
- ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଏକ ପ୍ରହସନ – ନରସିଂହ
- ଜିଲ୍ଲାର ସ୍ୱାର୍ଥ ସମ୍ବନ୍ଧୀୟ ବୈଠକରେ ମନ୍ତ୍ରୀ ଓ ବିଧାୟକ ଅନୁପସ୍ଥିତ କାହିଁକି ?
- ଜିଲ୍ଲାର ସ୍ୱାର୍ଥକୁ ନେଇ ଲୋକଙ୍କ ପକ୍ଷ ରଖିବ କିଏ ?
- ବିପର୍ଯ୍ୟୟ ପ୍ରସ୍ତୁତି ପରିଚାଳନା ପାଇଁ ନୂତନ ପ୍ରସ୍ତାବ ଯାଉ ନାହିଁ କାହିଁକି – ନରସିଂହ
- ମରୁଡି ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ କି ?
- ବିନା ବିକଳ୍ପ ବ୍ୟବସ୍ଥାରେ ବନ୍ଧକଟାର ପାଣି ନିଷ୍କାସନ ହେଲା କାହିିଁକି – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ବୈଠକରେ ଜିଲ୍ଲାବାସୀ ପ୍ରାକୃତିକ ବିପର୍ଯ୍ୟୟରୁ କିପରି ରକ୍ଷା ପାଇପାରିବେ ସେହିପରି ନିଷ୍ପତ୍ତି ହୋଇଥାଏ । କିନ୍ତୁ ଦେଖାଯାଉଛି ଯେ, ଜିଲ୍ଲାର ଲୋକଙ୍କର ପକ୍ଷ ଯେଉଁମାନେ ରଖିବା କଥା ସେମାନେ ବୈଠକରେ କ୍ରମାଗତ ଅନୁପସ୍ଥିତ ରହୁଛନ୍ତି । ଜିଲ୍ଲାର ବିଧାୟକ ତଥା ରାଜ୍ୟସରକାରରେ ମନ୍ତ୍ରୀ ଥିବା ଜନପ୍ରତିନିଧିମାନେ ଏହି ବୈଠକମାନଙ୍କୁ ବହୁତ ଗୌଣ ମନେକରି ନିଜ ନିଜର ପ୍ରତିନିଧିମାନଙ୍କୁ ପଠାଉଛନ୍ତି । ଯେଉଁମାନେ କି କେବଳ ଚୁପ ରହି ଅଧିକାରୀମାନଙ୍କର କଥା ଶୁଣୁଛନ୍ତି । ଏଥିରେ ଜିଲ୍ଲାବାସୀ ଭୋଗୁଥିବା ପ୍ରାକୃତିକ ବିପର୍ଯ୍ୟୟରୁ କେମିତି ରକ୍ଷା ପାଇପାରିବେ । ତେଣୁ ଦୁଇଦିନ ତଳେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ବୈଠକ ସାଧାରଣରେ ଏକ ପ୍ରହସନ ପାଲଟି ଗଲାଣି ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ପ୍ରେସ ବିବୃତି ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଏହି ମର୍ମରେ କହିଛନ୍ତି ଯେ, ଲୋକେ ଭୋଟ ଦେଇ ବିଧାୟକ, ସାଂସଦ କରିଛନ୍ତି କିନ୍ତୁ ଦୁଃଖର କଥା ଲୋକଙ୍କ ସ୍ୱାର୍ଥ ସମ୍ବନ୍ଧରେ ଅନୁଷ୍ଠିତ କୌଣସି ବୈଠକରେ ଏମାନେ ଯୋଗ ଦେଉନାହାନ୍ତି । ତେବେ ଲୋକଙ୍କ ସ୍ୱର ଅଧିକାରୀ କିମ୍ବା ସରକାରଙ୍କ ପାଖକୁ କେମିତି ପହଂଚିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ଅର୍ଥ ନୁହେଁ କେବଳ ବର୍ଷା, ବାତ୍ୟା କିମ୍ବା ବନ୍ୟା । ଆମ ଅଧିକାରୀ ତଥା ଜନ ପ୍ରତିନିଧି ଭୁଲି ଯାଉଛନ୍ତି ଯେ, ଆମ ଅଂଚଳରେ ନିଶ୍ଚିତ ଜଳସେଚନ ଅତି ନଗନ୍ୟ । ଏ ବର୍ଷ ପୁଣି ଏଲ୍ନିନୋର ପ୍ରଭାବରୁ ସ୍ୱଳ୍ପ ବୃଷ୍ଟିର ଆଶଂକା ପାଣିପାଗ ବିଭାଗ ଆଗରୁ ସତର୍କ କରିଦେଇଛି । ଏପରି ସ୍ଥଳେ ଆମ ଜିଲ୍ଲାରେ ମରୁଡି ପରିସ୍ଥିତି ନିଶ୍ଚିତ ଭାବେ ସୃଷ୍ଟି ହୋଇପାରେ । ଏ ଦିଗରେ କିନ୍ତୁ ଜିଲ୍ଲାପାଳ କିମ୍ବା ଜନପ୍ରତିନିଧିଙ୍କ ପ୍ରତିନିଧିମାନେ କୌଣସି ଆଲୋଚନା କି ସାମ୍ଭାବ୍ୟ ମରୁଡି ମୁକାବିଲା ପାଇଁ କି ପଦକ୍ଷେପ ନେବେ କୌଣସି ପ୍ରସ୍ତାବ ପାରିତ ହୋଇନାହିଁ । ୨୦୨୪ ପୂର୍ବରୁ ଏହି ବୈଠକରେ ବଲାଙ୍ଗିର ସହରର ଗନ୍ଧରେଲ ଡେମ୍, ଲକ୍ଷ୍ମୀଯୋର ଚେକଡେମ, ସୋନଗଡ ନଦୀରେ ସିକୁଆଁ ବ୍ୟାରେଜ, ତେଲ ନଦୀର ନଦୀ ବନ୍ଧ ତଥା ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ଯାଇ ଅନୁଦାନ ଆସୁଥିଲା । କିନ୍ତୁ ଏହି ବୈଠକରେ ସେଭଳି କିଛି ପ୍ରସ୍ତାବ ଦିଆଯାଉ ନାହିଁ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଅଧିକାରୀମାନେ ଅନେକ ସଂଖ୍ୟାରେ ବୈଠକରେ ଉପସ୍ଥିତ ରହୁଛନ୍ତି । ଅଧିକାରୀଙ୍କ କାମ ହେଲା ବୈଠକରେ ଉପସ୍ଥିତ ଥିବା ଜନପ୍ରତିନିଧି, ବିଧାୟକ, ସାଂସଦ ଦେଉଥିବା ପ୍ରସ୍ତାବ ହେଉ କି ପ୍ରକଳ୍ପ ହେଉ ତାର କାର୍ଯ୍ୟକାରୀ କରାଇବା । କିନ୍ତୁ ଏମାନଙ୍କ ଅନୁପସ୍ଥିତି ପ୍ରମାଣ କରୁଛି ଯେ, ଏହି ବିଧାୟକ, ସାଂସଦ , ମନ୍ତ୍ରୀ ଲୋକଙ୍କ ଭୋଟ ନେଇ ଲୋକଙ୍କୁ ପ୍ରତାରଣା କରୁଛନ୍ତି । ଉପରି ସ୍ଥଳେ ମୁଁ ବିଭାଗୀୟ ଅଧିକାରୀ ତଥା ସରକାରଙ୍କୁ ଏହି ପ୍ରେସ ବିବୃତ୍ତି ମାଧ୍ୟମରେ ଅନୁରୋଧ କରିବି ଯେ, ସମ୍ଭାବ୍ୟ ମରୁଡି ମୁକାବିଲା ପାଇଁ ଏହି ଜିଲ୍ଲାରେ ବୋହି ଯାଇଥିବା ନଦୀ ସୁକତେଲ, ସୋନଗଡ ଉପରେ ବ୍ୟାରେଜ, ଚେକଡେମ ନିର୍ମାଣ କରି ବର୍ଷତମାମ ଯେମତି ଚାଷ ଏବଂ ପିଇବା ପାଇଁ ପାଣି ଉପଲବ୍ଧ ରହିବ ସେ ଉପରେ ସରକାରଙ୍କ ପାଖକୁ ପୁଣି ଥରେ ପ୍ରସ୍ତାବ ପଠାନ୍ତୁ ଏବଂ ସୋନଗଡ ନଦୀ ଉପରେ ଜରାସିଂହା, ଦେଓଗାଁ ଠାରେ ବ୍ୟାରେଜ ନିର୍ମାଣ ପାଇଁ ହେଉଥିବା ଦାବିକୁ ସରକାରଙ୍କ ପାଖକୁ ପହଂଚାଯାଉ ଏବଂ ସିକୁଆଁ ଠାରେ ପ୍ରସ୍ତାବିତ ବ୍ୟାରେଜ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ । ତା’ ସହ ସହରର ସବୁ ବନ୍ଧକଟାର ପାଣିକୁ ବର୍ତ୍ତମାନ ଉନ୍ନତିକରଣ ନାଁ ରେ ପୌର ପରିଷଦ ତରଫରୁ ପାଣି ଖାଲି କରିଦିଆଯାଇଛି । ବିନା ବିକଳ୍ପ ବ୍ୟବସ୍ଥା କରି ପାଣି କାଟିଦେବା ଦ୍ୱାରା ସହର ମଧ୍ୟରେ ଜଳସ୍ତର ଅହେତୁକ ଭାବେ ହ୍ରାସ ପାଇଛି । ସହରବାସୀଙ୍କ ସମେତ ଗାଁରୁ ସହରକୁ ଆସୁଥିବା ଲୋକ ଗାଧୋଇବା ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା କମିଟି କାହିଁକି କୌଣସି ପଦକ୍ଷେପ ନେଉନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ।