ଆଜି କାଳରାତ୍ରି ବେଶରେ ମା’ : ଆସନ୍ତୁ ଜାଣିବା ମହାତ୍ମ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି ବେଶରେ ମା’ ପୂଜା ପାଉଛନ୍ତି । ଜଗତ ଜନନୀଙ୍କ କାଳରାତ୍ରି ବେଶ ସବୁଠୁ ମହତ୍ୱପୂର୍ଣ୍ଣ ବେଶ ବୋଲି କୁହାଯାଇଥାଏ । ତେବେ ଏହି ବେଶ ସଂପର୍କରେ କିଛି ପୌରାଣିକ କଥାବସ୍ତୁ ଉପରେ ଆସନ୍ତୁ ଦୃଷ୍ଟି ପକାଇବା ଓ ଜାଣିବା ଅସଲ୍‌ କଥା ।

ଏକବେଣୀ ଜପାକର୍ଣ୍ଣପୂରା ନଗ୍ନା ଖରାସ୍ରିତା ।
ଲମ୍ବୋଷ୍ଠୀ କର୍ଣ୍ଣକାକର୍ଣ୍ଣୀ ତୈଳାଭ୍ୟନ୍ତଶରୀରିଣା ।
ବାମପାଦୋଲ୍ଲସଲ୍ଲୋହଲ ତାକଣ୍ଟକଭୂଷଣା ।
ବର୍ଦ୍ଧନର୍ମୂଧଧ୍ୱଜା କୃଷ୍ଣା କାଳରାତିର୍ଭୟଙ୍କରା । ।

ମାତା ଦୁର୍ଗାଙ୍କର ସପ୍ତମ ଶକ୍ତି କାଳରାତ୍ରୀ ନାମରେ ବିଖ୍ୟାତ । ଏହାଙ୍କ ଶରୀରର ରଙ୍ଗ ଅନ୍ଧକାର ରାତ୍ରି ପରି ଗାଢ଼ କଳା । ମସ୍ତକର କେଶ ମୁକୁଳା । କଣ୍ଠରେ ବିଜୁଳି ପରି ଉଜ୍ୱଳ ମାଳା ଝଟକୁଥାଏ । ମାତାଙ୍କର ତିନୋଟି ନେତ୍ର ଏବଂ ଏହି ତିନୋଟି ନେତ୍ର ବ୍ରହ୍ମାଣ୍ଡ ସଦୃଶ ଗୋଲାକାର । ତାଙ୍କ ନାସିକାରୁ ପ୍ରବାହିତ ଶ୍ୱାସପ୍ରଶ୍ୱାସରେ ଅଗ୍ନିର ଜ୍ୱାଳା ବାହାରୁଥାଏ । ତାଙ୍କର ବାହନ ଗର୍ଦ୍ଧଭ – ଗଧ । ସେ ଚତୁର୍ଭୁଜା । ଡାହାଣ ପଟର ଉପର ହାତ ଟେକି ସେ ବରମୁଦ୍ରାରେ ସମସ୍ତଙ୍କୁ ବରଦାନ କରନ୍ତି ଓ ତଳ ହାତ ଅଭୟ ମୁଦ୍ରାରେ ଥାଏ । ବାଆଁ ପଟ ଉପର ହାତରେ ଲୁହାର କଣ୍ଟା ଓ ତଳ ହାତରେ ଖଡ୍‌ଗ ବା କଟାର ଶୋଭାପାଏ ।

ମାତା କାଳରାତ୍ରିଙ୍କର ସ୍ୱରୂପ ଦେଖିବାକୁ ଅତ୍ୟନ୍ତ ଭୟଙ୍କର । କିନ୍ତୁ ସେ ସର୍ବଦା ଶୁଭ ଫଳ ହିଁ ପ୍ରଦାନ କରନ୍ତି । ତେଣୁ ତାଙ୍କର ଅନ୍ୟ ନାମ ‘ଶୁଭଙ୍କରୀ’ ଅଟେ । ସୁତରାଂ ତାଙ୍କୁ ଦେଖି ଭକ୍ତମାନେ କୌଣସି ପ୍ରକାର ଭୟଭୀତ ବା ଆତଙ୍କିତ ହେବା ଅନୁଚିତ ।

ଦୁର୍ଗାପୂଜାର ସପ୍ତମ ଦିନ ମାତା କାଳରାତ୍ରିଙ୍କର ଉପାସନାର ବିଧାନ ରହିଛି । ସେଦିନ ସାଧକଙ୍କ ମନ ‘ସହସ୍ରାର’ ଚକ୍ରରେ ସ୍ଥିତ ରହେ । ତାଙ୍କ ପାଇଁ ବ୍ରହ୍ମାଣ୍ଡର ସକଳ ସିଦ୍ଧିର ଦ୍ୱାର ଖୋଲିଯାଏ । ଏହି ଚକ୍ରରେ ସ୍ଥିତ ସାଧକର ମନ ପୂର୍ଣ୍ଣତଃ ମାତା କାଳରାତ୍ରିଙ୍କ ସ୍ୱରୂପରେ ଲାଗିରହେ । ମା’ଙ୍କ ସାକ୍ଷାତ୍‌କାଳରୁ ମିଳୁଥିବା ପୁଣ୍ୟରେ ସେ ଭାଗୀ ହୋଇଯାଆନ୍ତି । ତାଙ୍କର ସକଳ ପାପ ଓ ବିଘ୍ନ ନଷ୍ଟ ହୋଇଯାଇ ତାଙ୍କ ଅକ୍ଷୟ ପୁଣ୍ୟଲୋକ ପ୍ରାପ୍ତି ହୁଏ ।

ମାତା କାଳରାତ୍ରି ଦୁଷ୍ଟବିନାଶିନୀ ଅଟନ୍ତି । ତାଙ୍କ ସ୍ମରଣ ମାତ୍ରେ ଦାନବ, ଦୈତ୍ୟ, ରାକ୍ଷସ, ଭୂତ, ପ୍ରେତ ଆଦି ସମସ୍ତେ ଭୟଭୀତ ହୋଇ ପଳାୟନ କରନ୍ତି । ମା’ ଗ୍ରହଦୋଷକୁ ମଧ୍ୟ ଦୂର କରନ୍ତି । ତାଙ୍କର ଉପାସକଙ୍କୁ ଅଗ୍ନିଭୟ, ଜଳଭୟ, ଶତ୍ରୁଭୟ, ରାତ୍ରିଭୟ ଆଦି କୌଣସି ଭୟ ଛୁଇଁ ପାରେନାହିଁ । ମା’ଙ୍କ କୃପାରୁ ସର୍ବା ଭୟମୁକ୍ତ ହୋଇ ରୁହନ୍ତି ।

Leave A Reply

Your email address will not be published.