ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଏଟିଏମ୍ ଗାଡ଼ିରେ ଥିବା ୫୭ ଲକ୍ଷ ଟଙ୍କା ନେଇ ଫେରାର ଘଟଣାର ଖଡ଼ିଆଳ ପୋଲିସ ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ୫୫ ଲକ୍ଷ ୭୬ ହଜାର ୭୫୦ ଟଙ୍କା ଜବତ କରିବା ସହ ଘଟଣାରେ ବ୍ୟବହୃତ କାର, ଅଟୋ, ବାଇକ, ସାଇକେଲ, ୩ଟି ମୋବାଇଲ ଫୋନ ଜବତ କରିଛି । ନୂଆପଡା ଏସପି ପ୍ରତ୍ୟୁଷ ଦିୱାକର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଗତ ୬ ତାରିଖରେ ନିୟୋଜିତ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡକୁ ଚକମା ଦେଇ ଖଡ଼ିଆଳ ଷ୍ଟେଟବ୍ୟାଙ୍କରୁ ଟଙ୍କା ଭର୍ତ୍ତି ଏଟିଏମ୍ ଗାଡିକୁ ଅସ୍ଥାୟୀ ଡ୍ରାଇଭର ଜୟରାମ ମାଝୀ ( ଲାବୁ) ନେଇ ଫେରାର ହୋଇ ଯାଇଥିଲା । ଏନେଇ ଖଡ଼ିଆଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ବଲାଙ୍ଗିର ଜିଲ୍ଲା ଭରୁଆକାନି ଜଙ୍ଗଲ ନିକଟରୁ ଗାଡିକୁ ଠାବ କରିଥିଲା । ହେଲେ ଉକ୍ତ ଗାଡିରେ ଟଙ୍କା ନଥିବା ଜାଣିବାକୁ ପାଇଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ କନ୍ଦେଇ ଗାଁର ନିଜ ଭଉଣୀ ଘରେ କିଛି ଟଙ୍କା ଛାଡି କୋମନା ବ୍ଲକ ଛତା ଗାଁ ପତେଲପଡ଼ାକୁ ଯାଇ କିଛି ଟଙ୍କା ରଖିଥିଲା । ନୂଆପଡା ଏସପିଙ୍କ ନିର୍ଦେଶ କ୍ରମେ ଖଡ଼ିଆଳ ଏସଡିପିଓ ଓ ନୂଆପଡା ଏସ୍ଡିପିଓଙ୍କ ତତ୍ୱାବଧାନରେ ଘଟଣାର ତଦନ୍ତ କରିଥିଲେ । ଶେଷରେ କୋମନା ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ଡକାୟତି ଟଙ୍କାକୁ ରଖି ଅଭିଯୁକ୍ତକୁ ପ୍ରଶୟ ଦେବା ଅଭିଯୋଗରେ ଅଭିଯୁକ୍ତଙ୍କ ଭିଣୋଇ ଭଉଣୀଙ୍କ ସହ ଅନ୍ୟ ଦୁଇ ସଂପର୍କୀୟକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଏସ୍ପି ପ୍ରତ୍ୟୁଷ ଦିବାକର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଓ ଖଡ଼ିଆଳ ଏସ୍ଡିପିଓଙ୍କ ସମେତ ଖରିଆର ରୋଡ ଜୋଙ୍କ ଥାନା, ଖଡ଼ିଆଳ ଥାନା ଓ ଲଖନା ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ ।