
ବଲାଙ୍ଗିର, (କେପିଏନ୍ଏସ୍) : ମାର୍ଚ୍ଚ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ମାର୍ଚ୍ଚ ୧୩ ତାରିଖରେ ମୁରିବାହାଲ ବ୍ଲକ ଅନ୍ତର୍ଗତ ଟୁପାଉଡାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ, ୨୦ ତାରିଖରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ, ୨୭ ତାରିଖରେ ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ଜନହିତକର ଓ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ବିଭାଗୀୟ ଷ୍ଟଲ ସହ ଯୋଜନା ସମ୍ପର୍କିତ ସୂଚନା ସମ୍ବଳିତ ବ୍ୟାନର ଲଗାଯିବ । ଏତଦ୍ବ୍ୟତୀତ ପଞ୍ଚାୟତ ଲୋକ ସେବା ଶିବିରରେ ସ୍ୱାସ୍ଥ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ଶ୍ରମ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଉଦ୍ୟାନ କୃଷି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ମିଶନ ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ତଥା ଅନ୍ୟାନ୍ୟ ବିଭାଗର ଯୋଜନା ସମ୍ପର୍କରେ ସଚେତନତା ସହ ଯୋଗ୍ୟ ହିତାଧିକାରୀମାନଙ୍କୁ ବିଭାଗୀୟ ସହାୟତା ଓ ପରାମର୍ଶ ଦିଆଯିବ ।
ନିର୍ଦ୍ଧାରିତ ତାରିଖରେ ଉପରୋକ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ପଞ୍ଚାୟତ ଲୋକସେବା ଶିବିରରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗଦେବେ । ଶିବିରରେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ବିଭିନ୍ନ ଯୋଜନା ଗୁଡିକର ସୁଯୋଗ ନେବା ପାଇଁ ଅନୁରୋଧ କରାଯାଇଛି ।