ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରୁ ବାହାର ରାଜ୍ୟକୁ ଯାହା ସୁରଟ, ମୁମ୍ବାଇ, କୋଲକୋତାକୁ ଗଞ୍ଜେଇର ବ୍ୟାପକ ଚୋରା ଚାଲାଣ ହେବା ଘଟଣା ପଦାକୁ ଆସିଛି । ଏହି ଘଟଣା ସମ୍ପର୍କରେ ଖୁବ ଆଲୋଡନ ସୃଷ୍ଟି କରେ । ସର୍ବୋପରି ଗଞ୍ଜେଇ ଅପରାଧୀର ଚାଲାକ୍ ଚତୁର ପଣିଆ ମଧ୍ୟ ଶୁଣିଲେ ପୋଲିସ ଓ ଅବକାରୀବିଭାଗ ମଧ୍ୟ ଆବାକ ହୋଇ ମୁଣ୍ଡରେ ଝାଳ ଘଡ଼ିଏ ପୋଛି କିଛି ସମୟ ନୀରବ ହୋଇପଡିଥିଲେ । ଅପରାଧୀ ମାନଙ୍କ ଉପାୟ କୌଶଳ ମଧ୍ୟ ଭିନ୍ନ ଓ ଅଦ୍ଭୂତଯେତିକି, ସେତିକି ବିସ୍ମୟକର ଘଟଣା । ଯାହାକି ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଅପରାଧୀ ଖୁବ ସକ୍ରୀୟ ଥିବା ବେଳେ ଅନ୍ୟପଟେ ଗଞ୍ଜାମ ସୀମାନ୍ତ ଅନ୍ତର୍ଗତ ଗିରିଶୋଲା ଗେଟ ନିକଟ ଗୋଳନ୍ଥରା ଥାନା ଅଧୀନରେ ଏକ ଇଣ୍ଡିଆନ ଅଏଲ ଟ୍ୟାଙ୍କରେ ଗଞ୍ଜେଇ ଭରି ଚୋରା ଚାଲାଣ କଥା ପଦାକୁ ଆସି ଖୁବ ଚାଞ୍ଚଲ୍ୟକର ଘଟଣା ହୋଇଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା କୋଦଳା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । ଗତ ଶନିବାର କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ଫାସୀ ପଞ୍ଚାୟତର ବାତରାପଲ୍ଲୀ ଗ୍ରାମରେ ଥିବା ଏକ ଘରେ ଚଢ଼ାଉ କରାଯାଇଥିବା ବେଳେ ଦୀର୍ଘ ସମୟ ଧରି ଚଢାଉ ପରେ ପୁରୁଷୋତ୍ତମପୁର ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ତାଲା ଭାଙ୍ଗିବା ପରେ ସେହି ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଥାଉକି ଯେ, ଗତ କିଛିଦିନ ତଳେ କଞ୍ଚଣାଛକ ନିକଟରୁ ୯୫୦ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଓ ଭାଟପଡା ଛକ ନିକଟରୁ ୩୪୦ କିଲୋ ଗଞ୍ଜେଇ ଜବତ ହୋଇଥିଲା । ପ୍ରାୟ ୨ ମାସ ଭିତରେ କୋଦଳା ପୋଲିସକୁ ତିନୋଟି ସଫଳତା ମିଳିଛି । ଏହି ଅଞ୍ଚଳରେ ପ୍ରାୟତଃ ଗଞ୍ଜେଇ ବେପାରୀ ସୁରଟ, ମୁମ୍ବାଇ ଓ କୋଲକତାକୁ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଯାହାଫଳରେ ପୋଲିସ ଓ ଅବକାରୀ ବିଭାଗର ମୁଣ୍ଡବ୍ୟଥା ବଢି ଚାଲିଛି । ଏହି ଗଞ୍ଜେଇ ଜବତ ହୋଇଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ସୂଚନା ମିଳିଛି । ତେବେ ଏକ ଟ୍ରାକ୍ଟରରେ ଯୋଗେ ଏହି ଜବତ ଗଂଜେଇ ବସ୍ତା ଗୁଡିକୁ ନିଆଯାଇଥିବା ବେଳେ ଏହାର ସଠିକ୍ ଓଜନ କିମ୍ବା ଆନୁମାନିକ ମୂଲ୍ୟ କେତେ ହେବ ସେ ନେଇ ସୂଚନା ମିଳିନାହିଁ ।
ସେହିପରି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣକୁ ଠାବ କରିଛି । ଏହି ଚୋରାଚାଲାଣରେ ଦୁଇଜଣ ଚମ୍ପଟ ମାରିଥିବା ବେଳେ ଜଣକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି ।
ସୂଚନାନୁସାରେ, ଗଜପତି ଜିଲା ମୋହନା ଅଞ୍ଚଳରୁ ଇଣ୍ଡିଆନ ଅଏଲ ଟ୍ୟାଙ୍କରରେ ଗଞ୍ଜେଇ ଲୋଡ୍ ହୋଇ ୧୬ ନଂ. ଜାତୀୟ ରାଜପଥ ଦେଇ କୋଲକାତା ଅଭିମୁଖେ ଯାଉଥିଲା । ଶନିବାର ପୂର୍ବାହ୍ନରେ ବିଶେଷ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ଥାନା ସମ୍ମୁଖରେ ଉକ୍ତ ଟ୍ୟାଙ୍କରକୁ ଅଟକାଇ ଯାଞ୍ଚ କରିଥିଲେ । ଏହି ସମୟରେ ଚାଳକ ଓ ହେଲପର ଘଟଣାସ୍ଥଳରୁ କୌଶଳକ୍ରମେ ଚମ୍ପଟ ମାରିଥିଲେ । ତେବେ ଗାଡ଼ିରେ ବସିଥିବା ଜନୈକ ଯୁବକଙ୍କୁ କାବୁ କରିଥିବା ଜଣାପଡ଼ିଛି । ଟାଙ୍କି ଭିତରୁ ପୋଲିସ ୩ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି ।