jsm

ମହିଳା ସ୍ନାତକ ମହାବିଦ୍ୟାଳୟରେ ୭୫ତମ ସମ୍ବିଧାନ ଦିବସ ପାଳିତ

csstore

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ଅଧ୍ୟକ୍ଷତାରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କଟକର କାର୍ଯ୍ୟକାରୀ ସଦସ୍ୟ ତଥା ଡିଏଭି ସ୍ଵୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଶିବ ପ୍ରସାଦ ବେହେରା ମୁଖ୍ୟ ଅତିଥି, ଶ୍ରୀକାନ୍ତ ଚାଟାର୍ଜୀ, ମୁମ୍ବାଇର ପୂର୍ବତନ ଆୟକର ବିଭାଗର କମିଶନର ମୁଖ୍ୟବକ୍ତା, ଡକ୍ଟର ପଦ୍ମଲୋଚନ ବର୍ମା, ଅଧ୍ୟକ୍ଷ, କଣ୍ଟାବାଞ୍ଜି ଭୋକେସନାଲ ମହାବିଦ୍ୟାଳୟ, ଶ୍ରୀ ବଳରାଜ ସିଂଦେଓ, ବରିଷ୍ଠ ତର୍କଶାସ୍ତ୍ର ଅଧ୍ୟାପକ, ମୁକନ୍ଦିଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଣ୍ଟାବାଞ୍ଜି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏକ ବର୍ଣ୍ଣାଢ଼୍ୟ ପରିବେଶରେ ସମସ୍ତ ଅତିଥି ମାନଙ୍କୁ ଛାତ୍ରୀମାନେ ପୁଷ୍ପଗୁଚ୍ଛ, ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ । ପ୍ରାରମ୍ଭରେ ସମ୍ବିଧାନ ନିର୍ମାତା ଡକ୍ଟର ଆମ୍ବେଦକର ଓ ରାଷ୍ଟ୍ରର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ଅତିଥିମାନେ ପୂଜା ଅର୍ଚ୍ଚନା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ସମସ୍ତେ ସଭାରେ ଛିଡ଼ା ହୋଇ ଜାତୀୟ ଗାନ କରିବା ପରେ ସାମୁହିକ ଭାବେ ସମ୍ବିଧାନର ମୁଖବନ୍ଧ ବା ପ୍ରସ୍ତାବନା ଅଧ୍ୟୟନ କରିଥିଲେ । ଏହାପରେ ରାଜନୀତି ବିଭାଗର ମୁଖ୍ୟ ଜିତେନ୍ଦ୍ର ସୁନା ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମ୍ବିଧାନ ମୁଖବନ୍ଧ ବା ପ୍ରସ୍ତାବନାର ଗୁରୁତ୍ଵ ଓ ନାରୀ ମାନଙ୍କର ସଶକ୍ତିକରଣରେ ଭାରତୀୟ ସମ୍ବିଧାନର ଅବଦାନ କଣ ରହିଛି ସେ ବିଷୟ ଉପରେ ଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟବକ୍ତା ଐତିହାସିକ ତଥ୍ୟ ଓ ସମ୍ବିଧାନ ଦ୍ୱାରା କିପରି ବିକଶିତ ରାଷ୍ଟ୍ର ତିଆରି କରାଯାଇପାରିବ ଏବଂ ଏଥିରେ ଛାତ୍ରୀମାନଙ୍କର ଓ ଯୁବପିଢ଼ିର ଭବିଷ୍ୟତ କଣ ହେଇପାରିବ ସେ ବିଷୟରେ ଉପସ୍ଥାପନା କରିଥିଲେ । ନାରୀଶକ୍ତି ଯଦି ରୂଢିବାଦି ପରମ୍ପରାରୁ ଉପରକୁ ଉଠି ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଅଧିକାରକୁ ବୈଜ୍ଞାନିକ ପଦ୍ଧତିରେ ବ୍ୟବହାର କରିପାରିଲେ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ କେହି ରୋକି ପାରିବେ ନାହିଁ ବୋଲି ଦୃଢ ମନ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ବଳରାଜ ସିଂଦେଓ ସମ୍ବିଧାନରେ ପ୍ରଦତ୍ତ ସ୍ୱତନ୍ତ୍ରତା, ସମାନତା, ବନ୍ଧୁତ୍ୱ, ନ୍ୟାୟ ଓ ଗରିମା ଶବ୍ଦ ଆମକୁ ବିଭିନ୍ନତା ମଧ୍ୟରେ ଏକତାର ଦେଶ କରିପାରିଛି ବୋଲି କହିଥିଲେ । ଏହି ସବୁ ଶବ୍ଦ ଏକାସାଙ୍ଗରେ କୌଣସି ରାଷ୍ଟ୍ରର ସମ୍ବିଧାନରେ ଦେଖିବାକୁ ମିଳେନାହିଁ । ଏହି ପଞ୍ଚୋଟି ଶବ୍ଦ ହିଁ ବିଶ୍ୱରେ ଭାରତକୁ ଏକ ଭିନ୍ନ ପରିଚୟ ପ୍ରଦାନ କରିଛି ବୋଲି ଶ୍ରୀ ସିଂଦେଓ କହିଥିଲେ । କଣ୍ଟାବାଞ୍ଜି ଭୋକେସନାଲ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପଦ୍ମଲୋଚନ ବର୍ମା ଜଣେ ବରିଷ୍ଠ ରାଜନୈତିକ ଅଧ୍ୟାପକ ଭାବେ ଭାରତ ସମ୍ବିଧାନରେ ଥିବା ସାର୍ବଭୌମତ୍ୱ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ର ରାଷ୍ଟ୍ରର ଅର୍ଥ କଣ ଏବଂ ଏହାଦ୍ୱାରା ଭାରତ କିପରି ଏକ ଭିନ୍ନ ଓ ସମୃଦ୍ଧ ରାଷ୍ଟ୍ର ହୋଇପାରିଛି ତା’ ବିଷୟରେ ପ୍ରାଞ୍ଜଳ ଭାଷାରେ ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟ ଅତିଥି ଡକ୍ଟର ଶିବ ପ୍ରସାଦ ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜକୁ ବହୁତ ସନ୍ତୁଷ୍ଟ ଅନୁଭବ କଲି ବୋଲି କହିବା ସହିତ ଭାରତରେ ରାଜନୀତି କରୁଥିବା ନେତାମାନେ ସମ୍ବିଧାନ ବିଷୟରେ ଅଜ୍ଞାନୀ ଥିବାରୁ ଆଇନ ପ୍ରଣୟନ ସମୟରେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଠିକ୍ ଆଇନ ପ୍ରଣୟନ କରୁନାହାନ୍ତି, ଯଦି ଆମେ ନାଗରିକମାନେ ସମ୍ବିଧାନ ବିଷୟରେ ସଚେତନ ହୋଇ ଆମ ଉପରେ ହେଉଥିବା ଅନ୍ୟାୟକୁ ଦୃଢ଼ ପ୍ରତିବାଦ କରିବା ତା’ହେଲେ ଦେଶରେ ବିପ୍ଲବ ସମ୍ଭବ ବୋଲି ମତ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ତଥା କାର୍ଯ୍ୟକ୍ରମର ସଭାପତି ରାଜେନ୍ଦ୍ର ପୁରୋହିତ ମୌଳିକ ଅଧିକାର ଏବଂ ମୌଳିକ ଦାୟିତ୍ଵର ଗୁରୁତ୍ଵ କ’ଣ ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଛାତ୍ର ଜୀବନରେ ଅଧିକାର ଅପେକ୍ଷା ଦାୟିତ୍ଵ ବହନ କରିବା ଉଚିତ୍, ଏହା କଲେ ଆମେ ବ୍ୟକ୍ତିଗତ ଭାବେ ଉନ୍ନତି କରିବା ସହିତ ରାଷ୍ଟ୍ରର ଗଠନରେ ମଧ୍ୟ ଆମର ଭୂମିକା ସମ୍ପାଦନ କରିପାରିବା ବୋଲି ମତ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏନ୍‌. ଜାହ୍ନବୀ ଦୋରା ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ସ୍ୱାଗତ ଅଭିଭାଷଣ ଗାୟତ୍ରୀ ଶର୍ମା ପ୍ରଦାନ କରିଥଲେ । ପ୍ରାରମ୍ଭ ସଙ୍ଗୀତ ଗାୟତ୍ରୀ ମହାଶକ୍ତି ମିଶ୍ର ଗାୟନ କରିଥିବା ବେଳେ ରାଜୀବ ମେହେର ଧନ୍ୟବାଦ୍ ଅର୍ପଣ କରିଥଲେ ।

yuvodaya
Leave A Reply

Your email address will not be published.