ସୁବର୍ଣ୍ଣପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ : ଜନ ଜୀବନରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବାର ସଂକଳ୍ପ

  • ପ୍ରତ୍ୟେକ ନିଜେ ନିଜ ସ୍ତରରେ ବିବେକାନୁମୋଦିତ ଭାବେ କର୍ତ୍ତବ୍ୟ ସମ୍ପାଦନ ସହ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇବାକୁ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତର ପୂର୍ବତନ ପ୍ରଥମ ଉପପ୍ରଧାନମନ୍ତ୍ରୀ ଭାରତରତ୍ନ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପୁଣ୍ୟ ଜନ୍ମ ତିଥି ପାଳନ ଅବସରରେ ସମଗ୍ର ଦେଶରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନରଙ୍କ ନିର୍ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ବର୍ଷ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଦୁର୍ନୀତିର ମୁଳୋତ୍ପାଟନ କରିବା ପାଇଁ ସାଧୁତା ଓ ସ୍ୱଛତା ବଜାୟ ରଖି ଅନୁଷ୍ଠାନର ଅଭିବୃଦ୍ଧି ଓ ସୁଖ୍ୟାତି ନିମନ୍ତେ ସତର୍କତା ଅବଲମ୍ବନ ପୂର୍ବକ ବିନାଦ୍ଵିଧାରେ ଏବଂ ବିବେକାନୁମୋଦିତ ଭାବେ କର୍ତ୍ତବ୍ୟ ସମ୍ପାଦନ କରି ଜନସାଧାରଣଙ୍କୁ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇ ଦେବା ପାଇଁ ଶପଥ ପାଠ କରାଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରାରମ୍ଭିକ ସୂଚନା ଦେବା ସହ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ୱନ୍ଧରେ ଅବଗତ କରାଇଥିଲେ । ଏହି ଶପଥ ପାଠ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଜିଲ୍ଲାସ୍ତରୀୟ ଅଧିକାରୀ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ବିଭିନ୍ନ ଶାଖା ଅଧିକାରୀ, ଜିଲ୍ଲପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ ସମସ୍ତ କର୍ମଚାରୀ ସମେତ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ସୁବର୍ଣ୍ଣପୁର ତରଫରୁ ତୁଷାରକାନ୍ତ ମହାପାତ୍ର ଆରକ୍ଷୀ ନିରୀକ୍ଷକ, ବିଭାଗୀୟ କର୍ମଚାରୀ ନନ୍ଦ କିଶୋର ବଗର୍ତ୍ତୀ, ବିଷ୍ଣୁପ୍ରସାଦ ଜାଲ, ଦିଲୀପ କୁମାର ଭୂୟାଁ ପ୍ରମୁଖ ଯୋଗଦାନ କରିଥିଲେ । ଏହି ସପ୍ତାହ ପାଳନ ଅବସରରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ସପ୍ତାହ ବ୍ୟାପି ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଏବଂ ଗ୍ରାମସଭା ଅନୁଷ୍ଠିତ କରାଯିବାର ଯୋଜନା ରହିଛି । ଆସନ୍ତା ତା ୨୯/୧୦/୨୧ସକାଳ ୦୮-୦୦ ଘଣ୍ଟା ସମୟରେ ଜନସଚେତନତା ପାଇଁ ସୋନପୁର ସହରରେ ସ୍ଥାନୀୟ ବ୍ଲକ ଛକଠାରୁ ଗାନ୍ଧୀ ପଡିଆ ପର୍ଯ୍ୟନ୍ତ ଏକ ୱାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର, ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର ଯୁବକ ଯୁବତୀ, ବିଭିନ୍ନ ବିଭାଗର କର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.