
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଖଣି ଖାଦାନ ଓ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି, ଜିଲ୍ଲା ଖଣିଜ ପାଣ୍ଠିର ସଦ୍ ବିନିଯୋଗ, ଧାନମଣ୍ଡିରେ କଟ୍ନି ଛଟ୍ନି ବନ୍ଦ ଆଦି ଦାବୀ ନେଇ ବୁଧବାର ସିପିଆଇ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଡିଆର୍ଡିଏ ଛକଠାରେ ଗଣଧାରଣା ଦିଆଯାଇଥିଲା । ଏଥିରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ଏଆଇଟିୟୁସି ରାଜ୍ୟ ସଭାପତି ଅଶୋକ କୁମାର ଦାଶ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୋଷ ମହାନ୍ତି, ସହ ସମ୍ପାଦକ ସୁନୀଲ ନାଏକ, ଶୁକଦେବ ନାଏକ, ରାଜେନ୍ଦ୍ର ନାଏକଙ୍କୁ, ଗୋପାଳପୁର ସରପଞ୍ଚ ପୂରବୀ ନାଏକ ପ୍ରମୁଖ ଦଳୀୟ ନେତୃବୃନ୍ଦ ଯୋଗ ଦେଇ ପ୍ରାକୃତିକ ପ୍ରାଚୁର୍ଯ୍ୟାରେ ଭରପୂର ସୁନ୍ଦରଗଡ଼ ଜିଲାର ବିକାଶ ପାଇଁ ସରକାର ତଥା ପ୍ରଶାସନର ଉଦାସୀନତାକୁ ସମାଲୋଚନା କରିଥିଲେ । ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନିରନ୍ତର ବିଦ୍ୟୁତ ସେବା ଯୋଗାଇ ଦେବା, ତୁରନ୍ତ ଜଙ୍ଗଲ ଜମିପଟ୍ଟା ପ୍ରଦାନ, ଅତି ଶୋଚନୀୟ ହୋଇ ପଡ଼ିଥିବା ଟପରିଆଠାରୁ ସୁନ୍ଦରଗଡ଼ ମୁଖ୍ୟରାସ୍ତାକୁ ଚାରିଥାକିଆ କରିବା, ବିସ୍ଥାପିତ ଓ ପ୍ରଦୂଷଣ ସମସ୍ୟାର ତ୍ୱରିତ ସମାଧାନ ଓ ଅନ୍ୟାନ୍ୟ ଦାବି ନେଇ ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।