ସଇଁନ୍ତଲାରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ଶାରଦୀୟ ନବରାତ୍ରୀ ଦୁର୍ଗାପୂଜା ନିମନ୍ତେ ପଞ୍ଚାୟତ କାର୍ୟ୍ୟାଳୟରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ସାମାଜିକ ଦୂରତା ରକ୍ଷା କରି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ପକ୍ଷରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ସରକାରଙ୍କ ନିୟମ ପାଳନ ସହ ବିଧି ଓ ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଦୁର୍ଗାପୂଜା କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ସୂଚନା ଏହି ଯେ ବହୁ ବର୍ଷ ଧରି ଓ ବହୁ ଜାକଜମକ ସହିତ ନଅ ଦିନ ଧରି ସଇଁନ୍ତଲା ହାଟପଦାଠାରେ ସର୍ବଜାନିନ ଦୁର୍ଗାପୂଜା କରାଯାଇଥାଏ ଏବଂ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ଓ କମିଟି ପକ୍ଷରୁ ଅପେରା, ଦଣ୍ଡ ନୃତ୍ୟ, ନୃତ୍ୟ ପ୍ରତିଯୋଗିତା, ଭଜନ ସମାରୋହ, ହାସ୍ୟକବି ସମ୍ମିଳନୀ ଓ ମୀନାବଜାର କାର୍ୟ୍ୟକ୍ରମ ଆୟୋଜନ କରାଯାଇଥାଏ । ଉକ୍ତ ପୂଜାରେ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି ଓ ଘଣ୍ଟ ବାଦ୍ୟ ବହୁ ଆକର୍ଷଣୀୟ ହେବା ସହ ବହୁ ଭିଡ ଜମିଥାଏ । ତେବେ କୋରୋନା ମହାମାରୀ ରୂପ ନେଉଥିବା ବେଳେ ସରକାରଙ୍କ ନିୟମକୁ ସମ୍ମାନ ଜଣାଇ ଏବର୍ଷ ଦୂର୍ଗାପୂଜା ପାଳନ କରାଯିବ ବୋଲି ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ କମିଟିର ସମ୍ପାଦକ ସୁବୋଧ ମିଶ୍ର, ସଇଁନ୍ତଳା ସରପଞ୍ଚ ଭୀମସେନ ସ୍ୱାଇଁ, ଯୁଗ୍ମ ସମ୍ପାଦକ ବିନୟ ଭୋଇ, ବଜରଙ୍ଗଲାଲ ଅଗ୍ରୱାଲ, ସୁବାସ ଚନ୍ଦ୍ର ରଥ, ଅସୀମ ବେହେରା, ଲଲାଟ ପୃଷେଠ ଏବଂ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.