ଗାଈଗୋରୁ ହରଡ ଫସଲ ଖାଇଦେବା ପ୍ରତିବାଦ କରିବାରୁ ଓଲଟି ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ : ୨ଭାଇ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ଜାମକାନୀ(ବଛାପଡ଼ା) ଗ୍ରାମରେ ହରଡ଼ ଫସଲ ଅମଳ ପରେ ରଖାଯାଇଥିବା ବେଳେ ଏହାକୁ ଗାଈଗୋରୁ ଖାଇଦେଇଥିଲେ । ଗାଈଗୋରୁ ଖାଇଦେବାର ପ୍ରତିବାଦ କରିବାରୁ ଚାଷୀଜଣଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଦୁଇ ଭାଇଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ବଛାପଡ଼ା ଗ୍ରାମର ସାଧୁସନ୍ଥ ବଛା(୫୫)ନିଜର ଜମିରେ କରିଥିବା ହରଡ ଫସଲକୁ ଅମଳ କରି ଆଣି ନିଜ ଖଳାରେ ଗଦା କରି ରଖିଥିଲେ । ଏହାକୁ ମଙ୍ଗଳବାର ପୂର୍ବାହ୍ନରେ ଗ୍ରାମର କେତେଜଣ ଗାଇଚରାଳିଙ୍କ ଗାଈଗୋରୁ ସମ୍ପୂର୍ଣ୍ଣ ଖାଇଦେଇଥିଲେ । ଚାଷୀ ସାଧୁସନ୍ଥ ଏହା ଜାଣିପାରି ଆସି ପ୍ରତିବାଦ କରି ପାଖ ଗାଇଚରାଳିଙ୍କୁ ପଚାରିଥିଲେ । ପରେ ସେ ବାଇକରେ ଫେରୁଥିବା ବେଳେ ଗ୍ରାମର ଧନୁର୍ଦ୍ଧର ବାଗ(୫୫) ଓ ତାଙ୍କ ଭାଇ ସନ୍ଧ୍ୟା ବାଗ(୪୦)ଙ୍କ ସହ ଅନ୍ୟମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବାରୁ ସେ ରକ୍ତାକ୍ତ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ମୁରିବାହାଲ ସିଏଚ୍‌ସିରେ ପ୍ରାଥମିକ ଚିକିତ୍ସା କରିଥିଲେ । ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ଡ଼ାକ୍ତର ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଇଛନ୍ତି । ଗୁରୁତର ସାଧୁସନ୍ଥଙ୍କ ଏତଲା ଆଧାରରେ ପୁଲିସ କେସ୍‌ ନଂ ୪୦/୨୪ରେ ଦଫା ୩୦୭/୨୯୪ ଆଦି ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରି ସବଇନ୍ସେକ୍ଟର ଦନାର୍ଦନ ଓରାମ ଘଟଣାର ତଦନ୍ତ କରୁଥିଲେ । ଅଧିକ ତଦନ୍ତ ପରେ ଧନୁର୍ଦ୍ଧର ବାଗ ଓ ତାଙ୍କ ଭାଇ ସନ୍ଧ୍ୟା ବାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଦୁଇ ଭାଇଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

seventeen − 14 =