
ଦଶପଲ୍ଲା : ରାଜସ୍ୱ ଗାଁର ମାନ୍ୟତା ରହିଛି, ହେଲେ ବିକାଶର ଛାଇ ପଡ଼ିନି। ଚାରିଆଡ଼େ ଘଞ୍ଚ ଜଙ୍ଗଲ ଓ ପାହାଡ଼। ନା ଅଛି ଯାତାୟାତର ସୁବିଧା, ନା ମିଳୁଛି ପାନୀୟ ଜଳ ଓ ବିଜୁଳି ଭଳି ମୌଳିକ ସୁବିଧା। ଅନ୍ଧାର ରାତିରେ ଡିବିରି ଆଲୁଅ ହିଁ ଏକମାତ୍ର ଭରସା। ଏଭଳି ଦୁର୍ଦ୍ଦଶା ମଧ୍ୟରେ ଜୀବନ ବିତାଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଚଡ଼େୟାପଲ୍ଲୀ ପଞ୍ଚାୟତର ତାମୁଣ୍ଡି ଓ ଭିରୁଡ଼ା ଗ୍ରାମବାସୀ। ଏହି ଦୁଇ ଗାଁକୁ ପହଞ୍ଚିବା ପାଇଁ ପ୍ରାୟ ୬ କିଲୋମିଟର ଅଙ୍କାବଙ୍କା ପାହାଡ଼ିଆ ରାସ୍ତାରେ ତିନୋଟି ପାହାଡ଼ ଅତିକ୍ରମ କରିବାକୁ ପଡ଼େ। ତାମୁଣ୍ଡିରେ ୮ରୁ ୧୦ଟି ପରିବାର ରହୁଥିବା ବେଳେ ଭିରୁଡ଼ାରେ ରହୁଛନ୍ତି ପ୍ରାୟ ୧୦ରୁ ୧୨ଟି ପରିବାର। ଦଶପଲ୍ଲା ବ୍ଲକ୍ର ୪୧୬ଟି ରାଜସ୍ୱ ଗ୍ରାମ ମଧ୍ୟରେ ଏହି ଦୁଇ ଗାଁର ନାଁ ରହିଛି। କିନ୍ତୁ ଭୌଗୋଳିକ ଅବସ୍ଥିତି ଯୋଗୁଁ ଏଠାକାର ଲୋକଙ୍କ ପାଖରେ ବିକାଶ ଏବେ ବି ଅପହଞ୍ଚ। ଜଙ୍ଗଲରୁ ମିଳୁଥିବା ସାମଗ୍ରୀ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି ଗ୍ରାମବାସୀ। ଯାତାୟାତର ସୁବିଧା ନଥିବାରୁ ଜରୁରୀ କାମ ନପଡ଼ିଲେ ସେମାନେ ପାହାଡ଼ ତଳକୁ ଓହ୍ଲାନ୍ତି ନାହିଁ। ମାସକୁ ଥରେ ଭତ୍ତା ଓ ରାସନ ଆଣିବା ପାଇଁ ଗାଁରୁ ବାହାରକୁ ଆସିବାକୁ ପଡ଼େ। ଅନ୍ୟପକ୍ଷରେ ଗାଁରେ ପାନୀୟ ଜଳ ପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିବାରୁ ଗ୍ରାମବାସୀଙ୍କ ଉଦ୍ୟମରେ ନିର୍ମିତ ପଥର କୂଅ ଉପରେ ନିର୍ଭର କରୁଛନ୍ତି। ଗ୍ରୀଷ୍ମ ଋତୁରେ ଏହି କୂଅର ଜଳ ମଧ୍ୟ ଅଣ୍ଟୁନାହିଁ। ବିଜୁଳି ଆଲୁଅ ଏଠାକାର ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଛି। ବିଭିନ୍ନ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଇଥିବା ସୌର ପ୍ରକଳ୍ପ ଠିକ୍ ଭାବେ କାମ କରୁନଥିବାରୁ ଡିବିରି ଆଲୁଅରେ ରାତି କାଟୁଛନ୍ତି ଲୋକେ। ପ୍ରାୟ ତିନି ବର୍ଷ ହେଲା କିରୋସିନି ଯୋଗାଣ ବନ୍ଦ ହୋଇଯାଇଥିବାରୁ ସନ୍ଧ୍ୟା ହେଲେ ଘରେ ତାଟିକବାଟ ପଡ଼ିଯାଉଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ସମସ୍ୟା କିଛି କମ୍ ନୁହେଁ। ପ୍ରତିଦିନ ପାହାଡ଼ ଅତିକ୍ରମ କରି ହନୁମନ୍ତକୁ ପାଠ ପଢ଼ିବାକୁ ଯିବା ସମ୍ଭବ ହେଉନଥିବାରୁ ପିଲାମାନଙ୍କୁ ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢ଼ିବାକୁ ପଡ଼ୁଛି। ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଜରୁରୀ ସୁବିଧା ପାଇବା ପାଇଁ ମଧ୍ୟ ସେମାନଙ୍କୁ ଅନେକ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ଗାଁରେ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ଅନୁମତି ବାଧକ ସାଜୁଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ। ଏନେଇ ବିଧାୟକଙ୍କ ମାଧ୍ୟମରେ ବନଖଣ୍ଡ ଅଧିକାରୀଙ୍କୁ ଦରଖାସ୍ତ ଦିଆଯାଉଥିବା ସେ କହିଛନ୍ତି। ସେହିପରି ବିଡିଓ ଶରତ କୁମାର ମଲିକ ରାସ୍ତା ନିର୍ମାଣ ଦିଗରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଆଉ କେତେଦିନ ଏଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିବେ ଏହି ଦୁଇ ଗାଁର ଲୋକେ ? ନିର୍ବାଚନ ସମୟରେ ପ୍ରତିଶୃତି ମିଳୁଥିବା ବେଳେ ବର୍ଷବର୍ଷ ଧରି ରାସ୍ତା, ପାଣି, ବିଜୁଳି ଓ ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ତାମୁଣ୍ଡି ଓ ଭିରୁଡ଼ାବାସୀ ଏବେ ବି ବିକାଶକୁ ଅପେକ୍ଷା କରି ରହିଛନ୍ତି ।