oom

କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଅତ୍ୟାଚାର ପ୍ରତିବାଦରେ କନ୍ଧମାଳ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

jsmm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ପୋଲିସର ମାତ୍ରାଧିକ ଅତ୍ୟାଚାର ବଢି ବଢି ଚାଲିଛି । ପ୍ରତିବାଦ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ଜଘନ୍ୟ ଅତ୍ୟାଚାରର ପ୍ରତିବାଦରେ କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅନୁପସ୍ଥିତ ଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନେ ଏକ ଶୋଭାଯାତ୍ରାରେ ଆସି ସାମ୍ବାଦିକମାନଙ୍କ ଉପରେ ପୋଲିସ ଜୁଲମର ପ୍ରତିବାଦ, ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ନୀଳଗିରି ସାମ୍ବାଦିକଙ୍କ ଉପରେ ପୋଲିସର ଅତ୍ୟାଚାର ଆଦି ବିରୁଦ୍ଧରେ ସ୍ଲୋଗାନ ମାନ ଦେଇ ପ୍ରଥମେ ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚି ଦାବୀପତ୍ର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ ଦାସ ନୀଳଗିରିର କନକ ଓ ସମ୍ବାଦର ପ୍ରତିନିଧି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରି ପୋଲିସ ଆକ୍ରୋଶ ମୂଳକ ଭାବେ ଗିରଫ କରି ତାଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ଲଗାଇଛି । ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ତରବରରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦେଖିବାକୁ ମିଳିଥିଲା ସାମ୍ବାଦିକ ଶ୍ରୀ ଦଳେଇଙ୍କ ଗୋଡ଼ରେ ଲୁହା ଶିକୁଳି(ବେଡି) ପଡିଥିବାର ଅତି ଅମାନୁଷିକ ଦୃଶ୍ୟ । ଯାହାକି ଜଣେ ଆତଙ୍କବାଦୀ ଅବା ଅତି ଭୟଙ୍କର ଆତଙ୍କ ସୃଷ୍ଟି କରୁଥିବା ଡକାୟତକୁ ଆୟତରେ ନେବା ବେଳର ଦୃଶ୍ୟ । ପୋଲିସର ଏହି ଜଘନ୍ୟ ଅମାନୁଷିକ କାର୍ଯ୍ୟକୁ ସଭାପତି ଶ୍ରୀ ଦାସ ଏକ ନିନ୍ଦା ପ୍ରସ୍ତାବ ଆଗତ କରିବା ସହିତ ନୀଳଗିରି ଥାନା ଅଧିକାରିଣୀ ଦ୍ରୌପଦୀ ଦାସଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରି ଗିରଫ କରିବାକୁ ଦାବୀ ରଖିଥିଲେ । ପରେ ସମସ୍ତ ସାମ୍ବାଦିକ ଏହି ଦାବୀ ଉପରେ ସମ୍ମତ ପ୍ରକାଶ କରି ପୋଲିସ କାର୍ଯ୍ୟାନୁଷ୍ଠାନର ନିନ୍ଦା କରିଥିଲେ । ସଭାପତିଙ୍କ ସହ ଅନ୍ୟ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘର ଜାତୀୟ ପରିଷଦ ସଦସ୍ୟ ଶିବ ଶଙ୍କର ତ୍ରିପାଠୀ, ସୁବାସ ଚନ୍ଦ୍ର ପ୍ରଧାନ, ଫିଲିମନ ନାୟକ, ସଦାଶିବ ପାତ୍ର, ସନ୍ତୋଷ କୁମାର ମିଶ୍ର, ବି. ଭି. ଶଙ୍କର, ତ୍ରିନାଥ ସାହୁ, ଦୁଃଖିଶ୍ୟାମ ପ୍ରଧାନ, ବିଶ୍ୱ ରଞ୍ଜନ ସାମନ୍ତରାୟ, ଅଶୋକ ମହାନ୍ତି ପ୍ରମୁଖ ସାମ୍ବାଦିକ ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରି ନୀଳଗିରି ସାମ୍ବାଦିକ ଶ୍ରୀ ଦଳେଇଙ୍କ ପ୍ରତି ଘଟିଥିବା ପୋଲିସ ଜୁଲମର ପ୍ରତିବାଦ କରିବା ସହ ତୀବ୍ର ନିନ୍ଦା କରିଥିଲେ । ସଭାପତି ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ଯଦି ନୀଳଗିରିର ଅତ୍ୟାଚାରିତ ସାମ୍ବାଦିକଙ୍କୁ ସମ୍ମାନ ସହ ଉପଯୁକ୍ତ ନ୍ୟାୟ ନମିଳେ ତେବେ ଜିଲ୍ଲା ସଂଗଠନ ଓ ରାଜ୍ୟ ସଂଗଠନ ସହଯୋଗରେ ସମସ୍ତ ସଦସ୍ୟ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବାକୁ ବାଧ୍ୟ ହେବେ ।

jittmm
Leave A Reply

Your email address will not be published.