
- ଭାରତୀୟ ଜାତୀୟ ଆନ୍ଦୋଳନ ଭାବରେ ବନ୍ଦେ ମାତରମର ପରିଚୟ
- ବନ୍ଦେ ମାତରମ ହେଉଛି କୋଟି କୋଟି ଭାରତୀୟଙ୍କ ହୃଦୟର ସ୍ପନ୍ଦନ
- ଓଡ଼ିଆ ଲେଖକ ଓ ଗବେଷକଙ୍କୁ ନେଇ ସ୍ୱତନ୍ତ୍ର ଅଧିବେଶନ
- ମନ ମୋହିଲା ଓଡ଼ିଶୀ ନୃତ୍ୟ
କୋଲକାତା, (କେପିଏନ୍ଏସ୍) : ବନ୍ଦେ ମାତରମ୍ ହେଉଛି ରାଷ୍ଟ୍ରୀୟତାର ମୂଳମନ୍ତ୍ର ଏବଂ କୋଟି କୋଟି ଭାରତୀୟଙ୍କ ହୃଦୟର ସ୍ପନ୍ଦନ । ନିଜ ମାଆ ପ୍ରତି ସମ୍ପୂର୍ଣ୍ଣ ସମର୍ପଣର ଏହା ଅପୂର୍ବ ନିଦର୍ଶନ । ଏହା ଏମିତି ଏକ ଭାବନା ଯାହା ସମଗ୍ର ଭାରତକୁ ଏକ ରାଷ୍ଟ୍ରରେ ପରିଣତ କରିଛି । ମାତୃଭକ୍ତିରୁ ଜାତ ପରିବାରବାଦ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର କଥା କହିଥାଏ ବନ୍ଦେ ମାତରମ୍ । ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଏହି କାଳଜୟୀ ରଚନାର ମୌଳିକତା ବେଦରୁ ନିସୃତ । ଏହା କହିଥାଏ ଯେ, ବ୍ୟକ୍ତି, ସମାଜ ଏବଂ ପ୍ରକୃତି ମଧ୍ୟରେ ରହିଛି ଅତୁଟ ସମ୍ପର୍କ । ଏଥିରେ ବିବିଧତା ରହିବ, କିନ୍ତୁ ତାହା ହିଁ ହେଉଛି ସୌନ୍ଦର୍ଯ୍ୟବୋଧର ବର୍ଦ୍ଧକ । ସାହିତ୍ୟ ଏକାଡେମି ପକ୍ଷରୁ କୋଲକାତାର ଭାରତୀୟ ସଂଗ୍ରହାଳୟର ଆଶୁତୋଷ ମୁଖାର୍ଜୀ ପ୍ରେକ୍ଷାଳୟରେ ଆୟୋଜିତ ବନ୍ଦେ ମାତରମ ସମ୍ପର୍କିତ ଦ୍ୱି-ଦିବସୀୟ ଆଲୋଚନାଚକ୍ରର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ଭାଷାରେ ବନ୍ଦେ ମାତରମ୍ର ବୈଶିଷ୍ଟ୍ୟ ଏବଂ ପ୍ରାସଙ୍ଗିକତା ଭିତ୍ତିରେ ବକ୍ତବ୍ୟ ପ୍ରଦାନ କରିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଆର.ଏନ୍. ରବି । ଭାରତୀୟ ସଂଗ୍ରହାଳୟ, ଇଜେଡସିସି ଏବଂ ସଂସ୍କୃତ ବିଶ୍ୱବିଦ୍ୟାଳୟର ବିଭିନ୍ନ ସଭାଗୃହରେ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ୧୬ଟି ଅଧିବେଶନରେ ଦେଶର ବିଭିନ୍ନ ରାଜ୍ୟର ଷାଠିଏ ଜଣ ଲେଖକ, ଗବେଷକ ଏବଂ ବିଦ୍ୱାନ ଯୋଗ ଦେଇ ବନ୍ଦେ ମାତରମ୍ର ବିଭିନ୍ନ ଦିଗରେ ଆଲୋଚନା କରିଥିଲେ । ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶାର ବିଶିଷ୍ଟ ଲେଖିକା ତଥା ହିନ୍ଦୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନନ୍ଦିନୀ ସାହୁ । ସାହିତ୍ୟ ଏକାଡେମିର ସଚିବ ଡକ୍ଝର ବରୁଣ ଗୁଲାଟି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଭାରତୀୟ ସଂଗ୍ରହାଳୟର ନିର୍ଦ୍ଦେଶକ ଡକ୍ଝର ସାୟନ ଭଟ୍ଟାଚାର୍ଯ୍ୟ, ଇ.ଜେଡ୍.ସି.ସି.ର ନିର୍ଦ୍ଦେଶକ ଆଶିଷ ଗିରି । ଡକ୍ଝର ଗୁଲାଟି କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ବନ୍ଦେମାତରମ୍ର ପ୍ରଭାବ ସମ୍ପର୍କରେ ସୂଚନା ଦେଇଥିଲେ । ଅଧିବେଶନରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଏକାଡେମିର ଅଧ୍ୟକ୍ଷ ଡକ୍ଝର ମାଧବ କୌଶିକ । ସେ କହିଥିଲେ ଯେ, ବଙ୍କିମଚନ୍ଦ୍ରଙ୍କ ଗୋଟିଏ ଗୀତର ଦୁଇଟି ଶବ୍ଦ କୋଟି କୋଟି ଭାରତୀୟଙ୍କୁ ଏକତାର ଡୋରିରେ ବାନ୍ଧି ରଖିଛି । ଏହି ଅଧିବେଶନରେ ଧନ୍ୟବାଦ ଦେଇଥିଲେ ଶାନ୍ତି ନିକେତନ ସାହିତ୍ୟପଥ ପତ୍ରିକାର ସଂପାଦକ ପ୍ରଫେସର ସୁଦୀପ ବସୁ । ୩୦ ତାରିଖରେ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମାପନୀ ଉତ୍ସବରେ ବିଶିଷ୍ଟ ବକ୍ତା ଭାବରେ ଯୋଗ ଦେଇଥିଲେ ଓଡ଼ିଶା ବିଶିଷ୍ଟ ଲେଖକ ଡକ୍ଝର ଗୌରହରି ଦାସ, ଅରୁଣ କୁମାର ସାହୁ, ଡକ୍ଝର ଲଲାଟେନ୍ଦୁ ସାହୁ । ସଭାପତିତ୍ୱ କରିଥିଲେ ପ୍ରଫେସର ନନ୍ଦିନୀ ସାହୁ । ଅନ୍ୟ ଏକ ଅଧିବେଶନରେ ସଭାପତିତ୍ୱ କରିଥିଲେ ଓଡ଼ିଶାର ଗବେଷକ ନାରାୟଣ ନାୟକ ଏବଂ ପ୍ରବନ୍ଧ ଉପସ୍ଥାପନ କରିଥିଲେ ସୌରଭ କୁମାର ମହନ୍ତ । ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମିର ଆଞ୍ଚଳିକ ସଚିବ ଡକ୍ଝର ଦେବେନ୍ଦ୍ର କୁମାର ଦେବେଶ । ସିଞ୍ଜନ ନୃତ୍ୟାଳୟ, କୋଲକାତାର ଶିଳ୍ପୀମାନେ ଗୁରୁ ଆଲୋକ କାନୁନଗୋଙ୍କ ନିର୍ଦ୍ଦେଶନାରେ ବନ୍ଦେ ମାତରମ୍ର ଓଡ଼ିଶୀ ନୃତ୍ୟ-ରୂପ ପରିବେଷଣ କରିଥିଲେ । ପ୍ରଥମ ସନ୍ଧ୍ୟାରେ ପୂର୍ବ-ପଶ୍ଚିମ, କୋଲକାତାର କଳାକାରମାନଙ୍କ ଦ୍ୱାରା ଆନନ୍ଦମଠ ଉପନ୍ୟାସ ଆଧାରିତ ନାଟକ ମଞ୍ଚସ୍ଥ ହୋଇଥିଲା । ସାହିତ୍ୟ ଏକାଡେମିର ଉପସଚିବ ଡକ୍ଝର ଏନ୍ ସୁରେଶ ବାବୁ, ସହାୟକ ସଂପାଦକ କ୍ଷେତ୍ରବାସୀ ନାଏକ, କାର୍ଯ୍ୟକ୍ରମ ଅଧିକାରୀ ଅଭିଷେକ ରଥ, ପ୍ରକାଶନ ସହାୟିକା ସମର୍ପିତା ଗୋସ୍ୱାମୀ ଏବଂ ଭାରତୀୟ ସଂଗ୍ରହାଳୟର ରିଥ୍ ବରୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ ।