csstore

ବ୍ୟକ୍ତିଗତ ଭାବେ ଗଞ୍ଜାମ ମାଟି ପାଇଁ ମୁଁ ଲଢ଼ିବି : ଭି. କେ. ପାଣ୍ଡିୟାନ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୋଟ୍ ପ୍ରଚାରରେ ଆସି ଫାଇଭ୍ – ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିୟାନ୍‌ ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ଆୟୋଜିତ ବିଜୁ ଜନତା ଦଳର ବିଶାଳ ସମାବେଶରେ ଯୋଗଦେଇଥିଲେ ଏବଂ ଜନତାଙ୍କୁ ବିକାଶର ଧାରା ଉପରେ ଉଦ୍‌ବୋଧନ ଦେଇଥିଲେ । ବୁଧବାର ଅପରାହ୍ନରେ ହେଲିକପ୍ଟର୍‌ ଯୋଗେ ଆସି ଛତ୍ରପୁର ମିନି-ଷ୍ଟାଡିୟମ୍‌ରେ ଅବତରଣ କରିଥିଲେ । ସେଠାରୁ ବାହନ ଯୋଗେ ଆସି ମୁଖ୍ୟ ଷ୍ଟାଡିୟମ୍‌ରେ ଆୟୋଜିତ ବିଜେଡ଼ି ଦଳୀୟ ସମାବେଶରେ ଲଢ଼ୁଥିବା ପ୍ରାର୍ଥୀଙ୍କ ସପକ୍ଷରେ ଉଦ୍‌ବୋଧନ ଦେଇଥିଲେ । ଛତ୍ରପୁର ବିଧାୟକ ସୁବାଷଚନ୍ଦ୍ର ବେହେରା ଏବଂ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ଉଦ୍ଦେଶ୍ୟରେ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ବିପୁଳ ଭୋଟ୍‌ରେ ବିଜୟ ଲାଭ କରିବା ପାଇଁ ଛତ୍ରପୁର ଅଞ୍ଚଳର ଜନସାଧାରଣଙ୍କୁ ଭୋଟ୍‌ ଭିକ୍ଷା ମାଗିଥିଲେ । ଏହି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ହେଉଛି, ମୋର ଚାକିରୀ କ୍ଷେତ୍ର ଭୂମି, ଏହି ମାଟିରେ ମୋର ଝିଅର ଜନ୍ମସ୍ଥାନ । ମା’ ତାରାତାରିଣୀଙ୍କ ଆଶିଷ ଲାଭ କରି ମୋର ଏକ କନ୍ୟା ସନ୍ତାନ ଜନ୍ମଲାଭ ହୋଇଥିବାରୁ ମୋ ଝିଅର ନାମ ‘ତାରା’ ବୋଲି ନାମକରଣ କରିଛି । ମୋତେ ଛତ୍ରପୁରବାସୀ ଖୁବ୍ ସମ୍ମାନ ଦିଅନ୍ତି, ନିଜ ଲୋକ ପରି ସଦ୍‌ବ୍ୟବହାର କରନ୍ତି । ଛତ୍ରପୁରବାସୀ ହେଉଛନ୍ତି, ମୋର ଜ୍ଞାତି କୁଟୁମ୍ବ ପରିବାର ପରି ମୁଁ ଅନୁଭବ କରେ, ତେଣୁ ମୁଁ ଏହି ମାଟି ମାଆର ସେବା କରିବି, ଗଞ୍ଜାମ ମାଟି ପାଇଁ ମୁଁ ସଦାସର୍ବଦା ବଞ୍ଚିଥିବା ଯାଏଁ ବିକାଶ ପାଇଁ ଏବଂ ଏହି ମାଟିର ବିକାଶ ପାଇଁ ଲଢିବି, ସଂଗ୍ରାମ ଜାରୀ ରଖିବି ବୋଲି ଶ୍ରୀ ଭି. କେ. ପାଣ୍ଡିୟାନ୍ ସଭା ମଞ୍ଚରେ ଜନତାଙ୍କୁ ଉଦ୍‌ବୋଧନ ଦେଇ ଅଗଣିତ ଭୋଟର୍‌ଙ୍କୁ ଖୁସି ମାନାଇଥିଲେ । ସର୍ବୋପରି ଶ୍ରୀ ଭି. କେ. ପାଣ୍ଡିୟାନ୍ ନବୀନ ଇଞ୍ଜିନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସମାବେଶରେ ବହୁଦୂର ଦୁରନ୍ତରୁ ପ୍ରାୟତଃ ୧୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିବା ଦେଖାଯାଇଛି ।

jayashree
Leave A Reply

Your email address will not be published.