ଆନ୍ତର୍ଜାତୀୟ ବିସ୍ମୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦୃଷ୍ଟିରେ ଜଣେ ଜଣେ ବିସ୍ମୟ ମାନବ । ସୃଷ୍ଟିରେ ଅନନ୍ୟ, ସ୍ୱତନ୍ତ୍ର ଏବଂ ଚମତ୍କାର ବ୍ୟକ୍ତିତ୍ୱ ଅଟନ୍ତି । ଦୟାର୍ଦ୍ର ହୃଦୟବାନ ମଣିଷଟିଏ ହେଉ କିମ୍ବା ଅନ୍ୟକୁ ଭଲ ପାଇବା, ବୁଝିବା, ସାଦରେ ନିଜର ଅନ୍ତରଙ୍ଗ ଭାବେ ଗ୍ରହଣ କରିବା ସୁନ୍ଦର ବନ୍ଧୁ ବତ୍ସଲ ହେଉ, ସେ ଅନନ୍ୟ । ବ୍ୟକ୍ତତ୍ୱର ବିଶେଷତା, ମହାନତା ଏବଂ ସୌନ୍ଦର୍ଯ୍ୟର ପରିପାଟୀ ଅନ୍ୟ ଜଣଙ୍କୁ ନିଜର କରି ନେବା ବିସ୍ମୟାଭୂତ ଚମତ୍କାରିତା ଯୋଗୁଁ ସମ୍ଭବ ହୁଏ । ଆମେ କେହି ମଧ୍ୟ ସ୍ୱୟଂ ସମ୍ପୂର୍ଣ୍ଣ, ସିଦ୍ଧ ପୁରୁଷ ନୁହଁ । ସମସ୍ତ ଅସମ୍ପୂର୍ଣ୍ଣତା ସତ୍ୱେ ତାହାକୁ କିଭଳି ଭାବେ ଆମେ ପରିଚାଳିତ କରି ପରିବା ତା ଉପରେ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟତା ନିର୍ଭର କରେ । ପ୍ରତ୍ୟେକ ବ୍ୟକ୍ତିତ୍ୱ ଏକ ସ୍ୱତନ୍ତ୍ରତା ଏବଂ ବୈଶିଷ୍ଟ୍ୟତାର ଅଧିକାରୀ । ସମସ୍ତେ ଗୋଟିଏ ଗୋଟିଏ କଳାର ଅଧିକାରୀ । ଆମର କାର୍ଯ୍ୟ, ଉଚ୍ଚାରଣ ଏବଂ ଆଚରଣ ମାଧ୍ୟମରେ ସକାରାତ୍ମକତା ମନୋଭାବ ଆମକୁ ବଳିଷ୍ଠ କରିଥାଏ । ଏହି ସଗୁଣାତ୍ମକ ମନୋଭାବ ପ୍ରତିପାଦିତ କରିବା ଦ୍ୱାରା ଅନ୍ୟମାନେ ଆମ ଚାରି ପାଖରେ ନିରାପଦ ମନେ କରନ୍ତି । ସକରାତ୍ମକତା ବିଚାରକୁ ସର୍ବ ଆଦୃତ କରିବା ଏବଂ ବିଶ୍ଵକୁ ଏକ ଉତ୍କୃଷ୍ଟ ଉପଭୋଗ୍ୟ ସ୍ଥାନ ଭାବେ ଗ୍ରହଣ କରିବାରେ ସାହାଯ୍ୟ କରିବାକୁ ଆଜି ଦିନ ଉତ୍ସର୍ଗୀକୃତ । ଏକ ସୁନ୍ଦର ସହୃଦୟ ଏବଂ ବନ୍ଧୁତ୍ୱର ପରିବେଶ ନିର୍ମାଣ କରିବା ଆଜି ଦିନର ତାତ୍ପର୍ଯ୍ୟ । ଆମେ ଅନ୍ୟ ଜଣକୁ କିଭଳି ସମ୍ମାନ କରୁ, ଗ୍ରହଣ କରୁ, ନିଜର କରିନେଉ, ତାହା ଆମ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ, ବିଶେଷତା ଏବଂ ଶ୍ରେଷ୍ଠତା । ସେହି ଗୁଣ ହିଁ ଆମକୁ ବିସ୍ମୟ ମଣିଷ କରିଥାଏ । ମାର୍ଚ୍ଚ ୧୦ରେ ଏହି ବିଶେଷ ଦିବସ ପାଳନ କରାଯାଏ । ଜଣେ ବିସ୍ମୟ ପୁରୁଷ, କଳାକାର, ଅଭିନେତାର ସୃଜନଶୀଳତାକୁ ସମ୍ମାନ ଦିଆଯାଏ । ପ୍ରତ୍ୟେକ ବ୍ୟକ୍ତି ସିଦ୍ଧ, ସମ୍ପୂର୍ଣ ହୋଇ ପାରିବେ ନାହିଁ କିନ୍ତୁ ନିଶ୍ଚିତ ଭାବରେ ଜଣେ ଅଦ୍ଵିତୀୟ ଅନନ୍ୟ, ବିସ୍ମୟ ମଣିଷ ଏବଂ ଚମତ୍କାର ବ୍ୟକ୍ତିତ୍ୱର ଅଧିକାରୀ ହୋଇ ପାରିବେ ।

Leave A Reply

Your email address will not be published.

19 − 1 =