
ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋସିଆଲ ମିଡିଆରେ ଜାତି ଓ ସମ୍ପ୍ରଦାୟକୁ ଆକ୍ଷେପ କରି ଆପତ୍ତିଜନକ ପୋଷ୍ଟ ଶେୟାର କରିବା ଅଭିଯୋଗରେ ଝାରସୁଗୁଡା ସାଇବର ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ମିଠାପାଲି ପଞ୍ଚାୟତ ଗୁରୁଣ୍ଡା ଗ୍ରାମର ପ୍ରସାଦ ମହାଦେ (୪୦) । ତାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରସାଦ ମହାଦେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏପରି କିଛି ଆପତ୍ତିଜନକ ପୋଷ୍ଟ ଓ ବିଷୟବସ୍ତୁ ପ୍ରସାରଣ କରିଥିଲେ, ଯାହା ବିଭିନ୍ନ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ସହ ସାମାଜିକ ସଦଭାବନାକୁ ବିଘ୍ନିତ କରିପାରେ । ଏହି ପୋଷ୍ଟଗୁଡ଼ିକ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଶାନ୍ତିଭଙ୍ଗର ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ଥିବାରୁ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇଥିଲା । ଏନେଇ ଝାରସୁଗୁଡା ସାଇବର ଥାନାରେ ମାମଲା ନଂ–୧୭/୨୦୨୬ ରୁଜୁ ହୋଇଥିଲା । ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୭୯, ୩୧୯(୨), ୩୫୨ ଏବଂ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୭ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ଘଟଣା ପରେ ସାଇବର ସେଲ୍ ପକ୍ଷରୁ ତତ୍କାଳ ବୈଷୟିକ ତଦନ୍ତ ଆରମ୍ଭ ହୋଇଥିଲା । ଡିଜିଟାଲ ଟ୍ରାକିଂ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ କିଛି ଡିଜିଟାଲ ଉପକରଣ ଓ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀଗୁଡ଼ିକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଥିବା ସୂଚନା ମିଳିଛି । ଝାରସୁଗୁଡା ଏସ୍ପି ଏହି ଘଟଣାକୁ ନେଇ କହିଛନ୍ତି ଯେ, ସୋସିଆଲ ମିଡିଆରେ ଜାତି, ଧର୍ମ କିମ୍ବା ସମ୍ପ୍ରଦାୟକୁ ନେଇ ଘୃଣା, ବିଦ୍ୱେଷ ଓ ଅଶାନ୍ତି ସୃଷ୍ଟି କରୁଥିବା ପୋଷ୍ଟକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ସାମ୍ପ୍ରଦାୟିକ ସଦଭାବନା ଓ ସାମାଜିକ ଶାନ୍ତିକୁ କ୍ଷତି ପହଞ୍ଚାଇବା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଏହି ଘଟଣା ପରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଦାୟିତ୍ୱବୋଧ ସହିତ ପୋଷ୍ଟ କରିବା ଏବଂ କୌଣସି ଆପତ୍ତିଜନକ କିମ୍ବା ବିଦ୍ୱେଷମୂଳକ ବିଷୟବସ୍ତୁ ପ୍ରସାରଣରୁ ବିରତ ରହିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।