଜିନିୟରମାନଙ୍କୁ ଏହି ରାଜପରିବାରର ବିଜେଡି ନେତାମାନେ ଅନ୍ୟତ୍ର ଟ୍ରାନ୍ସଫର କରିଦେଇ ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି କରିଥିଲେ । କେବଳ ସେତିକି ନୁହେଁ ସେ ସମୟର ତୃତୀୟ ମହଲା ଦ୍ୱାରା ଚାପ ପକାଇ ଲକ୍ଷ୍ମୀଯୋର ପ୍ରକଳ୍ପ କାମକୁ ପ୍ରବଳ ବାଧା ଦେଇ ଅସମ୍ପୂର୍ଣ୍ଣ କରିଦେଲେ । ଆହୁରି ମଧ୍ୟ ତାଙ୍କ ଅଧିନରେ ଥିବା ପୌର ପରିଷଦକୁ କହି ସହରର ସମସ୍ତ ଆବର୍ଜନାକୁ ଏମାନେ ଲକ୍ଷ୍ମୀଯୋରରେ ପକାଇ ତାର ପାଣି ଯେମିତି ଦୂଷିତ ହେବ ତାର ବ୍ୟବସ୍ଥା କରାଇ ଏହି ପ୍ରକଳ୍ପକୁ ଅଧାପନ୍ତରିଆ କରିବାରେ ମୁଖ୍ୟ ଭୂମିକା ନେଇଥିଲେ । ମୁଁ ଲୋଇସିଂହା ବିଧାୟକ ଥିଲାବେଳେ ବଲାଙ୍ଗିରରେ ଗୋଟିଏ କଲ୍ୟାଣ ମଣ୍ଡପ କରାଯାଇଥିଲା । ଦୀର୍ଘ ୨୦ ବର୍ଷ ପରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ କଲ୍ୟାଣ ମଣ୍ଡପ ପୁଣି ମୋର ବିଧାୟକତ୍ୱ ସମୟ ୨୦୧୪ରୁ ୨୦୨୩ ମଧ୍ୟରେ ତିଆରି ହୋଇଛି, ତେବେ ଏ ରାଜପରିବାରର ବିଜେଡି ନେତାମାନେ ବଲାଙ୍ଗିରରୁ ବିଧାୟକ, ସାଂସଦ ଓ ମନ୍ତ୍ରୀ ଥାଇ କରୁଥିଲେ କ’ଣ । ଆଜି ଆମ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି । ଏହା ତ “ଉଲ୍‌ଟା ଚୋର୍‌ କୋତ୍‌ୱାଲ୍‌ କୋ ଡାଁଟେ” ସହ ସମାନ ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବର୍ତ୍ତମାନର ବିଧାୟକ ତାଙ୍କ ବିରୁଦ୍ଧରେ କରିଥିବା ଅଭିଯୋଗର ଉତ୍ତରରେ ଏକ ପ୍ରେସ୍‌ ବିବୃତ୍ତି ମାଧ୍ୟମରେ କହିଛନ୍ତି । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରରେ ସୁଶ୍ରୀ ଉମା ଭାରତୀ ଜଳ ସଂସାଧନ ମନ୍ତ୍ରୀ ଥିଲା ବେଳେ ସହରର ୧୬ଟି ବନ୍ଧକଟା ଓ ଦେଓଗାଁ ବଲାଙ୍ଗିର ବ୍ଲକର ବିଭିନ୍ନ ବନ୍ଧକଟାର ଉନ୍ନତି ପାଇଁ ସେ ନିଜେ ପତ୍ର ମାଧ୍ୟମରେ ଦାବି କରିଥିଲେ । ତତ୍‌କାଳୀନ ମନ୍ତ୍ରୀ ଉମା ଭାରତୀ ଦାବିପତ୍ର ଉତ୍ତରରେ ରାଜ୍ୟ ସରକାରଙ୍କ ଠାରୁ ଏକ ସକରାତ୍ମକ ଚିଠି ଚାହିଁଥିଲେ କିନ୍ତୁ ସ୍ଥାନୀୟ ରାଜପରିବାରର ବିଜେଡି ନେତା ତାଙ୍କ ସରକାରକୁ କହି ସେ ଚିଠିକୁ ଅଟକାଇ ଦେଲେ । ତାର ସତ୍ୱେ ମଧ୍ୟ ମହାରାଣୀ ସାଗର, ରାଣୀବନ୍ଧ, ଗେଟସରୋବର, ବେହେରାପାଲି ବନ୍ଧ ଓ କରଙ୍ଗାକଟା ଉନ୍ନତି ପାଇଁ ବହୁ କୋଟି ଟଙ୍କାର ଅନୁଦାନ ଅଣା ଯାଇଥିଲା ତାହାକୁ ମଧ୍ୟ ସରକାରର ପ୍ରଭାବ ପକାଇ ଏମାନେ ଚଂଚକତା କରି କାମ ଗୁଡିକୁ ଅଧୁରା ପକାଇ ରଖିଲେ । ଛତାମଖନା ବ୍ୟାରେଜକୁ ନେଇ କରିଥିବା ଅଭିଯୋଗର ଉତ୍ତରରେ ଶ୍ରୀ ମିଶ୍ର କହିଛନ୍ତି ଯେତେବେଳେ ସରକାର ସାରା ରାଜ୍ୟରେ ୮ଟି ଆଇଏସ୍‌ଏସ୍ ପ୍ରକଳ୍ପ ପାଇଁ ପ୍ରସ୍ତବ ଆଣିଥିଲେ ମୁଁ ନିଜେ ବଲାଙ୍ଗିରବାସୀଙ୍କ ପାଇଁ ଗୋଟିଏ ପ୍ରକଳ୍ପ ଆଣି ପାରି ଥିଲି ସେତେବେଳେ ସ୍ଥାନୀୟ ବିଜେଡି ନେତାମାନେ ନିଜ ଫାର୍ମ ପାଇଁ ବ୍ୟାରେଜ ନିର୍ମାଣ କରୁଛନ୍ତି ବୋଲି କଟାକ୍ଷ କରୁଥିଲେ ତାହା କିନ୍ତୁ ବର୍ତ୍ତମାନ ବଲାଙ୍ଗିରବାସୀଙ୍କ ପାଇଁ ଏକ ଆଶିର୍ବାଦ ହେବାକୁ ଯାଉଛି । ବହୁ ଶୀଘ୍ର ଛତାମଖନା ବ୍ୟାରେଜରୁ ବଲାଙ୍ଗିରବାସୀଙ୍କ ପାଇଁ ପିଇବା ପାଣି ଯୋଗାଣ କରାଯିବ । ଆଉ ରହିଲା ଦୁର୍ନୀତିର ଅଭିଯୋଗ, ଗଣମାଧ୍ୟମ ଜରିଆରେ ମୁଁ ଅନୁରୋଧ କରୁଛି ବର୍ତ୍ତମାନର ବିଧାୟକ ମିଡିଆରେ ନ କହି ଯଦି ଦମ୍ ଅଛି ଦୟାକରି ବିଧାନସଭା ଗୃହଭିତରେ ଭିଜିଲେନ୍ସ ତଦନ୍ତ ଦାବି କରନ୍ତୁ । ଆହୁରି ମଧ୍ୟ ଦୁର୍ନୀତିର କଥା କହୁଥିବା ରାଜ ପରିବାର ବିଜେଡି ନେତା ବଲାଙ୍ଗିରରେ ୪ହଜାର କୋଟିର ସିଲିଂ ଜମି ଦୁର୍ନୀତିରେ ସଂଶ୍ଲିଷ୍ଟ ଅଛନ୍ତି । ଏହି ଦୁର୍ନୀତି କଥା ବିଧାନସଭାରେ ମୁଁ ବାରମ୍ବାର ତଦନ୍ତ ପାଇଁ ଦାବି କରିଥିଲେ ହେଁ ସେତେବେଳେ ରାଜ୍ୟରେ ବିଜେଡି ସରକାର ଥିବାରୁ ତାହାକୁ ଦବାଇ ଦେଇଥିଲେ । ଆଗାମୀ ଦିନରେ ଏହା ତଦନ୍ତ ନିଶ୍ଚୟ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତା ସହ ସେ ଏହା ମଧ୍ୟ କହିଛନ୍ତି ଯେ, ବ୍ୟାରେଜ କାମରେ ବର୍ତ୍ତମାନ ଦୁର୍ନୀତିର କଥା କହୁଥିବା ବିଧାୟକ ବିଜେଡି ସରକାର ଥିଲା ବେଳେ ଏହାକୁ ନେଇ ମୁହଁ ଖୋଲିବାକୁ କାହିଁକି ଭୟ କରୁଥିଲେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ମୁଁ ନିଜେ ପ୍ରସ୍ତାବ ଦେଇ ଆଣିଥିବା ଅଡିଟରିୟମ କାମକୁ ଏମାନେ ଏତେ ମାତ୍ରାରେ ବାଧା ସୃଷ୍ଟି କଲେ ଯେ ସେ ବିଧାୟକ ହେବାର ଦୁଇ ବର୍ଷ ପରେ ମଧ୍ୟ ସେ କାମ ସମ୍ପୂର୍ଣ୍ଣ କରିପାରୁ ନାହାନ୍ତି । ଏଥିରୁ ତାଙ୍କର ବଲାଙ୍ଗିରବାସୀଙ୍କ ନୂତନ ପ୍ରକଳ୍ପ ଆଣିବା ଓ ତାଙ୍କୁ କାର୍ଯ୍ୟକାରୀ କରି ସମ୍ପୂର୍ଣ୍ଣ କରିବାରେ ସେ କେତେ ଅସମର୍ଥ ଲୋକେ ଜାଣି ଗଲେଣି । ତେଣୁ ବୟାନ ବାଜି ନ କରି ଲୋକଙ୍କ ଅଭିଯୋଗ ଶୁଣନ୍ତୁ । ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ବିଜୁଳିକୁ ନେଇ ଲୋକେ ଅନେକ ହନ୍ତସନ୍ତ ହେଉଛନ୍ତି ସେଥିରୁ ଯେମତି ଲୋକେ ମୁକୁଳିବେ ତାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ମିଶ୍ର ପ୍ରେସ ବିବୃତ୍ତି ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

Leave A Reply

Your email address will not be published.