jayashree

ଘୋଡ଼ାହାଡ଼ ଡ୍ୟାମ୍‌ ଗର୍ଭରେ ଲୀନ ପୁରାତନ ଜଗନ୍ନାଥ ମନ୍ଦିର ଦୃଶ୍ୟମାନ

ଦିଗପହଣ୍ଡି : ଗ୍ରୀଷ୍ମରେ ଜଳସ୍ତର ହ୍ରାସ ପାଇବା ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖମାରିଗାଁ ନିକଟରେ ଅବସ୍ଥିତ ଘୋଡ଼ାହାଡ଼ ଡ୍ୟାମ୍‌ ଗର୍ଭରେ ଲୀନ ପୁରାତନ ଜଗନ୍ନାଥ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହୋଇଛି । ପ୍ରାୟ ୩୦୦ ବର୍ଷ ପୁରୁଣା ଏହି ମନ୍ଦିରର ଅଧାଭାଗ ଦେଖିବାକୁ ମିଳୁଛି । ଯାହାକୁ ଦେଖିବା ପାଇଁ ଲୋକେ ଲଞ୍ଚ୍ ଓ ଡଙ୍ଗାରେ ଯାଉଛନ୍ତି ।

ଐତିହାସିକ ଓ ଗବେଷକଙ୍କ ତଥ୍ୟାନୁସାରେ, ବିଜୟନଗରଗଡ଼ ସେତେବେଳେ ବଡ଼ଖେମୁଣ୍ଡି ରାଜ୍ୟର ରାଜଧାନୀ ଥିଲା । ରାଜା ପଦ୍ମନାଭ ଅନଙ୍ଗଭୀମଦେବଙ୍କ ଶାସନ ସମୟରେ ଏହି ମନ୍ଦିରଟି ନିର୍ମାଣ ହୋଇଥିଲା । ଯେଉଁଠି ରଥଯାତ୍ରା ମଧ୍ୟ ହେଉଥିଲା । ଏହାସହ ଏଠାରେ ଗୁଣ୍ଡିଚା ମନ୍ଦିର ଓ ବଡ଼ଦାଣ୍ଡ ମଧ୍ୟ ନିର୍ମାଣ କରାଯାଇଥିଲା । କିନ୍ତୁ ସମୟଚକ୍ରରେ ‌ଘୋଡ଼ାହାଡ଼ ଡ୍ୟାମ୍ ନିର୍ମାଣ ପରେ ଏହାର ଐତିହ୍ୟ ଲୀନ ହୋଇଯାଇଛି । ଅଞ୍ଚଳବାସୀଙ୍କୁ ଖମାରିଗାଁ ନିକଟରେ ଥଇଥାନ କରାଯିବା ସହ ଜମି ଦିଆଯାଇଛି । ପରବର୍ତ୍ତୀ ସମୟରେ ରାଜା ଚୈତନ୍ୟ ଦେବ ଦିଗପହଣ୍ଡି ରାଜନଗର ମଧ୍ୟରେ ଝିକରରେ ଏକ ଛୋଟ ମନ୍ଦିର ନିର୍ମାଣ କରିଥିଲେ । ଘୋଡ଼ାହାଡ଼ର ଗର୍ଭରେ ଲୀନ ଉକ୍ତ ମନ୍ଦିରର ତିନି ଠାକୁରଙ୍କୁ ଏଠାରେ ଆଣି ସ୍ଥାପନ କରିଥିଲେ । ଏଯାଏଁ ଶ୍ରୀଜୀଉଙ୍କ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ଦିଗପହଣ୍ଡି ବଡ଼ଦାଣ୍ଡରେ ରଥଯାତ୍ରା ହେଉଛି ।

Leave A Reply

Your email address will not be published.