oom

ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ସଚେତନତା କର୍ମଶାଳା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ଆନୁକୂଲ୍ୟରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ପରିବର୍ତ୍ତିତ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ସମ୍ପର୍କରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ଥାନା ଅଧିକାରୀ, ସିଡିପିଓ ମାନଙ୍କୁ ଅବଗତ କରାଇବା ସହ ତୃଣମୁଳ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସଚେତନତା କାର୍ମଶାଳା ମାନ ଆୟୋଜନ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ ବ୍ୟତୀତ ପରିବର୍ତ୍ତିତ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ସମ୍ପର୍କରେ ଲିଫଲେଟ ପ୍ରସ୍ତୁତ କରି ବଣ୍ଟନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ କର୍ମଶାଳାରେ ଅଧ୍ୟକ୍ଷତା କରି ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ନିୟମାବଳୀ ତଥା ବିଧି ବ୍ୟବସ୍ଥା ଉପରେ ସବିଶେଷ ଆଲୋଚନା କରିଥିଲେ । କର୍ମଶାଳାରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ କୁବେର ଚନ୍ଦ୍ର ମହନ୍ତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ଥଲାଲ ଦୀପ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ଵର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ପରିବର୍ତ୍ତିତ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଥିବା ବିଧି ବ୍ୟବସ୍ଥା ତଥା ଏହାର ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିବା ସହ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ କରିଥିଲେ । କର୍ମଶାଳାରେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ନନ୍ଦକିଶୋର ଷାଣ୍ଢ, ଡ଼. ଗୋଦାବରୀଶ ରଥ, ବିରଞ୍ଚି ବହିଦାର ଯୋଗଦେଇ କିଶୋର ନ୍ୟାୟ ୨୦୧୫ ଅନୁସାରେ ପ୍ରଣିତ ହୋଇଥିବା ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ଉପରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ଏହି କର୍ମଶାଳାରେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନ, ଗ୍ରାମ ମଙ୍ଗଳ ପାଠାଗାର ସଲେପାଲିର ନିର୍ଦ୍ଦେଶକ କ୍ଷମାନିଧି ମେହେର, ୱାଇସିଡିଏ, ୱାର୍ଲ୍ଡ ଭିଜନ, ୱାନ ଷ୍ଟପ ସେଣ୍ଟର, ଶିଶୁ ଯତ୍ନ ଅନୁଷ୍ଠାନ, ଚାଇଲ୍ଡ ଲାଇନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । କର୍ମଶାଳାରେ ଯୋଗ ଦେଇଥିବା ଆବେଦନକାରୀ ପିତାମାତାଙ୍କୁ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ, ସୁରକ୍ଷା ଅଧିକାରୀ ଚୂଡାମଣି ପଣ୍ଡା, ପଂଚାନନ ମିଶ୍ର, ସୁଦାମ ସୁନା, ଦିଗମ୍ବର କର ଓ ଅରୁଣ ଖୁଆସ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.