୨ ବାଇକ୍‌ ଚୋର ଗିରଫ୍‌ : ୫ ମଟର ସାଇକେଲ ଉଦ୍ଧାର କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୋରି ହୋଇଥିବା ୫ ମଟର ସାଇକେଲ ଉଦ୍ଧାର କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ୍‌ ବାଗ । ସୂଚନା ଅନୁସାରେ ଗତ ୨୮ ତାରିଖ ଦିନ ଟିକ୍ରାପଡ଼ାର ସଂଜୟ କୁମାର ସାହୁଙ୍କ ହାଟପଦାପଡ଼ାରୁ ଏକ ବୁଲେଟ୍‌ ଚୋରି ହୋଇଥିବା ବେଳେ ରାଜୀବନଗରର ସୁଧୀର କୁମାର ନାଏକଙ୍କ ବଜାଜ୍‌ ବକ୍ସର ବାଇକ୍‌ ଚୋରି ହୋଇଥିବା ସଂକ୍ରାନ୍ତରେ ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଆଇଆଇସି ବିଶ୍ୱଜିତ ମନବୋଧଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରିଥିଲା ବଲାଙ୍ଗିର ଟାଉନ୍‌ ପୋଲିସ । ଏହି ମାମଲାରେ ମାଲପଡ଼ାର ସଂଜୀବ ନାଏକ ଏବଂ ରାଜୀବନଗରର କୁନା ମିଶ୍ରଙ୍କୁ ଟାଉନ୍‌ ପୋଲିସ ଗିରଫ୍‌ କରି ସେମାନଙ୍କଠାରୁ ଚୋରି ହୋଇଥିବା ବୁଲେଟ୍‌ ଓ ବକ୍ସର ମୋଟର ସାଇକେଲ୍‌ ସହିତ ଆହୁରି ୩ଟି ବାଇକ୍‌ ଜବତ୍‌ କରିଛି । ତେବେ ଗିରଫ୍‌ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାର ଆହୁରି ତଦନ୍ତ ଚାଲିଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.