
ବଲାଙ୍ଗିର, (କେପିଏନ୍ଏସ୍) : ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ଚଳିତ ବର୍ଷ ପୁରୁଣା ବହିରେ ଶିକ୍ଷା ଦାନ ଦାବିରେ ସ୍ଥାନୀୟ ଯାଦବ ଭବନ ବଲାଙ୍ଗିରଠାରେ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ବଲାଙ୍ଗିର ପକ୍ଷରୁ କନ୍ଭେନ୍ସନ୍ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି ଚଳିତ ଶିକ୍ଷା ବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଣୟନ କରାଯାଇଛି । ଏଥିରେ ୩ ହଜାରରୁ ଅଧିକ ତ୍ରୁଟି ରହିଛି । ଏହା ସହ ଅନେକ ମୌଳିକ, ଧାରଣାଗତ ତ୍ରୁଟି ମଧ୍ୟ ରହିଛି । ଯାହାକୁ ନେଇ ଅଭିଭାବକ ଓ ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାରଙ୍କ ଏହିପରି ସରକାରୀ ଶିକ୍ଷାକୁ ନେଇ ଅବହେଳାକୁ ସମସ୍ତ ମହଲରେ ବିରୋଧ ହୋଇଛି । ଏହି ପରିପ୍ରେକ୍ଷୀରେ ତ୍ରୁଟିଯୁକ୍ତ ପାଠ୍ୟ ପୁସ୍ତକକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବୀ ନେଇ ଶିକ୍ଷକ, ଅଭିଭାବକ, ବୁଦ୍ଧିଜୀବୀ କନ୍ଭେନ୍ସନ୍ ଅନୁଷ୍ଠିତ ହୋଇଯାଇଛି । ଏହି ପାଠ୍ୟପୁସ୍ତକ ପଢ଼େଇବା ଦ୍ୱାରା ଶିକ୍ଷାର ମୂଳଦୁଆ ଧ୍ୱଂସ ପାଇବ ବୋଲି କନ୍ଭେନ୍ସନ୍ରେ ମତ ପ୍ରକାଶ ପାଇଛି । ଅବିଳମ୍ବେ ଏହିସବୁ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରିବା ପାଇଁ ଏକଜୁଟ ହେବାକୁ ଏଆଇଏସଇସି ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି । ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବରେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯିବା ପାଇଁ କନଭେନସନରେ ନିଷ୍ପତି ନିଆଯାଇଛି । ଏହି କନ୍ଭେନ୍ସନ୍ରେ ଏଆଇଏସ୍ଇସି ରାଜ୍ୟ ସମ୍ପାଦକ ସୁବାଷ ନାୟକଙ୍କ ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶିକ୍ଷକ, ଅଭିଭାବକ, ଶିକ୍ଷାପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ ।