ମାଲକାନଗିରି ଜିଲ୍ଲାରେ ହେବ ୪ ବୃହତ ଗ୍ରାମ୍ୟ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ପାଇଁ ୪ ବୃହତ ଗ୍ରାମ୍ୟ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ହେବ । ମାଲକାନଗିରି ଜିଲ୍ଲାରେ ୪ଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ୬୩୯ କୋଟି ୨୭ ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଉପରୋକ୍ତ ଜିଲ୍ଲାର ୪ ଟି ବ୍ଲକ ଅଧୀନରେ ଥିବା ୬୧ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୫୩ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩, ୧୩, ୬୨୦ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ । ଖଇରପୁଟ ବ୍ଲକ ଅଧୀନରେ ଥିବା ୯ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୭ ଟି ଗ୍ରାମର ପ୍ରାୟ ୪୫ , ୯୭୫ ଜଣ, ମାଲକନାଗିରି ବ୍ଲକ ଅଧୀନରେ ଥିବା ୧୫ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୦୬ଟି ଗ୍ରାମର ପ୍ରାୟ ୭୬, ୯୬୮ ଜଣ, ମାଥିଲି ବ୍ଲକ ଅଧୀନରେ ଥବା ୨୦ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୪୧ଟି ଗ୍ରାମର ପ୍ରାୟ ୯୪, ୬୫୩ ଜଣ ଓ କାଲିମେଳା ବ୍ଲକ ଅଧୀନରେ ଥିବା ୧୭ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୧୯ଟି ଗ୍ରାମର ପ୍ରାୟ ୯୬, ୦୨୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ । ସମସ୍ତ ପ୍ରକଳ୍ପ ଗୁଡିକୁ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଓ ଜିଲ୍ଲାବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଘୋଷଣାକୁ ସ୍ୱାଗତ ଜଣାଇ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ପୂର୍ବତନ ବିଧାୟକ ମାନସ ମାଡ଼କାମି, ରାଜେନ୍ଦ୍ର ପଣ୍ଡା, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ବରିଷ୍ଠ ବିଜେଡି ନେତା ଗୋପାଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.